ଇତିହାସ ସୃଷ୍ଟି କଲା ଆଦର୍ଶ ବିଦ୍ୟାଳୟ : ଦେଶର ଶ୍ରେଷ୍ଠ ୫ ସ୍କୁଲ ମଧ୍ୟରେ ଓଡ଼ିଶାରୁ ୨

1,245

କନକ ବ୍ୟୁରୋ : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଦ୍ୱାରା ପରିଚାଳିତ ବିଦ୍ୟାଳୟଗୁଡ଼ିକ ଦେଶରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଏଜୁକେସନ ୱାଲ୍‌ର୍ଡ ଇଣ୍ଡିଆ ସ୍କୁଲ ରୢା‌ଙ୍କିଙ୍ଗ୍‌ରେ ଓଡ଼ିଶାର ଦୁଇଟି ଆଦର୍ଶ ବିଦ୍ୟାଳୟ ଯଥା ଗଞ୍ଜାମ ଜିଲ୍ଲାର ହାତୀଓଟା ଓ ବଲାଙ୍ଗୀର ଜିଲ୍ଲାର ପଥରଚେପା ଆଦର୍ଶ ବିଦ୍ୟାଳୟ ବିଭିନ୍ନ ବର୍ଗର ଶ୍ରେଷ୍ଠ ୫ ସ୍କୁଲ ମଧ୍ୟରେ ସ୍ଥାନ ପାଇଛନ୍ତି । ପ୍ରଥମ ଥର ପାଇଁ ଜାତୀୟ ଲିଗ୍‌ ଟେବୁଲ୍‌ରେ ପ୍ରବେଶ କରି ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ତଥା ଗ୍ରାମାଞ୍ଚଳର ଏହି ଦୁଇ ବିଦ୍ୟାଳୟ ଇତିହାସ ସୃଷ୍ଟି କରିଛନ୍ତି ।

ଏଭଳି ସଫଳତା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ସୂଚନା ଦେଇଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା କ୍ଷେତ୍ରରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ସର୍ବଭାରତୀୟ ସ୍କୁଲ ରୢାଙ୍କିଙ୍ଗ୍‌-୨୦୨୦ର ଶ୍ରେଷ୍ଠ ବିଦ୍ୟାଳୟଗୁଡ଼ିକ ମଧ୍ୟରେ ଓଡ଼ିଶାର ଦୁଇଟି ଆଦର୍ଶ ବିଦ୍ୟାଳୟ ସ୍ଥାନ ପାଇଛି । ଅତ୍ୟାଧୁନିକ ଶିକ୍ଷା ଭିତ୍ତିଭୂମି ବିକାଶ ସହ ଶିକ୍ଷାର ମାନ ବୃଦ୍ଧି କରି ଓଡ଼ିଶା ସମଗ୍ର ଦେଶରେ ନୂଆ ଆଦର୍ଶ ସୃଷ୍ଟି କରିପାରିଛି। ସରକାରୀ ଡେ’ ସ୍କୁଲ ବର୍ଗର ଶ୍ରେଷ୍ଠ ୧୦ଟି ସ୍ଥାନରେ ଦେଶର ୧୫ଟି ସରକାରୀ ବିଦ୍ୟାଳୟ ରହିଛନ୍ତି ।
ଗଞ୍ଜାମ ଜିଲ୍ଲା ହାତୀଓଟା ଆଦର୍ଶ ବିଦ୍ୟାଳୟ ସହ ଦିଲ୍ଲୀ ସେକ୍ଟର ୧୧ର ରାଜକିୟା ପ୍ରତିଭା ବିକାଶ ବିଦ୍ୟାଳୟ ଯୁଗ୍ମ ଭାବେ ୫ମ ସ୍ଥାନରେ ରହିଛନ୍ତି । ପ୍ରଥମ ସ୍ଥାନରେ ଥିରୁଅନନ୍ତପୁରମ୍‌ର ପାଟ୍ଟାମସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ, ଦ୍ୱିତୀୟରେ ଦିଲ୍ଲୀ ସେକ୍ଟର ୧୦ରେ ଥିବା ରାଜକିୟା ପ୍ରତିଭା ବିକାଶ ବିଦ୍ୟାଳୟ, ତୃତୀୟ ସ୍ଥାନରେ ଆଇଆଇଟି ମାଦ୍ରାସର କେନ୍ଦ୍ରୀୟ ବିଦ୍ୟାଳୟ ଓ କାଜିକୋଡସ୍ଥିତ ଜିଭିଏଚ୍‌ଏସ୍‌ଏସ୍‌ ଫର୍‌ ଗ୍ରାଲ୍ସ୍‌ ଯୁଗ୍ମ ଭାବେ ରହିଛନ୍ତି। ୪ର୍ଥ ସ୍ଥାନରେ ଆଇଆଇଟି ବମ୍ବେର କେନ୍ଦ୍ରୀୟ ବିଦ୍ୟାଳୟ ରହିଛି। ଏହି ବର୍ଗର ଲିଗ୍‌ ଟେବୁଲ୍‌ ନଭେମ୍ବର ୧୮ରେ www.educationworld.in ୱେବସାଇଟ୍‌ରେ ଉପଲବ୍ଧ ହେବ।

ଦେଶର ଶ୍ରେଷ୍ଠ ୫ଟି ସରକାରୀ ବୋର୍ଡିଂ(ଆବାସିକ) ସ୍କୁଲ ମଧ୍ୟରେ ଓଡ଼ିଶାର ବଲାଙ୍ଗୀର ଜିଲ୍ଲା ପଥରଚେପା ଆଦର୍ଶ ବିଦ୍ୟାଳୟ ସ୍ଥାନ ପାଇଛି। ଶିକ୍ଷକ କଲ୍ୟାଣ ଓ ବିକାଶ, ଏକାଡେମିକ୍‌ ପ୍ରତିଷ୍ଠା, ଶିକ୍ଷକ ଦକ୍ଷତା, ନେତୃତ୍ବ, ଭିତ୍ତିଭୂମି, ଜୀବନ କୌଶଳ ସହ ପାଠ୍ୟକ୍ରମ ଓ କ୍ରୀଡ଼ା ଶିକ୍ଷା ପରି ୧୪ଟି ପାରାମିଟରକୁ ବିଚାରକୁ ନିଆଯାଇଥିଲା । ଏହି ବିଦ୍ୟାଳୟ ବିହାରର ଜାମୁଇସ୍ଥିତ ସିମୁଲ୍‌ତଳା ଆଶ୍ୱିୟା ବିଦ୍ୟାଳୟ ସହ ଯୁଗ୍ମ ଭା‌ବେ ୧୫୦୦ରୁ ୧୧୩୬ ମାର୍କ ହାସଲ କରିଛି । ଶିକ୍ଷକଙ୍କ କଲ୍ୟାଣ ଓ ବିକାଶ ବର୍ଗରେ ୧୨୫ରୁ ୧୦୩, ଶିକ୍ଷକଙ୍କ କାର୍ଯ୍ୟ ଦକ୍ଷତା ବର୍ଗରେ ୨୦୦ରୁ ୧୬୪, ଏକାଡେମିକ୍‌ ଖ୍ୟାତି ପାଇଁ ୧୫୦ରୁ ୧୩୨, କୋ-କରିକ୍ୟୁଲାର ଶିକ୍ଷା ଲାଗି ୧୦୦ରୁ ୭୧, କ୍ରୀଡ଼ା ଶିକ୍ଷାରେ ୧୦୦ ମାର୍କରୁ ୬୫, ପାଠ୍ୟସୂଚୀ ଓ ଶିକ୍ଷା ବିଜ୍ଞାନରେ ୧୫୦ରୁ ୧୦୧, ଛାତ୍ରଛାତ୍ରୀଙ୍କ ମନୋଯୋଗ ଲାଗି ୧୦୦ରୁ ୬୮, ନେତୃତ୍ୱ ଓ ପରିଚାଳନା ପାଇଁ ୧୨୦ରୁ ୧୦୨ ।

ଅଭିଭାବକଙ୍କ ଜଡ଼ିତ ‌ହେବା ଲାଗି ୯୦ରୁ ୬୫, ଭିତ୍ତିଭୂମି ଲାଗି ୧୦୦ରୁ ୭୬, ଅନ୍ତର୍ଜାତୀୟତା ପାଇଁ ୫୦ରୁ ୨୫, ସ୍ୱତନ୍ତ୍ର ଆବଶ୍ୟକତା ଶିକ୍ଷା ଲାଗି ୭୫ରୁ ୪୬, ଭ୍ୟାଲୁ ଫର୍‌ ମନି ଲାଗି ଥିବା ୮୦ ମାର୍କରୁ ୭୩ ଓ କମ୍ୟୁନିଟି ସର୍ଭିସ୍‌ ପାଇଁ ଥିବା ୬୦ ମାର୍କରୁ ୪୫ ମାର୍କ ହାସଲ କରିଛି । କେରଳର ଚେନ୍ନିଥାଲାସ୍ଥିତ ଜେଏନ୍‌ଭି ୧୧୮୭, ସୁନିପାଟରେ ଥିବା ମୋତିଲାଲ୍‌ ନେହେରୁ ସ୍କୁଲ ଅଫ୍‌ ସ୍ପୋର୍ଟ୍ସ ୧୧୭୯, ବେଙ୍ଗାଲୁରୁ ଅର୍ବାନ୍‌ସ୍ଥିତ ଜେଏନ୍‌ଭି ୧୧୬୨, ଡେରାଡୁନ୍‌ସ୍ଥିତ ଓକ ଗ୍ରୋଭ୍‌ ସ୍କୁଲ ୧୧୪୨ ମାର୍କ ରଖି ଯଥାକ୍ରମେ ପ୍ରଥମ ୪ଟି ସ୍ଥାନରେ ରହିଛନ୍ତି। ଏଭଳି ଉଲ୍ଲେଖନୀୟ ସଫଳତା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ତଥା କାର୍ଯ୍ୟକାରୀ ସଭାପତି ବିଜୟ କୁମାର ସାହୁ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।