ଥମୁନି ହିଣ୍ଡେନବର୍ଗ ରିପୋର୍ଟ ଝଡ଼ । ସେୟାର ବଜାରରେ ହଲଚଲ ପରେ ୨୦ ହଜାର କୋଟିର ଏଫପିଓ କଲା ପ୍ରତ୍ୟାହାର

ଆଜି ବି ଆଦାନୀ ଇଣ୍ଟରପ୍ରାଇଜେସ୍ ସେୟାର ଖସିଲା ପାଖାପାଖି ୩୦ ପ୍ରତିଶତ

1,447

କନକ ବ୍ୟୁରୋ: ଆମେରିକାର ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ଓ ଆଦାନୀ ଗ୍ରୁପର ସେୟାର ଖସିବା ଚର୍ଚ୍ଚା ଜୋର ସୋରରେ ଚାଲିଛି । ଆଉ ଏପରି ସମୟରେ ଅଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ ଏକ ବଡ ନିଷ୍ପତି ନିବେଶକଙ୍କ ମଧ୍ୟରେ ହଇଚଇ ଖେଳାଇ ଦେଇଛି । କମ୍ପାନୀ ୨୦ ହଜାର କୋଟି ଟଙ୍କାର ଫଲୋଅନ୍ ପବ୍ଲିକ ଅଫର ବା ଏଫପିଓ ପ୍ରତ୍ୟାହାର କରିଦେଇଛି । ବିକ୍ରି ପାଇଁ ରଖାଯାଇଥିବା ସେୟାରକୁ କିଣିବା ପାଇଁ ଅଧିକ ଲୋକ ଆବେଦନ କରି ସାରିଛନ୍ତି । କିନ୍ତୁ କମ୍ପାନି ଏହି ଏଫପିଓ ବା ଫୋଲୋଅନ ପବ୍ଲିକ ଅଫରକୁ ପ୍ରତ୍ୟାହାର କରିଦେଇଛି । କମ୍ପାନିର ବୋର୍ଡ ପକ୍ଷରୁ କୁହାଯାଇଛି, ସେୟାର ବଜାରର ଅସ୍ଥିରତାକୁ ଦେଖି ଏପରି ନିଷ୍ପତି ନିଆଯାଇଛିି । ନିବେଶକମାନଙ୍କୁ ଅର୍ଥ ଫେରାଇ ଦିଆଯିବ ବୋଲି ସ୍ପଷ୍ଟ କରିଛି ଅଦାନୀ ଗ୍ରୁପ ।

ଆଦାନୀ ଏଣ୍ଟରପ୍ରାଇଜେସର ୨୦ ହଜାର କୋଟି ଟଙ୍କାର ଏଫପିଓ ଦେଶର ସବୁଠାରୁ ବଡ ଏଫପିଓ ମଧ୍ୟରୁ ଅନ୍ୟତମ । ଏବେ ଆସନ୍ତୁ ଜାଣିବା କଣ ଏହି ଏଫପିଓ…

କ’ଣ ଏହି ଏଫପିଓ?

  • ଏଫପିଓ ମୁଖ୍ୟତଃ ବଜାରରୁ ଟଙ୍କା ଯୋଗାଡ କରିବାର ମାଧ୍ୟମ
  • ସେୟାର ବଜାରରେ ପଞ୍ଜିକୃତ କମ୍ପାନୀ ନିବେଶକଙ୍କୁ ଅଫର ଦେଇଥାଏ
  • କୌଣସି କମ୍ପାନୀର ଭବିଷ୍ୟତ ଯୋଜନା ପାଇଁ ଅର୍ଥ ଆବଶ୍ୟକତା ପଡ଼ିଲେ ଏଫପିଓ ଜାରି କରିଥାଏ
  • ବେଳେବେଳେ କମ୍ପାନୀ ଋଣ କମ କରିବାକୁ ଏହାର ବ୍ୟବହାର କରିଥାଏ 

ଆମେରିକାର ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ ପରେ ଆଦାନୀ ଗ୍ରୁପର ସେୟାରର ମୂଲ୍ୟ ଲଗାତର ହ୍ରାସ ପାଉଛି । ରିପୋର୍ଟରେ କୁହାଯାଇଛି ଆଦାନୀ ଗ୍ରୁପର ଅଂଶଧନ ମୂଲ୍ୟ ବୃଦ୍ଧି ପଛରେ ଆକାଉଣ୍ଟିଂ ଠକେଇ ରହିିଛି । ଏହାକୁ ନେଇ ଗୁରୁବାର ସଂସଦରେ ଝଡ ଉଠିଛି । ବିରୋଧୀ ଦଳ ଅଦାନୀ ଗ୍ରୁପ ଠକେଇ ମାମଲାର ତଦନ୍ତ ଜଏଣ୍ଟ ପାର୍ଲ୍ୟାମେଣ୍ଟାରୀ କମିଟି କିମ୍ବା ସୁପ୍ରିମକୋର୍ଟଙ୍କ ନୀରିକ୍ଷଣରେ ତଦନ୍ତ କରିବାକୁ ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀଙ୍କୁ ଅଡୁଆ ବଢିବାରେ ଲାଗିଛି । ଆଦାନୀ ଗ୍ରୁପର ସେୟାର ମୂଲ ହ୍ରାସ ହେବା ଏଲଆଇସି ଓ ଏସବିଆଇ ପାଇଁ ଆଗକୁ ବଡ ସଙ୍କଟ ସୃଷ୍ଟି କରିପାରେ । କାରଣ ଅଦାନୀ ଗ୍ରୁପରେ ସର୍ବାଧିକ ନିବେଶ କରିଛନ୍ତି ଏଲଆଇସି ଓ ଏସବିଆଇ । ସେପଟେ ଫୋବର୍ସର ଏକ ରିପୋର୍ଟରେ ଗୌତମ ଅଦାନୀ ନିଜେ ନିଜ ଏଫିଓରେ ଅଧିକ ଟଙ୍କା ଲଗାଉଥିଲେ ବୋଲି ଅଭିଯୋଗ ହୋଇଛି ।