ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତି : ଆଜି ବାହାରିବ ଆଡ଼ପ ଅବଢ଼ା; ହେଲେ, କଟକଣା ଯୋଗୁଁ ଦର୍ଶନ କରିପାରିବେ ନାହିଁ ଶ୍ରଦ୍ଧାଳୁ

132

କନକ ବ୍ୟୁରୋ : ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତି । ଜନ୍ମବେଦୀରେ ଶ୍ରୀଜୀଉ ବିଜେ କରିବା ପରେ ଚଳଚଂଚଳ ଗୁଣ୍ଡିଚା ମନ୍ଦିର । ହେଲେ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ ନାହିଁ ଶ୍ରଦ୍ଧାଳୁ । ବିଶ୍ୱାସ ରହିଛି ଆଡପ ମଣ୍ଡପରେ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ । ତେବେ କରୋନା କଟକଣା କାରଣରୁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଡପ ଦର୍ଶନ ବନ୍ଦ ରହିଛି । ଆର୍ଥାତ୍ କୌଣସି ଭକ୍ତ ଆଡପ ଦର୍ଶନ କରିପାରିବେ ନାହିଁ ।

ଜନ୍ମବେଦୀରେ କେବଳ ମହାପ୍ରଭୁଙ୍କ ରୀତିନୀତି ଚାଲିବ । ତେବେ ଆଜିଠାରୁ ଗୁଣ୍ଡିଚା ମନ୍ଦିରରୁ ବାହାରିବ ଆଡପ ଅବଢା । ହେଲେ ଏହା ସୀମିତ ପରିମାଣର ବାହାରିବ । ଯେହେତୁ ଭକ୍ତ ଆସିବା ଉପରେ କଟକଣା ରହିଛି, ତେଣୁ ଆଡପ ଅବଢା କମ୍ କରିବା ପାଇଁ ନିଷ୍ପତି ନେଇଛି ପ୍ରଶାସନ । ଶ୍ରୀମନ୍ଦିର ଅବଢା ଠାରୁ ଏହି ଆଡପ ଅବଢାର ସ୍ୱାଦ ଭିନ୍ନ । ସେଥିପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏହାର ଚାହିଦା କିଛି ଅଲଗା ରହିଥାଏ ।

ଗତକାଲି ଗୋଟି ପହଣ୍ଡିରେ ଆସି ଆଡପ ମଣ୍ଡପକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତି । ପ୍ରଥମେ ରାମକୃଷ୍ଣ ଓ ମଦନମୋହନଙ୍କୁ ନିଆଯାଇଥିଲା । ପରେ ସୁଦର୍ଶନଙ୍କ ପହଣ୍ଡି କରାଯାଇଥିଲା । ରାମକୃଷ୍ଣ, ମଦନମୋହନ ଓ ଚକ୍ରରାଜ ସୁଦର୍ଶନ ଆଡପ ମଣ୍ଡପକୁ ବିଜେ କରିବା ପରେ ରଥାରୁଢ ବଡ ଠାକୁର ଶ୍ରୀବଳଭଦ୍ର, ତାପରେ ଦେବୀ ସୁଭଦ୍ର ଓ ଶେଷରେ ଗୋଟି ପହଁଣ୍ଡିରେ ଆସି ଜନ୍ମବେଦୀକୁ ବିଜେ କରିଥିଲେ କାଳିଆ ସାଆନ୍ତ ।