କନକ ବ୍ୟୁରୋ : ଦେଶର ଦ୍ୱିତୀୟ ଧନୀ ତାଲିକାରେ ଥିବା ବ୍ୟବସାୟୀ ଗୌତମ ଅଦାନୀଙ୍କୁ ପୁଣି ଏକ ବଡ ଝଟକା ଲାଗିଛି । ଗତବର୍ଷ ହିଣ୍ଡେନବର୍ଗ ରିସର୍ଚ୍ଚ ତରଫରୁ ଅଣାଯାଇଥିବା ଅଭିଯୋଗ ପରେ ଏହା ଦ୍ୱିତୀୟ ଝଟକା ବୋଲି କୁହାଯାଇଛି । କାରଣ ସେୟାରରେ ହେରଫେର କରିଥିବା ଅଭିଯୋଗ ହିଣ୍ଡେନବର୍ଗ ଆଣିବା ପରେ ଅଦାନୀ ଗ୍ରପୁର ବିଭିନ୍ନ କମ୍ପାନୀର ସେୟାର ମୂଲ୍ୟ ଆଶାତୀତ ହ୍ରାସ ପାଇଥିଲା । ପୁଣି ଏବେ ଅଦାନୀ ଗ୍ରୁପର ୬ଟି କମ୍ପାନୀକୁ ସେବି ତରଫରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ନୋଟିସରେ ସେବି ଉଲ୍ଲେଖ କରିଛି କି ଏହି କମ୍ପାନୀଗୁଡିକ ସେୟାର ବଜାରରେ ତାଲିକାଭୁକ୍ତ ହେବା ନେଇ ଯେଉଁ ଆଇନ ରହିଛି ତାହାର ଉଲଂଘନ କରିଛନ୍ତି ।

ଅଦାନୀ ଏଣ୍ଟରପ୍ରାଇଜେସ ତରଫରୁ କୁହାଯାଇଛି କି, ୨୦୨୪ ତ୍ରୈମାସିକ ଶେଷ ହେବା ପରେ ସେବି ତରଫରୁ ତାଙ୍କୁ ୨ଟି ନୋଟିସ କରାଯାଇଛି । ନୋଟିସରେ ଅଭିଯୋଗ ରହିଛି କି, କମ୍ପାନୀ ସେୟାର ମାର୍କେଟରେ ନେଣଦେଣ ଓ ସେୟାର ମାର୍କେଟ ନିୟମର ଉଲଂଘନ କରିଛି । ଏହାସହ କମ୍ପାନୀ ଉପରେ ବାହାର ଲୋକଙ୍କ ସହ କାରବାର ଓ ଗତବର୍ଷ ଅଡିଟର ସାର୍ଟିର୍ଫିକେଟକୁ ନେଇ ପ୍ରଶ୍ନ ପଚରାଯାଇଛି । ଏହାସହ ସେବି ତରଫରୁ ଆଦାନୀ ପୋର୍ଟସ ଆଣ୍ଡ ସ୍ପେଶାଲ ଇକୋନମିକ ଜୋନ, ଅଦାନୀ ପାୱାର, ଅଦାନୀ ଏନର୍ଜି ସଲ୍ୟୁସନ୍ସ, ଆଦାନୀ ୱିଲମର ଓ ଅଦାନୀ ଟୋଟାଲ ଗ୍ୟାସ କମ୍ପାନୀ ଉପରେ ମଧ୍ୟ ନୋଟିସ ଜାରି କରିଛି । ଆଦାନୀ ଗ୍ରୁପର ମୋଟ ୧୦ ଟି କମ୍ପାନୀ ସେୟାର ବଜାରର ସୂଚିତ ହୋଇଛି ।