କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ପୁଣି ଜଣେ ବଡ଼ ଅଧିକାରୀ । ପୋଲିସ କମ୍ୟୁନିକେସନର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଘର ଓ ଅଫିସ୍ ସମେତ ୧୧ଟି ସ୍ଥାନରେ ଚଢାଉ କରାଯାଉଛି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ୱର ମନୋରମା ଇଷ୍ଟେଟରେ ଥିବା ଫ୍ଲାଟ, ନବରଙ୍ଗପୁର ଡାବୁଗାଁରେ ଥିବା ଘର, ଯାଜପୁର ବଡଚଣାରେ ଥିବା ଶ୍ୱଶୂର ଘର, ଯାଜପୁର ତେଲିଗଡ଼ରେ ଥିବା ଶାନ୍ତିଲତା ଫାର୍ମ ହାଉସରେ ରେଡ୍ କରାଯାଉଛି ।

Advertisment

ଧାନମଣ୍ଡଳରେ ଥିବା ଶାନ୍ତିଲତା କେୟାର ଆଣ୍ଡ ନର୍ସିଂ ହୋମ୍ ଏବଂ ଔଷଧ ଦୋନାକରେ ଚଢାଉ କରୁଛି ଭିଜିଲାନ୍ସ । ଏହା ସହ ନର୍ସିଂ ହୋମ୍ ନିକଟରେ ଥିବା ଶାନ୍ତିଲତା ଟ୍ରାନ୍ସପୋର୍ଟରେ ମଧ୍ୟ ରେଡ୍ କରାଯାଉଛି । ଜଗତସିଂହପୁରରେ ଥିବା ତ୍ରିନାଥ ମିଶ୍ରଙ୍କ ଡ୍ରାଇଭର ରାଜୀବ ମହାନ୍ତିଙ୍କ ଘରେ ମଧ୍ୟ ଚଢାଉ ଚାଲିଛି । କଟକ ମହାନଦୀ ବିହାରରେ ତ୍ରିନାଥ ମିଶ୍ରଙ୍କ ଦୁଇ ପୁଅ ତୁଷାର ମିଶ୍ର ଓ ତରୁଣ ମିଶ୍ରଙ୍କ ନାଁରେ ଏକ ଔଷଧ ଉତ୍ପାଦନ ୟୁନିଟ୍ ରହିଛି । ସେଠାରେ ମଧ୍ୟ ରେଡ୍ କରୁଛି ଭିଜିଲାନ୍ସ । ଏହା ସହ କଟକ ତୁଳସୀପୁରରେ ଥିବା ସିଗ୍ନାଲ ଏସ୍ପି ଅଫିସ୍ ଓ ମଧୁପାଟଣା ପୋଲିସ କ୍ୟାମ୍ପସରେ ଥିବା ସରକାରୀ ବାସଭବନରେ ଭିଜିଲାନ୍ସ ରେଡ୍ କରୁଛି ।

ତ୍ରିନାଥ ମିଶ୍ରଙ୍କ ପତ୍ନୀଙ୍କ ନାଁରେ ଏକ ବିଏମଡବ୍ଲ୍ୟୁ ରହିଛି । ଏହି ଗାଡିକୁ ଭିଜିଲାନ୍ସ ଜବତ କରିଥିବା ସୂଚନା ମିଳିଛି । ଚଢାଉରେ ୩ ଜଣ ଆଡିସିନାଲ ଏସ୍ପି, ୧୦ ଜଣ ଡିଏସ୍ପି, ୧୩ ଜଣ ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି । ୩ ଘଂଟା ରେଡରେ ୩ କୋଟି ଟଙ୍କାର ସମ୍ପତି ଠାବ ହୋଇଥିବା ସୂଚନା ମିଳିଛି । ତ୍ରିନାଥ ମିଶ୍ର କମିଶନରେଟ୍ ପୋଲିସରରେ ଦୀର୍ଘ ଦିନ ଧରି କାର୍ଯ୍ୟରତ ଥିଲେ । ବିଭିନ୍ନ ଥାନାରେ ଆଇଆଇସି, ଜୋନ୍ ଏସିପି ଓ ଆଡିସିନାଲ ଡିସିପି ଭାବେ କାର୍ଯ୍ୟ କରିଛନ୍ତି ।