କନକ ବ୍ୟୁରୋ: ଆଦାନୀ ଗ୍ରୁପର ଏଫଏମସିଜି କମ୍ପାନୀ ଆଦାନୀ ୱିଲମର ଆଉଏକ କିର୍ତ୍ତୀମାନ ହାସଲ କରିଛି । ଗତ ଆର୍ଥିକ ବର୍ଷରେ କମ୍ପାନୀର ପରିଚାଳନାରୁ ରେକର୍ଡ ଆୟ ହୋଇଛି । ଏହି ସଫଳତା ପରେ ଦେଶର ସବୁଠାରୁ ବଡ ଏଫଏମସିଜି କମ୍ପାନୀ ହୋଇପାରିଛି ଆଦାନୀ ୱିଲମର । ହିନ୍ଦୁସ୍ଥାନ ୟୁନିଲିଭରକୁ ପଛରେ ପକାଇ କମ୍ପାନୀ ଏହି ସଫଳତା ହାସଲ କରିଛି । ଆଦାନୀ ୱିଲମରର ଆୟ ୨୦୨୧-୨୨ ଆର୍ଥିକ ବର୍ଷରେ ୪୬.୨ ପ୍ରତିଶତ ବୃଦ୍ଧି ହୋଇଛି । ଏଫଏମସିଜିକ ଅର୍ଥ ହେଉଛି ଫାଷ୍ଟ ମୁଭିଙ୍ଗ କନଞ୍ଜ୍ୟୁମର ଗୁଡସ ବା ଦ୍ରୁତ ଗତିଶୀଳ ଗ୍ରାହକ ସାମଗ୍ରୀ ।

Advertisment

ଆଦାନୀ ଗ୍ରୁପ୍ ଖାଇବା ତେଲରୁ ଗତ ଆର୍ଥିକ ବର୍ଷରେ ଅଧିକ ଲାଭ କରିଛି । କମ୍ପାନୀ ଏହି ସମୟ ମଧ୍ୟରେ ୫୪ ହଜାର ୨୧୪ କୋଟିର ରାଜସ୍ୱ ହାସଲ କରିଛି । ତେବେ ଠିକ ବର୍ଷେ ପୂର୍ବରୁ ଅର୍ଥାତ ୨୦୨୦-୨୧ରେ କମ୍ପାନୀ ୩୭ ହଜାର ୦୯୦ କୋଟି ଟଙ୍କା ଆୟ କରିଥିଲ।। ସେହିଭଳି ହିନ୍ଦୁସ୍ଥାନ ୟୁନିଲିଭରର ଆୟ ୨୦୨୧-୨୨ରେ ୫୧ ହଜାର ୪୬୮ କୋଟି ରହିଛି । ଅନେକ ସମୟ ଥରି ପ୍ରଥମ ସ୍ଥାନରେ ଥିବା ହିନ୍ଦୁସ୍ଥାନ ୟୁନିଲିଭରକୁ ଆଦାନୀ ୱିଲମର ଶେଷରେ ପଛରେ ପକାଇଛି ।

ଆଦାନୀ ୱିଲମରକୁ ସବୁଠାରୁ ଅଧିକ ଫାଇଦା ଖାଇବା ତେଲରୁ ହୋଇଛି । ଗତ ଆର୍ଥିକ ବର୍ଷରେ ବ୍ୟବସାୟ କ୍ଷେତ୍ରରେ ୱିଲମରର ଆୟରେ ୮୪ ପ୍ରତିଶତ ସହଯୋଗ ରହିଥିଲା ଖାଇବା ତେଲର । ୱିଲମରର ଖାଇବା ତେଲ ବିକ୍ରିରେ ୨୦୨୦-୨୧ରେ ୩୦ ହଜାର ୮୧୮ କୋଟି ଆୟ କରିଥିଲା । ଏହା ଚଳିତ ଥର ୪୭. ୩ ପ୍ରତିଶତ ବୃଦ୍ଧି ପାଇ ୪୫ ହଜାର ୪୦୧ କୋଟିରେ ପହଞ୍ଚିଥିଲା । ଆଦାନୀ ୱିଲମର ନିକଟରେ ପ୍ୟାକେଜଡ ଫୁଡ୍ ବ୍ୟବସାୟରେ ପ୍ରବେଶ କରିଛି । ଏହି ସେଗମେଣ୍ଟରେ କିନ୍ତୁ ଲାଭ ହୋଇନାହିଁ । ତେବେ ଆୟରେ ୩୮ ପ୍ରତିଶତର ବୃଦ୍ଧି ଟିକେ ଆଶ୍ୱସ୍ଥ କରିଛି । ଗତ ବର୍ଷ ପ୍ୟାକେଜଡ ଫୁଡ୍ ବ୍ୟବସାୟରେ ୨୨.୫ କୋଟିର କ୍ଷତି ହୋଇଛି ।