ଚାକିରି ଆରମ୍ଭରୁ ସମ୍ପତ୍ତି ତାଲିକା ଦେଇନଥିଲେ କୋଟିପତି ପୁଲିସ୍ ବାବୁ । ପୁନେ ଓ ଦିଲ୍ଲୀରୁ ମିଳିଲା ତ୍ରିନାଥଙ୍କ ଆକାଉଣ୍ଟ୍

137

କନକ ବ୍ୟୁରୋ : ନିଜର ଚାକିରୀକାଳରେ ସମ୍ପତ୍ତିର ହିସାବ ଦେଇନାହାନ୍ତି ଅତିରିକ୍ତ ଏସପି ତ୍ରିନାଥ ମିଶ୍ର । ତ୍ରିନାଥ ମିଶ୍ରଙ୍କ ଘରୁ ଆୟ ବର୍ହିଭୂତ ସମ୍ପତ୍ତି ମିଳିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଏହାପରେ ତାଙ୍କୁ ଆଜି ଚାକିରୀରୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଏପରିକି ରାଜ୍ୟ ବାହାରେ ବି ତାଙ୍କର ବ୍ୟାଙ୍କ ଆକାଂଉଟ ଥିବା ଜଣାପଡିଛି । ଦିଲ୍ଲୀ ଓ ପୁନେରେ ଏହି ବ୍ୟାଙ୍କ ଆକାଂଉଟ ଥିଲା ।

ମିଳିଥିବା ଖବର ଅନୁସାରେ, ଏହି ଦୁଇଟି ଆକାଂଉଟର ଖୋଳତାଡ ପାଇଁ ଏହି ବ୍ୟାଙ୍କକୁ ମେଲ କରିଛି ଭିଜିଲାନ୍ସ । ଗତ ସପ୍ତାହରେ ଚଢାଉ ବେଳେ କୋଟିଏରୁ ଅଧିକ ଟଙ୍କାର ବିଏମଡବ୍ଲ୍ୟୁ କାର, ହୁଣ୍ଡାଇ କାର, ମାରୁତି ବାଲେନୋ କାର, ସେଭ୍ରୋଲେ କାର ଥିବା ଜଣାପଡିଥିଲା । ସେହିପରି ସେ ଚଢୁଥିଲେ ରକେଟ୍ ଥ୍ରୀ ବାଇକ୍ । ଯାହାର ମୂଲ୍ୟ ୨୨ ଲକ୍ଷ ଟଙ୍କା । ଏଥିସହ ୨୦ ଲକ୍ଷ ଟଙ୍କାର ସୁପର ବାଇକ ରକେଟ୍ ୩.୫ ଲକ୍ଷ ୩୦ ହଜାର ଟଙ୍କାର ୬୫୦ ହାଇସଙ୍ଗ ଜିଟି ବାଇକ୍, ରୟାଲ ଏନଫିଲ୍ଡ ବାଇକ୍ ଜବତ ହୋଇଛି ।

ରାଜକୀୟ ଜୀବନ ବିତାଉଥିବା ତ୍ରିନାଥଙ୍କ କୁକୁର ପାଳିବାର ସଉକ ବି ଥିଲା । ନଖରା ସ୍ଥିତ ବାସଭବନରେ ଫ୍ରେଂଚ ମ୍ୟାସଟିଫ ପ୍ରଜାତିର ଦୁଇଟି ଦାମୀ କୁକୁର ଥିବା ଦେଖିବାକୁ ମିଳିଥିଲା । ଯାହାର ମୂଲ୍ୟ ଦେଢ଼ ଲକ୍ଷରୁ ଅଧିକ ହେବ ବୋଲି କୁହାଯାଉଛି । ସେପଟେ, ତ୍ରିନାଥ ମିଶ୍ରଙ୍କୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାକିରୀରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ବିଭିନ୍ନ ସ୍ତରରୁ ଅଭିଯୋଗ ଆସିବା ପରେ କଟକ, ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର ଓ ନବରଂଗପୁର ଆଦି ଜିଲ୍ଲାର ୧୧ଟି ସ୍ଥାନରେ ଥିବା ତାଙ୍କର ବିଭିନ୍ନ ସମ୍ପତ୍ତି ଉପରେ ଏକାସମୟରେ ତଲାସୀ କରାଯାଇଥିଲା । ଏହି ତଲାସୀରୁ ବିପୁଳ ପରିମାଣରେ ସମ୍ପତ୍ତି ଥିବାର ଜଣାଯାଇଥିଲା । ତାଙ୍କ ପାଖରୁ ସମୁଦାୟ ପ୍ରାୟ ୯ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମିଳିଥିଲା। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୫୨ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି ।