କନକ ବ୍ୟୁରୋ : ୨୦୨୧ରେ କରୋନା ମହାମାରୀ କାରଣରୁ ଅନେକ ଲୋକ ରୋଜଗାର ହରାଇଥିବା ବେଳେ ଆର୍ଥିକ ଅବସ୍ଥା ମଧ୍ୟ ସେତେଟା ଭଲ ନାହିଁ । ତେବେ କରୋନା କାଳରେ ସମସ୍ତଙ୍କ କ୍ଷେତ୍ରରେ ଏଭଳି ସ୍ଥିତି ଦେଖିବାକୁ ମିଳିନାହିଁ । ବରଂ ଦେଶର ଧନୀ ବ୍ୟକ୍ତିଙ୍କର ସମ୍ପତ୍ତି ଏହି ସମୟରେ ବୃଦ୍ଧି ପାଇଛି । ଭାରତର ଧନୀ କହିଲେ ଅମ୍ବାନୀଙ୍କୁ ବୁଝାଇଥାଏ । କିନ୍ତୁ ୨୦୨୧ରେ ସମ୍ପତ୍ତି ବୃଦ୍ଧିରେ ଅମ୍ବାନୀଙ୍କୁ ପଛରେ ପକାଇଛନ୍ତି ଗୌତମ ଅଦାନୀ । ୨୦୨୧ରେ ଅଦାନୀଙ୍କ ସମ୍ପତ୍ତି ପାଖାପାଖି ଦୁଇଗୁଣା ବୃଦ୍ଧି ପାଇଛି । ଏପରିକି ୨୦୨୧ରେ ଏମିତି ଏକ ସମୟ ଆସିଥିଲା ଯେତେବେଳେ ଦେଶର ନମ୍ବର ୱାନ ଧନୀ ତାଲିକାରୁ ଅମ୍ବାନୀଙ୍କୁ ପଛରେ ପକାଇବା ସ୍ଥିତିରେ ପହଞ୍ଚିଥିଲେ ଅଦାନୀ । ୨୦୨୧ରେ ଦେଶରେ ଅଦାନୀଙ୍କ ସମ୍ପତ୍ତି ସର୍ବାଧିକ ୪୧.୫ ବିଲିୟନ ଡଲାର ବୃଦ୍ଧି ହୋଇଥିଲା ।
ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ଅନୁଯାୟୀ, ଏବେ ଅଦାନୀଙ୍କ ମୋଟ ସମ୍ପତ୍ତି ୭୫.୩ ବିଲିୟନ ଡଲାର ରହିଛି । ତେବେ ୨୦୨୧ରେ ଅଦାନୀଙ୍କ ସମ୍ପତ୍ତି ଗୋଟିଏ ସମୟରେ ୮୫ ବିଲିୟନ ଡଲାରରେ ପହଞ୍ଚିଥିଲା । ତେବେ ଅଦାନୀ ଗ୍ରୁପର ବିଭିନ୍ନ କମ୍ପାନିର ସେୟାର ମୂଲ୍ୟ ହ୍ରାସ ଫଳରେ ବର୍ଷ ଶେଷ ସୁଦ୍ଧା ୭୫.୩ ବିଲିୟନ ଡଲାରରେ ପହଞ୍ଚିଛି ଅଦାନୀଙ୍କ ସମ୍ପତ୍ତି ।
୨୦୨୧ ଶେଷ ସୁଦ୍ଧା ଭାରତର ତଥା ଏସିଆର ସବୁଠୁ ଅଧିକ ଧନୀ ଥିବା ମୁକେଶ ଅମ୍ବାନୀଙ୍କର ସମ୍ପତ୍ତି ୮୯.୭ ବିଲିୟନ ଡଲାରରେ ପହଞ୍ଚିଛି । ଗତ ବର୍ଷ ତୁଳନାରେ ଏହା ମାତ୍ର ୧୩ ବିଲିୟନ ଡଲାର ଅଧିକ । ତେବେ ୨୦୨୧ରେ ସମ୍ପତ୍ତି ବୃଦ୍ଧି ମାମଲାରେ ଅମ୍ବାନୀଙ୍କୁ ଅଜୀମ ପ୍ରେମଜୀ ମଧ୍ୟ ପଛରେ ପକାଇଛନ୍ତି । ପ୍ରେମଜୀଙ୍କ ମୋଟ ସମ୍ପତ୍ତି ଏବେ ୪୨.୧ ବିଲିୟନ ଡଲାର ଥିବା ବେଳେ ୨୦୨୧ରେ ୧୫.୮ ବିଲିୟନ ଡଲାର ସମ୍ପତ୍ତି ବୃଦ୍ଧି ପାଇଛି ।
ସେହିଭଳି ଡିମାର୍ଟ ରାଧାକିଶନ ଦମାନୀଙ୍କ ପାଇଁ ମଧ୍ୟ ୨୦୨୧ ବେଶ ଭଲ ଯାଇଛି । ୨୦୨୧ରେ ଦମାନୀଙ୍କ ସମ୍ପତ୍ତି ୯.୫୧ ବିଲିୟନ ଡଲାର ବୃଦ୍ଧି ପାଇ ୨୪.୪ ବିଲିୟନ ଡଲାରରେ ପହଞ୍ଚିଛି । ସେହିଭଳି ଏହି ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି ଏଚସିଏଲର ଶିବ ନାଡାର । ୨୦୨୧ରେ ତାଙ୍କ ସମ୍ପତ୍ତି ୮.୪୦ ବିଲିୟନ ଡଲାର ବୃଦ୍ଧି ପାଇ ୩୨.୫ ବିଲିୟନ ଡଲାରରେ ପହଞ୍ଚିଛି ।