ବ୍ୟାଙ୍କ ଆକାଉଣ୍ଟରେ ଆଧାର ସଂଯୋଗ ହେଲା କାଳ ! ୧ ଲକ୍ଷ ୩୦ ହଜାର ଟଙ୍କା ଉଭାନ, ମୁଣ୍ଡରେ ହାତ ଦେଲେ ମନୋଜ

33

କନକ ବ୍ୟୁରୋ : ବ୍ୟାଙ୍କ ଆକାଉଂଟରେ ଆଧାର ସଂଯୋଗ ହେଲା କାଳ । ବ୍ୟାଙ୍କ ଆକାଉଂଟରୁ ଉଭାନ ହୋଇଗଲା ଲକ୍ଷେ ୩୦ ହଜାର ଟଙ୍କା । ଏଭଳି ଅଭିଯୋଗ ଆସିଛି ଆଦିବାସୀ ଅଂଚଳ କଳାହାଣ୍ଡିରୁ । ଜୁନାଗଡ ବ୍ଲକର ଚାରବାହାଲ ଷ୍ଟେଟ ବ୍ୟାଙ୍କରେ ଭାଲୁଗୁଟ୍ରା ଗାଁର ମନୋଜ ମୁଣ୍ଡ ଝିଅର ବାହାଘର ଓ ପୁଅର ପାଠପଢା ପାଇଁ ଟଙ୍କା ସଂଚୟ ରଖିଥିଲେ । ମନୋଜ ଜଣେ ଚାଷୀ ହୋଇଥିବା ଯୋଗୁଁ ବହୁ କଷ୍ଟରେ ଟଙ୍କା ସଂଚୟ କରିଥିଲେ । ତେବେ ଏହି ଘଟଣା ପରେ ଏବେ ମୁଣ୍ଡରେ ହାତ ଦେଇଛନ୍ତି ମନୋଜ ।

କେନ୍ଦ୍ର ସରକାରଙ୍କ ନୂଆ ନିୟମ ଅନୁଯାୟୀ ବ୍ୟାଙ୍କ ଆକାଂଉଟରେ ଆଧାର କାର୍ଡ ସଂଯୋଗ କରିଥିଲେ ମନୋଜ । କିନ୍ତୁ ଏହା ପରେ ସେ ପଇସା ଉଠାଇବାକୁ ଯାଇଥିବା ବେଳେ ତାଙ୍କ ଆକାଉଂଟରେ ୩ରୁ ୪ ହଜାର ଟଙ୍କା ପଡିରହିଥିବା ବେଳେ ଲକ୍ଷେ ୩୦ ହଜାର ଟଙ୍କା ଗାଏବ ହୋଇଯାଇଥିଲା । ଏନେଇ ସେ ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜରଙ୍କୁ ପଚାରିବାରୁ ସେ କିଛି ଜାଣି ନାହାନ୍ତି ବୋଲି କହିଥିଲେ ।

ଏପରିକି ଷ୍ଟେଟ ବ୍ୟାଙ୍କରୁ ନୁହେଁ ଅନ୍ୟ କେଉଁ ବ୍ୟାଙ୍କରୁ ଟଙ୍କା ଉଠାଯାଇଥିବା ବ୍ରାଞ୍ଚ ମ୍ୟାନେଜର କହିଛନ୍ତି । ବ୍ୟାଙ୍କ ଖାତାରେ ଆଧାର ଲିଙ୍କ୍ ପାଇଁ ବିବାଦ ସୃଷ୍ଟି ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲାର ଏହି ଘଟଣା ସାଧାରଣରେ ଲୋକଙ୍କ ପାଇଁ ଚିନ୍ତା ବଢାଇଛି ।