ଦେଶରେ କାହିଁକି ଦେଖାଦେଲା ଭାକ୍ସିନର ଅଭାବ । ଆଦାର ପୁନାୱାଲା କହିଲେ, ମାର୍ଚ୍ଚ ମାସ ସୁଦ୍ଧା ମିଳିଥିଲା କେବଳ ୧୩ କୋଟି ଟିକାର ଅର୍ଡର

512

କନକ ବ୍ୟୁରୋ: ଦେଶରେ ଟୀକାଦାନର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିବା ବେଳେ କୈାଣସି ବି ରାଜ୍ୟରେ ଏହା ଶତ ପ୍ରତିଶତ କାର୍ଯ୍ୟକାରୀ ହୋଇପାରିନାହିଁ । ଟୀକାର ଅଭାବ ଏହା ପଛର ଏକ ପ୍ରମୁଖ କାରଣ ସାଜିଛି । ସେରମ୍ ଇନଷ୍ଟିଚ୍ୟୁଟ ସିଇଓ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଏହା ପଛର ବାସ୍ତବତାକୁ ସାମ୍ନାକୁ ଆଣିଛନ୍ତି ।

ଆଦାର ପୁନାୱାଲା କହିଛନ୍ତି, ଦେଶରେ ରାଜନେତା ଏବଂ ସମୀକ୍ଷକ ଟୀକାର ଅଭାବ ପାଇଁ ସେରମକୁ ଦାୟୀ କରୁଛନ୍ତି । ହେଲେ ସରକାର ହିଁ ଟୀକା ନୀତି ନିର୍ଦ୍ଧାରଣ କରିଥାନ୍ତି ଅର୍ଥାତ୍ ଦେଶରେ ଭ୍ୟାକସିନର ଯେଉଁ ଉତ୍କଟ ଅଭାବ ଦେଖାଦେଇଛି, ସେଥିପାଇଁ କେନ୍ଦ୍ର ଆଡକୁ ପରୋକ୍ଷରେ ଅଙ୍ଗୁଳି ଉଠାଇଛନ୍ତି ପୁନାୱାଲା ।

ଦେଶରେ ଜାନୁଆରୀ ୧୬ରେ ଆରମ୍ଭ ହୋଇଥିଲା ଟୀକାକରଣ । ଏହି ସମୟ ବେଳକୁ କେନ୍ଦ୍ର ସରକାର, ସେରମ ଠାରୁ ୨ କୋଟି ୧୦ ଲକ୍ଷ ଟୀକା ଅର୍ଡର କରିଥିଲା । ଆଉ ମାର୍ଚ୍ଚ ମାସରେ ଯେତେବେଳେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଲା ସେତେବେଳକୁ ଆଉ ୧୧ କୋଟି ଟୀକା କିଣିବାକୁ ସରକାର ନିଷ୍ପତ୍ତି ନେଇଥିଲେ । ଏହି ପରିସଂଖ୍ୟାନ ସ୍ପଷ୍ଟ ଭାବେ ପ୍ରମାଣିତ କରୁଛି, କରୋନା ପାଇଁ ଅମୋଘ ଅସ୍ତ୍ରକୁ ଯଥେଷ୍ଟ ପରିମାଣରେ ମହଜୁଦ ରଖିବାକୁ ଯେଉଁ ଦୂରଦୃଷ୍ଟିର ଆବଶ୍ୟକତା ଥିଲା ସେଥିରେ କେନ୍ଦ୍ର ସରକାରଙ୍କ ଆଡୁ ଯଥେଷ୍ଟ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା ।

ଯେଉଁ ସମୟ ବେଳକୁ ଭାରତ ମାତ୍ର ୧୩ କୋଟି ଟୀକା କିଣିବାକୁ ପ୍ରସ୍ତୁତି କରିଥିଲା ତାର ଢେର ଆଗରୁ ଅନେକ ରାଷ୍ଟ୍ର ନିଜ ପାଖରେ ଯଥେଷ୍ଟ ଟୀକା ରଖିବାକୁ ଆଗୁଆ ଚୁକ୍ତି କରିଦେଇ ସାରିଥିଲେ । ଡିସେମ୍ବର ସୁଦ୍ଧା ଆମେରିକା ନିଜ ଜନସଂଖ୍ୟାର ତୁଳନାରେ ୧୩୯ % ଅଧିକ ଅର୍ଥାତ୍ ପ୍ରାୟ ୪୫ କୋଟି । ଜର୍ମାନୀ ନିଜ ଜନସଂଖ୍ୟା ତୁଳନାରେ ୧୭୪% ଅଧିକ ଅର୍ଥାତ୍ ପ୍ରାୟ ୧୫ କୋଟି । କାନାଡା ନିଜ ଜନସଂଖ୍ୟା ତୁଳନାରେ ୪୧୦% ଅଧିକ ଅର୍ଥାତ୍ ପ୍ରାୟ ୧୬ କୋଟି ଏବଂ ୟୁକେ ନିଜ ଜନସଂଖ୍ୟା ତୁଳନାରେ ୨୯୫% ଅଧିକ ଅର୍ଥାତ୍ ପ୍ରାୟ ୨୦ କୋଟି ଟୀକା ନିଜ ନିକଟରେ ମହଜୁଦ ରଖିବାକୁ ପ୍ରସ୍ତୁତି କରିନେଇଥିଲେ ।

ଆଦାର ପୁନାୱାଲା କହିଛନ୍ତି, ଦେଶରେ ଟୀକାର ଅଭାବ ଆଗାମୀ କିଛି ମାସ ଯାଏଁ ରହିବ । ଜୁଲାଇ ୨୦୨୧ ସୁଦ୍ଧା ସେରମ୍ ମାସକୁ ୧୦ କୋଟି ଟୀକା ଉତ୍ପାଦନ କରୁଥିବ । ବର୍ତ୍ତମାନ ମାସକୁ ୬ ରୁ ୭ କୋଟି ଟୀକା ଉତ୍ପାଦନ ହେଉଛି । ଫାଇନାନସିଆଲ ଟାଇମସକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, ଟୀକା ଉତ୍ପାଦନର କାପାସିଟି ବଢାଯାଇନଥିଲା କାରଣ ଏନେଇ କୈାଣସି ଅର୍ଡର ପୂର୍ବରୁ ଦିଆଯାଇନଥିଲା । ଦେଶରେ ଏବେ କରୋନାର ଦ୍ୱିତୀୟ ଲହରରେ ଦୈନିକ କେସ୍ ୪ ଲକ୍ଷରୁ ଅଧିକ ଆସିସାରିଛି । ଏହାରି ଭିତରେ ନଜର ରହିଛି, ଟୀକା କେବେ ସୁଦ୍ଧା ଯଥେଷ୍ଟ ପରିମାଣରେ ସମସ୍ତଙ୍କ ପାଇଁ ଉପଲବ୍ଧ ହେଉଛି ।