ହିଣ୍ଡନବର୍ଗ ରିସର୍ଚ୍ଚ ରିପୋର୍ଟ ଦୋହଲାଇଦେଲା ଆଦାନୀ ଗ୍ରୁପର ସେୟାର, ୩ ଦିନରେ ୩.୪ ଲକ୍ଷ କୋଟିର କ୍ଷତି। ପଢନ୍ତୁ ପୂରା ଘଟଣାକ୍ରମ …

8,841

କନକ ବ୍ୟୁରୋ: ଅଦାନୀ ଗ୍ରୁପକୁ ଗୋଟିଏ ପରେ ଗୋଟିଏ ଝଟକା । ହିଣ୍ଡନବର୍ଗର ରିପୋର୍ଟ ପରେ କ୍ଷତିର ସାମ୍ନା କରିଛି ଗ୍ରୁପ । ଅଦାନୀ ଗ୍ରୁପର ୯ଟି ତାଲିକାଭୁକ୍ତ କମ୍ପାନୀର ସେୟାର ହ୍ରାସ ପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ପାଖପାଖି ୩.୪ ଲକ୍ଷ କୋଟିର କ୍ଷତି ସହିସାରିଲାଣି କମ୍ପାନୀ । ସାଧାରଣରେ ପ୍ରଶ୍ନ ଉଠୁଛି କଣ ଏହି ରିପୋର୍ଟ ଯାହା ଏତେବଡ କମ୍ପାନୀର ସେୟାରକୁ ମାତ୍ର ଗୋଟିଏ ରିପୋର୍ଟ ପ୍ରକାଶ କରି ହ୍ରାସ କରିଦେଇପାରୁଛି । କଣ ଏହି ହିଣ୍ଡନବର୍ଗ ରିପୋର୍ଟ ଆସନ୍ତୁ ଜାଣିନେବା ।

ହିଣ୍ଡନବର୍ଗ ରିସର୍ଚ୍ଚ ଅନୁସାରେ ଅଦାନୀ ଗ୍ରୁପ ସେୟାରକୁ ବୃଦ୍ଧି କରିବା ପାଇଁ ପରିବାରର ଟଙ୍କାକୁ ବିଦେଶରେ ନିବେଶ କରୁଥିଲା । ଅର୍ଥାତ କମ୍ପାନୀର ଟଙ୍କାକୁ ବିଦେଶକୁ ପଠାଯାଉଥିଲା ଏବଂ ସେହି ଟଙ୍କାକୁ ପୁଣି ବିଭିନ୍ନ ମାଧ୍ୟମରେ ଭାରତରେ ଥିବା କମ୍ପାନୀର ସେୟାରରେ ନିବେଶ କରାଯାଉଥିଲା ।

ସେହିଭଳି ଅଦାନୀ ଗ୍ରୁପର ସେୟାରର ଦର ବଢାଇ ରଖିବା ପାଇଁ ଅପରେଟରଙ୍କ ବ୍ୟବହାର କରୁଛି । ବଜାରରେ ଥିବା ବଡ ବଡ ଅପରେଟରଙ୍କୁ ଏଥିପାଇଁ କମ୍ପାନୀ ବ୍ୟବହାର କରୁଛି ।

ତୃତୀୟରେ ଯଦି ଦେଖିବା ଅଦାନୀ କମ୍ପାନୀ ଭୁଲ ଉପାୟରେ ଟଙ୍କାକୁ ବିଦେଶକୁ ପଠାଇଥିଲା ଏବଂ ନିଜ କାରବାରକୁ ବଢାଇ ଚଢାଇ ଦେଖାଇଥିଲା । ସଂଖ୍ୟା ଦୃଷ୍ଟିରୁ ଏହାକୁ ଅଧିକ ଦେଖାଯାଇଥିଲା ।

ଚତୁର୍ଥରେ ପରିବାରର ଅନେକ ସଦସ୍ୟ ବିବାଦରେ ଜଡିତ ରହିଥିଲେ । ଏବଂ ଏମାନଙ୍କ ମଧ୍ୟରୁ ଅନେକ ଜଣ ଗିରଫ ମଧ୍ୟ ହୋଇଛନ୍ତି । କିଛି ସ୍ଥାନରେ କଷ୍ଟମର ମାମଲା ଥିବା ବେଳେ କିଛି ସ୍ଥାନରେ ଅନ୍ୟକିଛି ମାମଲାରେ ସମସ୍ତେ ଛନ୍ଦି ହୋଇଯାଇଛନ୍ତି ।

ଏହା ସହ ବ୍ୟାଙ୍କର ଖାତା ଗୁଡିକ ମଧ୍ୟ ଠିକ୍ ନାହିଁ । ଯେଉଁ କାରଣରୁ ଗତ ୮ ବର୍ଷରେ କମ୍ପାନୀର ୪ ଜଣ ସିଏଫଓ ଇସ୍ତଫା ଦେଇସାରିଛନ୍ତି ।

ହିଣ୍ଡନବର୍ଗ ନିଜର ରିପୋର୍ଟ ଏହି ସବୁ ଅଭିଯୋଗ କମ୍ପାନୀ ବିରୋଧରେ ଆଣିଛି । ଏହା ପରେ ବୁଧବାରଠାରୁ ଲଗାତର କମ୍ପାନୀର ସେୟାର ହ୍ରାସ ହେବାରେ ଲାଗିଛି । କେବଳ ଅଦାନୀ ଗ୍ରୁପ ନୁହେଁ ଏହା ସହ ଜଡିତ ଅନେକ କମ୍ପାନୀ ସହ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା ।

ଏବେ ପ୍ରଶ୍ନ ଯେ କିଏ ଏହି ହିଣ୍ଡନବର୍ଗ ରିସର୍ଚ୍ଚ ? ହିଣ୍ଡନବର୍ଗ ହେଉଛି ଏକ ସର୍ଟ ସେଲର ରିସର୍ଚ୍ଚ ଫାର୍ମ । ଏହାର ଶୁଭାରମ୍ଭ କରିଥିଲେ ନାଟେ ଆଣ୍ଡରସନ, ସିଏଫଏ, ସିଏଆଇଏ । ୨୦୨୦ ପରେ ଏହି ଫାର୍ମ ପାଖପାଖି ୩୦ଟି କମ୍ପାନୀର ରିପୋର୍ଟକୁ ସାର୍ବଜନୀନ କରିଛନ୍ତି । ଆଉ ଏହି ରିପୋର୍ଟର ପରଦିନ ହିଁ ସେହି ସବୁ କମ୍ପାନୀର ପାଖପାଖି ୧୫ ପ୍ରତିଶତର ସେୟାର ହ୍ରାସ ହୋଇଥାଏ । ପରବର୍ତ୍ତୀ ୬ ମାସରେ ସେହି ସମାନ କମ୍ପାନୀର ସେୟାର ୨୬ ପ୍ରତିଶତ ସେୟାର ହ୍ରାସ ଦେଖିବାକୁ ମିଳିଛି । ହିଣ୍ଡନବର୍ଗ ସେତେବେଳେ ଚର୍ଚ୍ଚାକୁ ଆସିଥିଲା ଯେତେବେଳେ ନିକୋଲା କମ୍ପାନୀ ଉପରେ ନିଜର ରିପୋର୍ଟ ପ୍ରସ୍ତୁତ କରିଥିଲା । ଏହା ପରେ କମ୍ପାନୀର ସେୟାର ୯୪ ପ୍ରତିଶତ ହ୍ରାସ ପାଇଥିଲା । ବିବାଦୀୟ ହେବା ପରେ ହିଣ୍ଡନବର୍ଗ ବିରୋଧରେ ୟୁଏସ ଡିପାର୍ଟମେଣ୍ଟ ଅଫ୍ ଜଷ୍ଟିସ ଯାଞ୍ଚ ଆରମ୍ଭ କରିଦେଇଛି । ଅଭିଯୋଗ ରହିଛି ଯେ ଏହି ସଂସ୍ଥା ଅନ୍ୟ ସଂସ୍ଥା ସହ ମିଳିତ ଭାବେ ସର୍ଟ ସେଲିଂ କରିଥାଏ ।

ରିପୋର୍ଟ ପବ୍ଲିକ କରିବା ପୂର୍ବରୁ ହିଣ୍ଡନବର୍ଗର ପାଖାପାଖି ୧୦ ନିବେଶକଙ୍କୁ ରିପୋର୍ଟ ପଠାଇଥାଏ । ଏହା ବାବଦରେ ସେମାନଙ୍କ ପାଖରୁ କମିଶନ ମଧ୍ୟ ହାସଲ କରିଥାଏ ।

ଶୁକ୍ରବାର ପୂରା ବଜାରରେ ଥିବା ଅଦାନୀ ଗ୍ରୁପର ପୁଞ୍ଜିରେ ୧୮.୫ ପ୍ରତିଶତର ହ୍ରାସ ହୋଇଛି । ମଙ୍ଗଳବାର ବଜାର ସମାପନ ପରଠାରୁ ଅଦାନୀ ସମୂହର ପୁଞ୍ଜିରେ ୪.୨ ଲକ୍ଷ କୋଟିର ହ୍ରାସ ଦେଖିବାକୁ ମିଳିସାରିଛି । ଶୁକ୍ରବାର ଅପରାହ୍ନ ୩ଟା ସୁଦ୍ଧା ଅଦାନୀ ସମୂହର ୯ଟି ସୂଚୀତ କମ୍ପାନୀର ସେୟାରରେ ହ୍ରାସ ଦେଖିବାକୁ ମିଳିଛି । ୪ଟି କମ୍ପାନୀରେ ବିଶେଷ ହ୍ରାସ ଦେଖିବାକୁ ମିଳିଛି । ସେହିଭଳି ଅଦାନୀ ଟ୍ରାନସମିଶନ, ଅଦାନୀ ଏବଂ ଅଦାନୀ ଟୋଟାଲ ଗ୍ୟାସର ସେୟାର ୨୦-୨୦ ପ୍ରତିଶତ ତଳକୁ ଖସିଛି । ଅଦାନୀ ଗ୍ରୀନ ଏନର୍ଜି ଏବଂ ଅଦାନୀ ଏଣ୍ଟରପ୍ରାଇଜେସରେ ଏହାର ସ୍ଥିତି ୧୯.୯ ଏବଂ ୧୯.୩ ପ୍ରତିଶତ ତଳକୁ ଖସିଆସିଛି । ଅଦାନୀ ପୋର୍ଟରେ ସେୟାର -୧୭.୭ ପ୍ରତିଶତ ଥିବା ବେଳେ ଅମ୍ବୁଜା ସିମେଣ୍ଟର ସେୟାର-୧୭.୩ ପ୍ରତିଶତ, ଏସିସି ସିମେଣ୍ଟର ସେୟାର ମୂଲ୍ୟ -୧୪.୩ ପ୍ରତିଶତ ତଳକୁ ଖସିଆସିଛି । ଅଦାନୀ ପାୱାର ଏବଂ ଅଦାନୀ ୱିଲମରର ସେୟାରରେ ମଧ୍ୟ ବ୍ୟାପକ କ୍ଷତି ଦେଖିବାକୁ ମିଳିଛି । ଉଭୟ କମ୍ପାନୀରେ ୫ ପ୍ରତିଶତର କ୍ଷତି ଦେଖିବାକୁ ମିଳିଛି ।