କନକ ବ୍ୟୁରୋ : ଗୌତମ ଆଦାନୀଙ୍କ ସାମ୍ରାଜ୍ୟକୁ ଏବେ ହିଣ୍ଡେନବର୍ଗର ଗ୍ରହଣ ଲାଗିଛି । ଗୋଟିଏ ମାସ ପୂର୍ବରୁ ଆଦାନୀ ଗ୍ରୁପ ବାବଦରେ ଏକ ରିପୋର୍ଟ ପ୍ରକାଶ କରି ହିଣ୍ଡେନବର୍ଗ ଯାହା କହିଥିଲା ଠିକ୍ ଗୋଟିଏମାସ ପରେ ତାହା ସତ ହୋଇଛି । ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ଆଦାନୀ ଗ୍ରୁପ ଗୋଟିଏମାସ ମଧ୍ୟରେ ହଜାର ହଜାର କୋଟି ଟଙ୍କା କ୍ଷତି ସହିଲାଣି । ଆଦାନୀ ଷ୍ଟକକୁ ନେଇ ହିଣ୍ଡେନବର୍ଗ କହିଥିଲା କି, ଶେୟାର ବଜାରରେ ଲିଷ୍ଟେଡ ଆଦାନୀ ଗ୍ରୁପର ୭ଟି କମ୍ପାନୀର ସେୟାର ୮୫ ପ୍ରତିଶତ ଅତ୍ୟାଧିକ ମୂଲ୍ୟାଙ୍କନ କରାଯାଇଛି । ଆଜିର ସୂଚନା ମୁତାବକ ଗୋଟିଏ ମାସ ମଧ୍ୟରେ ଏହି ୭ଟି କମ୍ପାନୀର ସେୟାର ମୂଲ୍ୟ ୮୫ ପ୍ରତିଶତ ପର୍ଯ୍ୟନ୍ତ ତଳକୁ ଖସିଛି ।
ଆଦାନୀ ଗ୍ରୁପକୁ ନେଇ ଆମେରିକାର ଫରେନସିକ୍ ଫାଇନାନସିଆଲ ରିସର୍ଚ୍ଚ ଫାର୍ମ ହିଣ୍ଡେନବର୍ଗର ରିପୋର୍ଟ ଏକ ମାସ ପୂର୍ବରୁ ପବ୍ଲିକ କରାଯାଇଥିଲା । ଏଥିରେ ଆଦାନୀ ଗ୍ରୁପ ସେୟାରରେ ହେରଫେର ସହ ଋଣ ସହିତ ଜଡିତ ୮୮ଟି ପ୍ରଶ୍ନ ପଚରାଯାଇଥିଲା । ୨୦୧୭ ମସିହାରେ ଆରମ୍ଭ ହୋଇଥିବା ଏହି କମ୍ପାନୀ ଏପର୍ଯ୍ୟନ୍ତ ୧୬ଟି କମ୍ପାନୀ ଉପରେ ନିଜର ରିସର୍ଚ୍ଚ ରିପୋର୍ଟ ପ୍ରକାଶ କରିଛି । ହିଣ୍ଡେନବର୍ଗ କମ୍ପାନୀ ଆଦାନୀ ଗ୍ରୁପକୁ ନେଇ ଦାବି କରିଥିଲା କି କମ୍ପାନୀ ତରଫରୁ ଶେୟାର ବଜାରରେ ଲିଷ୍ଟେଡ ୭ଟି ପ୍ରମୁଖ କମ୍ପାନୀ ୮୫ ପ୍ରତିଶତରୁ ଅତ୍ୟାଧିକ ମୂଲ୍ୟାଙ୍କନ ହୋଇଛି । ଅର୍ଥାତ ଏହି କମ୍ପାନୀମାନଙ୍କର ମୂଳ ମୂଲ୍ୟ ଯଦି ୧୫ ଟଙ୍କା ତେବେ ଆଦାନୀ ଗ୍ରୁପ ଶେୟାରରେ ହେରଫେର କରି ଏହାକୁ ୧୦୦ଟଙ୍କା ଦେଖାଇଛି । ରିପୋର୍ଟ ପ୍ରକାଶ ପାଇବାର ଗୋଟିଏମାସ ମଧ୍ୟରେ ଆଦାନୀ ଗ୍ରୁପର ଏହି କମ୍ପାନୀମାନଙ୍କର ସେୟାର ଖସି ଖସି ବାସ୍ତବରେ ୧୫ ଟଙ୍କାରେ ପହଂଚିଯାଇଛି ।
ସୂଚନା ମୁତାବକ ଆଦାନୀ ଗ୍ରୁପର ତିନୋଟି ସେୟାର ଗୋଟିଏମାସ ମଧ୍ୟରେ ସର୍ବାଧିକ ପ୍ରଭାବିତ ହୋଇଛି । ଏହା ମଧ୍ୟରେ ଆଦାନୀ ଟୋଟାଲ ଗ୍ୟାସ, ଆଦାନୀ ଗ୍ରୀନ ଏନର୍ଜୀ ଓ ଟ୍ରାନ୍ସମିଶନର ଷ୍ଟକ ସାମିଲ ଅଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଉପରେ ନଜର ପକାଇଲେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଆଦାନୀ ଗ୍ରୀନ ଏନର୍ଜୀ । ଗତ ୫୨ ସପ୍ତାହ ମଧ୍ୟରେ ଏହାର ସେୟାର ମୂଲ୍ୟ ୮୫ ପ୍ରତିଶତ ପର୍ଯ୍ୟନ୍ତ ତଳକୁ ଖସିଛି ।
ଶୁକ୍ରବାର ମଧ୍ୟ ସେୟାର ବଜାର ଆରମ୍ଭ ହେବା କ୍ଷଣି ଆଦାନୀ ଗ୍ରୀନ ଏନର୍ଜୀ ସେୟାରରେ ଘାଟା ହୋଇଛି । ଏହାର ମୂଲ୍ୟ ୪୮୬.୫୦ ଟଙ୍କାରେ ପହଂଚିଛି । ଗତମାସ ଅର୍ଥାତ ଜାନୁଆରୀ ୨୪ ତାରିଖ ପୂର୍ବରୁ ଅର୍ଥାତ ହିଣ୍ଡେନବର୍ଗ ରିପୋର୍ଟ ଆସିବା ପୂର୍ବରୁ ଏହାର ମୂଲ୍ୟ ୧୯୬୧.୮୦ ଟଙ୍କା ଥିଲା । କମ୍ପାନୀ ସେୟାର ତଳକୁ ଖସିବା କାରଣରୁ କମ୍ପାନୀର ମାର୍କେଟ କ୍ୟାପ ବି ୧ଲକ୍ଷ କୋଟି ଟଙ୍କାରୁ ତଳକୁ ଖସିଆସିଛି ।
ସେପଟେ ଯଦି ଆଦାନୀ ଟ୍ରାନ୍ସମିଶନ କଥା ଦେଖିବା ତେବେ ଏହା ସେୟାର ବଜାରରେ ଏବେ ଧରାଶାୟୀ ହୋଇଛି । ଜାନୁଆରୀ ୨୪ ତାରିଖରେ ଏହାର ପ୍ରତି ସେୟାର ମୂଲ୍ୟ ୨୭୬୨.୧୫ ଟଙ୍କା ଥିବା ବେଳେ ଆଜି ଏହାର ସେୟାର ମୂଲ୍ୟ ୭୧୨.୩୦ଟଙ୍କାରେ ପହଂଚିଛି ।
ସେହିଭଳି ଆଦାନୀ ଟୋଟାଲ ଗ୍ୟାସର ସେୟାର ମୂଲ୍ୟ ମଧ୍ୟ ଅହେତୁକ ଭାବେ ହ୍ରାସ ପାଇଛି । ଜାନୁଆରୀ ୨୪ ରୁ ଫେବୃଆରୀ ୨୪ ମଧ୍ୟରେ ଆଦାନୀ ଟୋଟାଲ ଗ୍ୟାସ କମ୍ପାନୀର ମାର୍କେଟ ଭାଲ୍ୟୁ ୪.୩ ଲକ୍ଷ କୋଟି ଟଙ୍କାରୁ ଖସି ଆସି ୧ଲକ୍ଷ କୋଟି ଟଙ୍କାରେ ପହଂଚିଛି । ଅର୍ଥାତ ଜାନୁଆରୀ ୨୪ ତାରିଖରେ ଏହାର ସେୟାର ମୂଲ୍ୟ ୩୮୫୧.୭୫ଟଙ୍କା ଥିବା ବେଳେ ଏବେ ଏହାର ମୂଲ୍ୟ ମାତ୍ର ୭୫୧.୮୦ଟଙ୍କା ରହିଛି ।
କହିରଖୁ କି ଆଦାନୀ ଗ୍ରୁପର ମୋଟ ୧୦ଟି କମ୍ପାନୀ ସେୟାର ବଜାରରେ ପଞ୍ଜିକୃତ ହୋଇଛି । ତାହା ମଧ୍ୟରୁ ଆଦାନୀ ଏଣ୍ଟରପ୍ରାଇଜେସ ସେୟାର ଏବେ ନିବେଶକଙ୍କୁ କାଙ୍ଗାଳ କରିଦେଇଛି । ହିଣ୍ଡେନବର୍ଗ ରିପୋର୍ଟ ଆସିବା ପୂର୍ବରୁ ୨୦୨୩ ଜାନୁଆରୀ ୨୪ ତାରିଖରେ ଏହାର ପ୍ରତି ସେୟାରର ମୂଲ୍ୟ ୩୪୪୨ଟଙ୍କା ଥିଲା । ମାତ୍ର ଏବେ ଏହାର ସେୟାର ମୂଲ୍ୟ ୬୨ ପ୍ରତିଶତ କମି ସେୟାର ପ୍ରତି ୧୩୭୨,୬୫ ଟଙ୍କାରେ ପହଂଚିଯାଇଛି ।
କେବଳ ସେତିକି ନୁହେଁ ୱେଲମାର ଠାରୁ ଏନଡିଟିଭି ପର୍ଯ୍ୟନ୍ତ ସବୁ କମ୍ପାନୀର ସେୟାର ମୂଲ୍ୟ ତଳକୁ ତଳକୁ ଖସିଛି । ୱେଲମାରର ସେୟାର ମୂଲ୍ୟ ଗୋଟିଏ ମାସ ମଧ୍ୟରେ ୫୭୨,୬୫ ଟଙ୍କାରୁ ୩୬ ପ୍ରତିଶତ ତଳକୁ ଖସି ଏବେ ୩୭୦,୧୦ଟଙ୍କାରେ ପହଂଚିଛି । ସେହିଭଳି ଆଦାନୀ ପାୱାରର ଷ୍ଟକ ମଧ୍ୟ ୪୭ ପ୍ରତିଶତ ତଳକୁ ଖସିଛି । ଗୋଟିଏ ମାସ ମଧ୍ୟରେ ଆଦାନୀ ପାୱାରର ସେୟାର ମୂଲ୍ୟ ୨୭୫ ଟଙ୍କାରୁ ତଳକୁ ଖସି ୧୪୭ ଟଙ୍କାରେ ପହଂଚିଛି । ଅନ୍ୟପଟେ ଅମ୍ବୁଜା ସିମେଣ୍ଟର ସେୟାର ମୂଲ୍ୟ ଗୋଟିଏ ମାସରେ ୩୨ ପ୍ରତିଶତ ତଳକୁ ଖସିଛି । ଜାନୁଆରୀ ୨୪ରେ ଏହାର ସେୟାର ମୂଲ୍ୟ ୪୯୯ ଟଙ୍କା ଥିବା ବେଳେ ଏବେ ୩୪୨,୩୦ଟଙ୍କାରେ ଟ୍ରେଡିଂ ହେଉଛି ।
ଏହା ବ୍ୟତୀତ ଏସସିସି ସିମେଣ୍ଟର ସେୟାର ମୂଲ୍ୟ ଜାନୁଆରୀ ୨୪ ତାରିଖରେ ୨୩୩୬ ଟଙ୍କା ଥିବା ବେଳେ ଏବେ ଏହାର ୧୭୨୫ ଟଙ୍କାରେ ଟ୍ରେଡିଂ ହେଉଛି । ଗୋଟିଏ ମାସ ମଧ୍ୟରେ ଏହାର ସେୟାର ମୂଲ୍ୟ ୨୮ ପ୍ରତିଶତ ହ୍ରାସ ପାଇଛି । ସେହିଭଳି ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ଏନଡିଟିଭି ସେୟାର ମୂଲ୍ୟ ମଧ୍ୟ ଆଶାତୀତ ଭାବେ ଖସିଛି । ଜାନୁଆରୀ ୨୪ ତାରିଖରେ ଏହାର ସେୟାର ପ୍ରତି ମୂଲ୍ୟ ୨୮୪ ଟଙ୍କା ଥିବା ବେଳେ ଏବେ ଏହା ୧୯୫ ଟଙ୍କାରେ ପହଂଚିଛି ।