ଆଦିବାସୀ ଗାଁର ଅଙ୍ଗନୱାଡି କେନ୍ଦ୍ର । ନାଚଗୀତରେ ଚାଲିଛି ପିଲାଙ୍କୁ ପାଠପଢା, ଆକୃଷ୍ଟ କରୁଛି କାନ୍ଥରେ ଅଙ୍କାଯାଇଥିବା ଭଳି କି ଭଳି ଚିତ୍ର ।

562

କନକ ବ୍ୟୁରୋ : ଅଙ୍ଗନୱାଡି କେନ୍ଦ୍ରକୁ ନେଇ ଅନେକ ନକରାତ୍ମକ ଚିତ୍ର ଦେଖିବାକୁ ମିଳିଛି । କେଉଁଠି ଗଛ ତଳେ ଅଙ୍ଗନୱାଡି କେନ୍ଦ୍ର ଚାଲୁଥିବାର ଦୃଶ୍ୟ ଆସେ, ତ କେଉଁଠି ଭଙ୍ଗା-ଦଦରା ଘରେ । ମାତ୍ର ମାଲକାନଗିରିର ଆଦିବାସୀ ଗାଁରେ ଏଭଳି ଏକ ଅଙ୍ଗନୱାଡି କେନ୍ଦ୍ରର ଚିତ୍ର ଏବେ ଆସିଛି ଯାହା ସହରର କୌଣସି ପ୍ଲେ ସ୍କୁଲ୍ ଠାରୁ କିଛି କମ୍ ନୁହେଁ । ଶିଶୁଙ୍କୁ ଅଙ୍ଗନୱାଡି କେନ୍ଦ୍ର ଆଡକୁ ଆକୃଷ୍ଟ କରିବା ପାଇଁ ଏଭଳି ଏକ ନିଆରା ପ୍ରୟାସ କରାଯାଇଛି ।

ଆଦିବାସୀ ଗାଁର ଅଙ୍ଗନୱାଡି କେନ୍ଦ୍ର । ପିଲାଙ୍କୁ ଆକୃଷ୍ଟ କରେ ଭଳି କି ଭଳି ଚିତ୍ର । ଆଦିବାସୀ ପିଲାଙ୍କ ପାଇଁ ଆକର୍ଷଣୀୟ ଅଙ୍ଗନୱାଡି କେନ୍ଦ୍ର । ଗାଁର ଅଙ୍ଗନୱାଡି କେନ୍ଦ୍ରର ଅନୁଭୂତି ସହରାଞ୍ଚଳର ପ୍ଲେ ସ୍କୁଲ ଠାରୁ କୌଣସି ଗୁଣରେ କମ୍ ନୁହେଁ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଧଉଡାଗୁଡା ଗାଁରେ ଥିବା ଏହି ଅଙ୍ଗନୱାଡି କେନ୍ଦ୍ର ଆଖପାଖ ଅଂଚଳରେ ଏକ ଉଦାହରଣ ସୃଷ୍ଟି କରିଛି । କାନ୍ଥରେ ଭଳି କି ଭଳି ଚିତ୍ର ସହ ଆକର୍ଷଣୀୟ ବାତାବରଣ, ସ୍ୱଚ୍ଛ ପରିବେଶ ଏହି ଅଙ୍ଗନୱାଡି କେନ୍ଦ୍ରକୁ କରିଛି ମଡେଲ୍ କେନ୍ଦ୍ର । ଅଙ୍ଗନୱାଡି କେନ୍ଦ୍ରକୁ ଯାଉନଥିବା ଆଦିବାସୀ ପିଲାମାନଙ୍କୁ ଆକୃଷ୍ଟ କରିପାରିଛି ଏହି ମଡେଲ୍ ସ୍କୁଲ୍ ।

ମଜାମଜଲିସ୍ରେ ଦିଦିଙ୍କ ସହ ମାତିଯାଇଛନ୍ତି ପିଲା । ନାଚଗୀତରେ ଚାଲିଛି ମଡେଲ କେନ୍ଦ୍ରରେ ପାଠପଢା । ଯାହାକୁ ଦେଖି ବିଶ୍ୱାସ ହେବନି ଯେ, ଏହା ଏକ ଆଦିବାସୀ ଅଂଚଳର ଅଙ୍ଗନୱାଡିର ଦୃଶ୍ୟ । ପ୍ରଶାସନ ତରଫରୁ କେନ୍ଦ୍ରରେ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି । ଖେଳ ସାମଗ୍ରୀ ଦେବା ସହିତ ପ୍ରତିଦିନ ସ୍ୱାଦିଷ୍ଟ ଓ ପୃଷ୍ଟିକର ଖାଦ୍ୟ ପରସା ଯାଉଛି । ଆଦିବାସୀ ପିଲାଙ୍କୁ ପ୍ରାଥମିକ ଶିକ୍ଷା ପ୍ରଦାନ କରିବା ସହ ପୁଷ୍ଟିକର ଖାଦ୍ୟ ଦେବା ପାଇଁ ଅଭିନବ ମଡେଲ ଅଙ୍ଗନୱାଡି କେନ୍ଦ୍ର କରିଛି ପ୍ରଶାସନ ।