ବାଲିମାଫିଆଙ୍କ ଗୁଣ୍ଡାରାଜ । ଆରଆଇ ଅଫିସରେ ପଶିଲେ, ମନଇଚ୍ଛା ପିଟି ଚାଲିଲେ । ବାଲି ଚାଲାଣ ରୋକିଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଧମକ ଦେଲେ ।

298

କନକ ବ୍ୟୁରୋ : ଭଦ୍ରକରେ ବାଲିମାଫିଆଙ୍କ ଗୁଣ୍ଡାରାଜ । ବାଲି ଚୋରାଚାଲାଣକୁ ବିରୋଧ କରିବାରୁ ଭଣ୍ଡାରୀ ପୋଖରୀ ଆରଆଇଙ୍କ କାର୍ଯ୍ୟାଳୟରେ ପଶି କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ବାଲିମାଫିଆଙ୍କ ସଂଘବଦ୍ଧ ଆକ୍ରମଣରେ ଭଣ୍ଡାରୀପୋଖରୀ ଅତିରିକ୍ତ ତହସିଲଦାରଙ୍କ ମୁଣ୍ଡ ଫାଟିଥିବା ବେଳେ ଆରଆଇ ଓ ଅନ୍ୟ କର୍ମଚାରୀ ଲହୁଲୁହାଣ ହୋଇଛନ୍ତି । ବାଲିମାଫିଆଙ୍କ ଆତଙ୍କରାଜରେ ଭୟଭୀତ ଭଦ୍ରକବାସୀ ।

ଭଦ୍ରକରେ ସୀମା ଟପିଯାଇଛି ବାଲି ମାଫିଆଙ୍କ ଆତଙ୍କରାଜ । ବାଲି ଚୋରା ଚାଲାଣ ରୋକିବାରୁ ଆରଆଇ ଅଫିସ ଭିତରେ ପଶି ଅତିରିକ୍ତ ତହସିଲଦାର ଓ ରାଜସ୍ୱ ନୀରିକ୍ଷକଙ୍କୁ ନିସ୍ତୁକ ମାଡ ମାରିଛନ୍ତି । ବାଲି ମାଫିଆଙ୍କ ମାଡରେ ଅତିରିକ୍ତ ତହସିଲଦାରଙ୍କ ମୁଣ୍ଡ ଫାଟିଯାଇଛି । ଗୁରୁତର ଆହତ ହୋଇଛନ୍ତି ରାଜସ୍ୱ ନୀରିକ୍ଷକ । ୫ ଜଣ କର୍ମଚାରୀବି ଆହତ ହୋଇଛନ୍ତି ।

ସୋମବାର । ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ । ଭଣ୍ଡାରୀପୋଖରୀ ନିକଟସ୍ଥ ମଞ୍ଜୁରୀ ରୋଡ୍ ଆରଆଇ ଅଫିସ ଭିତରକୁ ଧଶେଇ ପଶିଥିଲେ ୧୫ ରୁ ୨୦ ଜଣ ଦୁର୍ବୃତ । ହାତରେ ଥିଲା ଲୁହା ରଡ୍ ଓ ମାରଣାସ୍ତ୍ର । ବାଲି ମାଫିଆ ପ୍ରଥମେ କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ଅଫିସରେ ବ୍ୟାପକ ଭଂଗାରୁଜା କରିଥିଲେ । ପରେ ଅତିରିକ୍ତ ତହସଲିଦାର ଓ ଆର ଆଇଙ୍କ ସମେତ ୫ ଜଣ କର୍ମଚାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଖାଲି ସେତିକି ନୁହେଁ, ଯିବା ବେଳେ ଚେତାବନୀ ଦେଇ ଯାଇଥିଲେ, ଏଣିକି ବାଲି ଚାଲାଣ ରୋକିଲେ ପରିସ୍ଥିତି ଭୟଙ୍କର ହେବ ।

ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ପ୍ରତିବାଦରେ ମଙ୍ଗଳବାର ଆନ୍ଦୋଳନକୁ ଓହ୍ଲାଇଥିଲେ ଭଣ୍ଡାରୀ ପୋଖରୀ ତହସିଲ କର୍ମଚାରୀ । ବ୍ଲକ୍ ଅଫିସ ଆଗରେ ଦୀର୍ଘ ସମୟ ଧରି ଧାରଣା ଦେଇଥିଲେ । ପୋଲିସ ବାଲି ମାଫିଆଙ୍କୁ ସହଯୋଗ କରୁଥିବା ଅଭିଯୋଗ କରିଛନ୍ତି ତହସିଲ କର୍ମଚାରୀ । ଗତ ମାସରେ ମୟୂରଭଂଜର ରାସଗୋବିନ୍ଦପୁରରେ ଜଣେ ଯୁବକଙ୍କୁ ଜେସିବି ମଡାଇ ହତ୍ୟା କରିଥିଲେ ବାଲି ମାଫିଆ । ଏବେ ଭଦ୍ରକରେ ସାମ୍ନାକୁ ଆସିଛି ମାଫିଆଙ୍କ ଆତଙ୍କରାଜ ।