ଭିଜିଲାନ୍ସ ସ୍କାନରରେ ଆଇଏଫଏସ୍ ଅଫିସର ଅଭୟକାନ୍ତ ପାଠକ : ବିପୁଳ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଥିବା ସୂଚନା

୧୫୦ ଭିଜିଲାନ୍ସ ଅଧିକାରୀ ଏହି ଚଢ଼ାଉରେ ସାମିଲ; ପ୍ରଶ୍ନ ଉଠୁଛି ଏତେ ସମ୍ପତ୍ତି ଆସିଲା କୁଆଡ଼ୁ ?

329

କନକ ବ୍ୟୁରୋ : ଭିଜିଲାନ୍ସ ସ୍କାନରରେ ଆଇଏଫଏସ୍ ଅଫିସର ଅଭୟକାନ୍ତ ପାଠକ । ଓଡିଶା ସମେତ ମହାରାଷ୍ଟ୍ର ଓ ବିହାରର ଏକାଧିକ ସ୍ଥାନରେ ଚାଲିଛି ଏକକାଳିନ ଚଢ଼ାଉ । ଓଡିଶାର ୫ଟି ସ୍ଥାନରେ, ମହାରାଷ୍ଟ୍ରର ୭ଟି ସ୍ଥାନରେ ଓ ବିହାରର ପାଟଣା ଓ ରାଜସ୍ଥାନର ଉଦୟପୁରରେ ଚଢ଼ାଉ କରୁଛି ଭିଜିଲାନ୍ସ । ୧୫୦ ଭିଜିଲାନ୍ସ ଅଧିକାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି । ଭୁବନେଶ୍ୱର ବାସଭବନକୁ ସିଲ୍ କରି ଚଢ଼ାଉ କରୁଛନ୍ତି ଅଧିକାରୀ । ସେ ୧୯୮୭ ମସିହା ବ୍ୟାଚର ଆଇଏଫଏସ୍ । ତାଙ୍କ ବିରୋଧରେ କୋଟି କୋଟି ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଥିବାର ଅଭିଯୋଗ ରହିଛି । ଅଭୟଙ୍କ ଡ୍ରାଇଭରଙ୍କ ପିପିଲି ସ୍ଥିତ ଘରେ ମଧ୍ୟ ଭିଜିଲାନ୍ସ ରେଡ୍ କରିଛି ।

ଏହି ବରିଷ୍ଠ ଆଇଏଫଏସ୍ ଅଧିକାରୀଙ୍କ ଘରେ ଚଢ଼ାଉ ସମୟରେ ଯାହା ସାମନାକୁ ଆସିଛି ସେସବୁ ଦେଖି ଭିଜିଲାନ୍ସ ଅଧିକାରୀଙ୍କ ଆଖି ଖୋସି ହୋଇଯାଇଛି । ଘର ଆଗରେ ଧାଡି ଧାଡି ହୋଇ ଠିଆ ହୋଇଛି ଦାମି କାର । ଆପଣଙ୍କ ଟିଭି ସ୍କ୍ରିନରେ ଥିବା ଏହି ଦୃଶ୍ୟକୁ ଦେଖନ୍ତୁ କିଭଳି ଲମ୍ବ ହୋଇ ଛିଡା ହୋଇଛି ଟାଟା ହ୍ୟାରିୟର, ମର୍ସିଡିଜ୍ ସାଙ୍ଗକୁ ଟାଟା ସୁମୋ ଭଳି ଦାମି କାର । ପ୍ରଶ୍ନ ଉଠୁଛି ଏହି ଅଧିକାରୀଙ୍କ ଘର ଆଗରେ ଥିବା ଏହି ଗାଡି ଗୁଡିକ କାହାର ।

ଲକଡାଉନ ସମୟରେ ଅଭୟ ପାଠକ ୨୦ ଥର ଚାର୍ଟର ପ୍ଲେନ୍ ବ୍ୟବହାର କରି ଦେଶର ବିଭିନ୍ନ ସ୍ଥାନକୁ ଯାଇଥିଲେ । ଯାହା ଜଣାପଡିବା ପରେ ସ୍କାନରରେ ଥିଲେ ଏହି ବରିଷ୍ଠ ଅଧିକାରୀ । ଏପରିକି ତାଙ୍କ ଉପରେ ନଜର ରଖିବାକୁ କେନ୍ଦ୍ର ପକ୍ଷରୁ ରାଜ୍ୟକୁ କୁହାଯାଇଥିବା ଜଣାପଡିଛି । ପାଠକଙ୍କ ସହ ତାଙ୍କ ପୁଅ ଆକାଶ କୁମାର ପାଠକ ମଧ୍ୟ ଚାର୍ଟର ପ୍ଲେନରେ ଯାଇଥିବା ଜଣାପଡିଛି । ଅଭୟ ପାଠକଙ୍କ ଅତି ବିଳାସ ବ୍ୟସନ ଜୀବନଯାପନ କରୁଥଲେ । ଜଣେ ସରକାରୀ ଅଧିକାରୀ ହୋଇ ମଧ୍ୟ ବ୍ୟକ୍ତିଗତ ବଡିଗାର୍ଡ ରଖିଥିଲେ ।

କେବଳ ଏତିକି ନୁହେଁ ଅଭୟଙ୍କ ପୁଅ ମଧ୍ୟ ବାପାଙ୍କ ଟଙ୍କାରେ ବେଶ ବିଳାସ ବ୍ୟସନରେ ଜୀବନ କାଟୁଥିବା ସାମନାକୁ ଆସିଛି । ପୁଅ ରାଜ୍ୟ ବାହାରେ ଘର ଭଡା ଓ ଫାର୍ମା ହାଉସ ଭଡାରେ ନେଇଥିଲେ । ଏଥିପାଇଁ ତାଙ୍କୁ ମାସିକ ଭଡା ବାବଦକୁ ମାସିକ ପ୍ରାୟ ୮ ଲକ୍ଷ ଟଙ୍କା ଦେବାକୁ ପଡୁଥିଲା । ତେଣୁ ପ୍ରଶ୍ନ ଉଠୁଛି ସେ କେଉଁଠୁ ଏତେ ଟଙ୍କା ଆଣୁଥିଲେ ।