‘ଆଇ ଆମ ସରି’ ! ମୃତ୍ୟୁ ପୂର୍ବରୁ ମାଙ୍କ ନିକଟକୁ ନିକିତାଙ୍କ ଶେଷ ମେସେଜ?

4,222

କନକ ବ୍ୟୁରୋ : ସନ୍ଦେହଘେରରେ ଅଡଶପୁର ସ୍ୱଂୟଶାସିତ କଲେଜ ଛାତ୍ରୀ ମୃତ୍ୟୁ । ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀ ନିକିତା ମୁଦୁଲିଙ୍କ ମୃତ୍ୟୁର ପାରିପାଶ୍ୱର୍ିକ ପରିସ୍ଥିତିକୁ ଦେଖି ତାଙ୍କ ମା କହିଛନ୍ତି, ଝିଅକୁ ହତ୍ୟା କରାଯାଇଛି । ଏନେଇ ସେ ଥାନାରେ ଅଭିଯୋଗ କରିବା ସହ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବାକୁ ଦାବି କରିଛନ୍ତି ।

ଅଡଶପୁର ସ୍ୱୟଂଶାସିତ କଲେଜର ଯୁକ୍ତ ୩ ପ୍ରଥମବର୍ଷର ଛାତ୍ରୀ ନିକିତା ମୁଦୁଲିଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଛି । ଗତ ୨୨ ତାରିଖ ଦିନ ମନ୍ଦାକିନି ଛାତ୍ରୀନିବାସର ରୁମରେ ମିଳିଛି ନିକିତାଙ୍କ ମୃତଦେହ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନିକିତାଙ୍କ ଶରୀର ଝୁଲୁଥିବା ବେଳେ ପାଦ ଦୁଇଟି ତଳେ ଲାଗି ରହିଥିଲା । ତେଣୁ ଏହା ଆତ୍ମହତ୍ୟା ନା ହତ୍ୟା ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ନିକିତାଙ୍କ ମା ବି ଅଭିଯୋଗ କରିଛନ୍ତି ଏହା ଆତ୍ମହତ୍ୟା ନୁହେଁ ବରଂ ନିକିତାଙ୍କୁ ହତ୍ୟା କରାଯାଇଛି ।

ନିକିତାଙ୍କ ଫୋନରୁ ୨୧ ତାରିଖ ରାତି ପ୍ରାୟ ୩ଟା ୨୫ ବେଳେ ତାଙ୍କ ମାଙ୍କ ନିକଟକୁ ଆସିଥିଲା ମେସେଜ । ଯେଉଁଥିରେ ଲେଖାଥିଲା ଆଇ ଆମ ସରି । ଏହି ମେସେଜର ଜବାବ ଦେବା ପରେ ଆଉ ରିପ୍ଲାଇ ଆସିନଥିଲା । ଆଉ ବ୍ୟସ୍ତବିବ୍ରତ ହୋଇ ନିକିତାଙ୍କ ବାପା ହଷ୍ଟେଲରେ ପହଂଚିବା ବେଳକୁ ଜାଣିବାକୁ ପାଇଥିଲେ ନିକିତାଙ୍କ ମୃତ୍ୟୁ ହୋଇସାରିଛି । ଆଉ ଏହି ଖବର ପାଇ ହତବାକ ହୋଇଯାଇଥିଲେ ନିକିତାଙ୍କ ବାପା । ଅନ୍ୟ ପକ୍ଷରେ ମନ୍ଦାକିନି ହଷ୍ଟେଲର ସୁପରିଟେଣ୍ଡଂଟ କହିଛନ୍ତି, ନିକିତାଙ୍କ ବାପା ହଷ୍ଟେଲକୁ ଫୋନ କରି ନିକିତାଙ୍କ ବିଷୟରେ ପଚାରିବା ପରେ ସେ ଏହି ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ ।

ମିଳିଥିବା ସୂଚନା ଅନୁସାରେ ପୂର୍ବରୁ ଏହି କଲେଜର ୪ଜଣ ଛାତ୍ରୀ ପ୍ରାଣ ହରାଇସାରିଛନ୍ତି । ଆଉ ଏବେ ନିକିତାଙ୍କ ମୃତ୍ୟୁ ପଛର ରହସ୍ୟ ଖୋଜିବାକୁ ଦାବି କରିଛନ୍ତି ନିକିତାଙ୍କ ପରିବାର ଲୋକେ ।