ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ତିନି ଠାକୁର । ଆଜି ଅପରାହ୍ନରେ ଆଡପମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୁରତି

ଆଜି ଆଡପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୁରତି ।

76

କନକ ବ୍ୟୁରୋ: ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀ ଗୁଣ୍ଡିଚାଯାତ୍ରାରେ ବାହାରିଥିବା ତିନି ଠାକୁର ଗୁଣ୍ଡିଚା ମନ୍ଦିର ଆଗରେ ପହିଚଂଛନ୍ତି । ଗତକାଲି ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଛି ରଥଯାତ୍ରା । ଆଜି ଆଡପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୁରତି । ରଥ ଉପରେ ଦାରୁ ଦିଅଁଙ୍କୁ ଦର୍ଶନ କରିଛନ୍ତି ଭକ୍ତବୃନ୍ଦ । ଆଜି ଅପରାହ୍ନ ପର୍ଯ୍ୟନ୍ତ ତିନି ଠାକୁର ରଥ ଉପରେ ରହିବେ । ଅପରାହ୍ନରେ ତିନି ଠାକୁର ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ସମୟ ଚୂଡାନ୍ତ ହୋଇନଥିଲେ ମଧ୍ୟ ଅପରାହ୍ନ ୩ଟାରୁ ୪ଟା ଭିତରେ ଆଡପମଣ୍ଡପକୁ ଚତୁର୍ଦ୍ଧାମୁରତି ବିଜେ କରିପାରନ୍ତି ବୋଲି ଜଣାପଡିଛି ।

ଠାକୁରଙ୍କ ଆଡପ ବିଜେ ପରେ ଦର୍ଶନ ବନ୍ଦ ରହିବ । ପହଣ୍ଡିବିଜେ ପର ଦିନ ଅର୍ଥାତ ଆସନ୍ତାକାଲି ସକାଳ ସାଢେ ୭ଟାରୁ ୮ ଭିତରେ ସାହାଣମେଳା ଦର୍ଶନ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଶରଧାବାଲିରେ ପହଁଚିଛି ତିନି ରଥ, ନନ୍ଦିଘୋଷ, ତାଳଧ୍ୱଜ ଓ ଦେବୀଦଳନ । ନିର୍ଦ୍ଧାରିତ ସମୟ ଅନୁସାରେ ସବୁ ନୀତିକାନ୍ତି ଓ ରଥଟଣା ହୋଇଥିଲା । ଏପରିକି ଅନେକ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଥିଲା । ସକାଳ ସାଢେ ୮ଟାରେ ଆରମ୍ଭ ହୋଇଥିଲା ସୁଦର୍ଶନଙ୍କ ପହଣ୍ଡି । ପରେ ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଓ ଶେଷରେ ଜଗନ୍ନାଥଙ୍କ ପହଣ୍ଡି ହୋଇଥିଲା । ଅନୁକୂଳ ପାଗ ଓ ମଝିରେ ଝିପ୍ ଝିପ୍ ବର୍ଷା, ବଡଦାଣ୍ଡରେ ଏକତ୍ରିତ ହୋଇଥିବା ଲକ୍ଷ ଲକ୍ଷ ଭକ୍ତଙ୍କୁ ଆଶ୍ୱସ୍ତ କରିଥିଲା । ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ଦିବ୍ୟସିଂହ ଦେବ ତିନି ରଥରେ ସୁନା ଖଡିକାରେ ଛେରା ପହଁରା କରିବା ପରେ ପ୍ରାୟ ଦେଢଟାରେ ଚାରମାଳ ଫିଟାଯାଇଥିଲା । ଏହାପରେ ୨ଟା ୧୫ରେ ଆରମ୍ଭ ହୋଇଥିଲା ରଥଟଣା । ଲକ୍ଷ ଲକ୍ଷ ଭକ୍ତଙ୍କ ଉପସ୍ଥିତିରେ ପୁରୀ ବଡଦାଣ୍ଡରେ ଅପୂର୍ବ ଭକ୍ତିମୟ ସୃଷ୍ଟି ହୋଇଥିଲା । ଭକ୍ତ ଓ ଭଗବାନ ଏକାକାର ହୋଇଯାଇଥିଲେ । ପ୍ରଶାସନର କହିବା ଅନୁସାରେ ୮ରୁ ୧୦ ଲକ୍ଷ ଶ୍ରଦ୍ଧାଳୁ ରଥଯାତ୍ରା ଦେଖିବା ପାଇଁ ପୁରୀ ପହଁଚିଥିଲେ । ସନ୍ଧ୍ୟା ହେବା ପୂର୍ବରୁ ଶରଧାବାଲିରେ ଦେବୀଦଳନ ଓ ତାଳଧ୍ୱଜ ରଥ ପହଁଚିଯାଇଥିଲେ । କିଛି ସମୟ ପରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମଧ୍ୟ ପହଁଚିଯାଇଥିଲା ।