ସେରମ୍ ଇନଷ୍ଟିଚ୍ୟୁଟରେ ଅଗ୍ନିକାଣ୍ଡ ଘଟଣା । ପ୍ରଭାବିତ ହେବନି ଟିକା ଉତ୍ପାଦନ । ସୂଚନା ଦେଲେ ସିଇଓ ଆଦର ପୁନାୱାଲା

79

କନକ ବ୍ୟୁରୋ: ସେରମ ଇନଷ୍ଟିଚ୍ୟୁଟରେ ହୋଇଥିବା ଅଗ୍ନିକାଣ୍ଡ ଦ୍ୱାରା ପ୍ରଭାବିତ ହେବନି କୋଭିସିଲ୍ଡ ଟିକା ଉତ୍ପାଦନ । ଏନେଇ ସୂଚନା ଦେଇଛନ୍ତି ସେରମ୍ ମୁଖ୍ୟ ଅଦାର ପୁନାୱାଲା । ସେ କହିଛନ୍ତି ଯେ, ନିଆଁ ଲାଗିଥିବା ଯୋଗୁଁ କମ୍ପାନୀକୁ ଆର୍ଥିକ କ୍ଷତି ହୋଇଥିଲେ ମଧ୍ୟ କୋଭିସିଲ୍ଡ ଟିକା ଉତ୍ପାଦନରେ ଏହାର କୌଣସି ପ୍ରଭାବ ପଡିବନି ।

ଗୁରୁବାର ଦିନ ଟିକା ପ୍ରସ୍ତୁତ କରୁଥିବା ପୁଣେର  ସିରମ ଇନଷ୍ଟିଚ୍ୟୁଟର ନୂଆ ପ୍ଲାଂଟରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଏହି ଘଟଣାରେ ଇନଷ୍ଟିଚ୍ୟୁଟର ୫ ଜଣ କର୍ମଚାରୀ ପ୍ରାଣ ହରାଇଥିଲେ । ପ୍ଲାଂଟ ଭିତରେ ଏମାନେ ନିର୍ମାଣଧୀନ ଅଟ୍ଟାଳିକାରେ କାମ କରୁଥିଲେ । ଦୁର୍ଘଟଣାସ୍ଥଳରୁ  ୭ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିଲା ।

ଇନଷ୍ଟିଚ୍ୟୁଟର ନୂଆ ଫ୍ଲାଟରେ ଗୁରୁବାର ଦିନ ପ୍ରାୟ ୨ଟା ୩୦ରେ ନିଆଁ ଲାଗିଥିଲା । ତେବେ ଟିକା ପ୍ରସ୍ତୁତ ହେଉଥିବା ପ୍ଲାଂଟରେ ନିଆଁ ଲାଗିନଥିଲା । ଏହାର ଦେଢ କିଲୋମିଟର  ଦୂରରେ ଥିବା ନୂଆ ପ୍ଲାଂଟରେ  ନିଆଁ ଲାଗିଥିଲା । ପ୍ରାୟ ୩ ଶହ କୋଟି ଟଙ୍କାରେ ସେରମର ଏହି ନୂଆ ପ୍ଲାଂଟ ନିର୍ମାଣ  ହୋଇଥିଲା । ଏଠାରୁ  ଟିକା ଉତ୍ପାଦନ କରାଯିବାର ଲକ୍ଷ୍ୟ ଥିଲା । ଗତବର୍ଷ ସ୍ୱାସ୍ଥ୍ୟମନ୍ତ୍ରୀ ଏହି ପ୍ଲାଂଟକୁ ଉଦଘାଟନ କରିଥିଲେ । କିନ୍ତୁ ବର୍ତମାନ ସୁଦ୍ଧା ଏଠାରୁ ଉତ୍ପାଦନ ଆରମ୍ଭ ହୋଇନଥିଲା । ପାଂଚ ମହଲା ବିଶିଷ୍ଟ ଏହି ପ୍ଲାଂଟରୁ ଅଳ୍ପଦିନ ମଧ୍ୟରେ ଟିକା ଉତ୍ପାଦନ ହେବାର ଥିଲା ।  ଅଗ୍ନିକାଣ୍ଡର  ତଦନ୍ତ ପାଇଁ ମହାରାଷ୍ଟ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।