କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଜିଏସଟି ଅତିରିକ୍ତ କମିଶନର । ସରକାରୀ ଟିକସ ହେରଫେର ଅଭିଯୋଗରେ ଯାଜପୁର ସିଟି ଆଣ୍ଡ ଜିଏସଟି ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ବିନୟ ଜଣେ ଡିଲରଙ୍କ ଠାରୁ ଜବତ ଗାଡ଼ି ସ୍କ୍ରାପକୁ ଅନ୍ୟତ୍ର ବିକ୍ରି କରିଥିବା ଅଭିଯୋଗ ହୋଇଛି । ପ୍ରାୟ ୫ ଲକ୍ଷ ୮୫ ହଜାର ଟଙ୍କାର ରାଜସ୍ୱ ହେରଫେର କରିଥିବା ଜଣାପଡ଼ିବା ପରେ ଛାନଭିନ କରୁଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ୱର, ଖୋର୍ଦ୍ଧା ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଜାରି ରହିଛି । ଭୁବନେଶ୍ୱର ୟୁନିଟ-୨ରେ ଥିବା କ୍ୱାର୍ଟର, ଉତ୍ତରାରେ ଥିବା ଫ୍ଲାଟ୍, ଖୋର୍ଦ୍ଧା ନିରାକାରପୁର ପଦ୍ମପରରେ ଥିବା ପୈତୃକ ଘର, ଫାର୍ମ ହାଉସ୍, କେନ୍ଦ୍ରାପଡ଼ା ପାଟକୁରା ଜଦୁପୁରରେ ଚଢ଼ାଉ ଜାରି ରହିଛି । ୧୪ ଜଣ ଇନସ୍ପେକ୍ଟରଙ୍କ ସହ ୨୫ରୁ ଅଧିକ କର୍ମଚାରୀ ଏହି ଚଢ଼ାଉରେ ସାମିଲ ଥିବା ଜଣାପଡ଼ିଛି ।