ରାଉରକେଲାରେ ରାଷ୍ଟ୍ରପତିଙ୍କ ସମ୍ବୋଧନ । କହିଲେ, ସୁପର ସ୍ପେଶିଆଲିଟି ହସ୍ପିଟାଲ ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ 

116

କନକ ବ୍ୟୁରୋ: ରାଉରକେଲା ଆଇଜିଏଚରେ ସୁପର ସ୍ପେଶିଆଲିଟି ହସ୍ପିଟାଲର ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଅବସରରେ ରାଷ୍ଟ୍ରପତି ସମ୍ବୋଧନ କରି କହିଛନ୍ତି, ସ୍ଥାନୀୟ ଭାଷାରେ ରାଉରକେଲାର ଅର୍ଥ ହେଉଛି ‘ଆପଣଙ୍କ ଗାଁ’ । ମୁଁ ଆଜି ଆପଣଙ୍କ ଗାଁକୁ ଆସିଛି ହସ୍ପିଟାଲ ଉଦଘାଟନ ପାଇଁ । ରାଉରକେଲା ସୁପର ସ୍ପେଶିଆଲିଟି ହସ୍ପିଟାଲ ଉଦଘାଟନ କରି ମୁଁ ଗର୍ବିତ । ହସ୍ପିଟାଲ ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିଯୁକ୍ତି ସୃଷ୍ଟି ହେବ ।

ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି, ୬ ବର୍ଷ ପୂର୍ବରୁ ହସ୍ପିଟାଲ ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ମାତ୍ର ୨ ବର୍ଷ ମଧ୍ୟରେ ହସ୍ପିଟାଲ କାମ ଶେଷ ହୋଇଛି । ଏଥିପାଇଁ ମୋଟ ୩ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ସୁପର ସ୍ପେଶିଆଲିଟି ହସ୍ପିଟାଲର ସୁବିଧା କେବଳ ରାଉରକେଲା ବାସୀ ନୁହେଁ ଓଡିଶା ସହ ପଡୋଶୀ ରାଜ୍ୟ ଛତିଶଗଡ ଓ ଝାଡଖଣ୍ଡ ବି ଉପକୃତ ହେବ ।

ଓଡିଶା ଭାରତକୁ ଅନେକ ହକି ଖେଳାଳି ଦେଇଛି । ଓଡିଶାର ଖେଳାଳିମାନେ ଭାରତକୁ ପ୍ରତିନିଧିତ୍ୱ କରୁଛନ୍ତି । ଓଡିଶା ପ୍ରଥମ ରାଜ୍ୟ ଭାବେ ଭାରତୀୟ ହକି ଟିମର ପ୍ରାୟୋଜକ ହୋଇଛି ବୋଲି କହିଛନ୍ତି ରାଷ୍ଟ୍ରପତି । ସେହିପରି କରୋନା ବିରୋଧୀ ଲଢେଇ କଥା ମଧ୍ୟ ମନେ ପକାଇଛନ୍ତି ରାଷ୍ଟ୍ରପତି । କରୋନା ମୁକାବିଲା ପାଇଁ ଭାରତ ସରକାର କମ ଦାମରେ ପଡୋଶୀ ଦେଶକୁ ଟିକା ଯୋଗାଇଛନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ରାଉରକେଲା ଆଇଜିଏଚରେ ଆଜି ସୁପର ସ୍ପେଶାଲିଟି ହସ୍ପିଟାଲର ଉଦଘାଟନ କରିଛନ୍ତି ରାଷ୍ଟ୍ରପତି । ୨ଶହ ଶଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା ଲୋକାର୍ପିତ ହୋଇଛି । ସେଲ ଏବଂ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ଇସ୍ପାତ ସ୍ନାତକୋତର ପ୍ରତିଷ୍ଠାନ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲକୁ ଉଦଘାଟନ କରିଥିଲେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୯ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।