ମୁମ୍ବାଇରେ ଆଦାନୀ ଗ୍ରୁପର ୬ ହଜାର କିଲୋର ଲୁହାପୋଲ ଚୋରି, ୪ଜଣ ଗିରଫ

266

କନକ ବ୍ୟୁରୋ : ଆଦାନୀ କମ୍ପାନୀ ତରଫରୁ ନିର୍ମାଣ ହୋଇଥିବା ଏକ ଲୁହାପୋଲ ଚୋରି ହୋଇଯାଇଛି । ଏହି ମାମଲାରେ ମୁମ୍ବାଇ ପୋଲିସ ୪ଜଣଙ୍କୁ ଗିରଫ କରିଛି । ଏହି ପୋଲଟି ପଶ୍ଚିମ ଉପନଗରରେ ଗୋଟିଏ ନାଳ ଉପରେ ନିର୍ମାଣ ହୋଇଥିଲା । ଏହି ପୋଲ ନିର୍ମାଣ ପାଇଁ ୬ହଜାର କିଲୋଗ୍ରାମର ଲୁହା ବ୍ୟବହାର କରାଯାଇଥିଲା ।

ବାଙ୍ଗୁରନଗର ଥାନାର ଅଧିକାରୀ କହିଛନ୍ତି କି, ମଲାଡ ୱେଷ୍ଟରେ ୯୦ ଫୁଟ ଲମ୍ବର ଏକ ପୋଲ ଓଡାନଲ ଇଲେକ୍ଟ୍ରିସିଟି କମ୍ପାନୀ ଦ୍ୱାରା ବିଜୁଳି ତାର ବଦଳାଇବାକୁ ରଖା ଯାଇଥିଲା । ହେଲେ ନାଳ ଉପରେ ସ୍ଥାୟୀ ପୋଲ ନିର୍ମାଣ ହେବା ପରେ ଅସ୍ଥାୟୀ ଲୁହାପୋଲକୁ କିଛି ଦୂରକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଜୁନ ୨୬ ତାରିଖରେ ଅଚାନକ ପୋଲଟି ଗାଏବ ହୋଇଯାଇଥିଲା । ଏନେଇ ବିଜୁଳି କମ୍ପାନୀ ଥାନାରେ ଅଭିଯୋଗ କରିଥିଲା ।
ଏହି ଅଭିଯୋଗ ଉପରେ ଯାଂଚ କରି ପୋଲିସ ୪ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ସେହିପୋଲ ନିର୍ମାଣ ପାଇଁ ଠିକା ନେଇଥିଲା ଓ ଅନ୍ୟ ୩ଜଣ ତାର ସହଯୋଗୀ । କେବଳ ଚୋରମାନଙ୍କୁ ଗିରଫ କରାଯାଇନାହିଁ ବରଂ ଚୋରି ହୋଇଥିବା ପୋଲକୁ ପୋଲିସ ଉଦ୍ଧାର କରିଛି । ସୂଚନା ଥାଉକି ଏହା ପୂର୍ବରୁ ବିହାରରେ ସମାନ ଢଙ୍ଗରେ ମଧ୍ୟ ଏକ ପୋଲ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା ।

କହିରଖୁ କି ଆଦାନୀ ଗ୍ରୁପ ମୁମ୍ବାଇ ଓ ତାର ଆଖପାଖ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ କରୁଛି । ଏନେଇ ମୁମ୍ବାଇ ମହାନଗରରେ ଆଦାନୀ କମ୍ପାନୀ ତରଫରୁ ଅନେକ ପ୍ରୋଜେକ୍ଟ ନିର୍ମାଣ କରାଯାଉଛି । ଇଲେକ୍ଟ୍ରି ତାର ବଦଳାଇବା ପାଇଁ କମ୍ପାନୀ ତରଫରୁ ଏହି ୬ହଜାର କିଲୋର ଏକ ପୋଲ ନିର୍ମାଣ କରାଯାଇଥିଲା ।