କନକ ବ୍ୟୁରୋ : ଇଣ୍ଡିଆ ବୈଠକ ପୂର୍ବରୁ ବିରୋଧୀ ମେଂଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀକୁ ନେଇ ଆମ ଆଦମୀ ପାର୍ଟି ବଡ ଦାବି କରିଛି । ଆପ ମୁଖପାତ୍ର ପ୍ରିୟଙ୍କା କକ୍କର ଅରବିନ୍ଦ କେଜ୍ରିୱାଲଙ୍କୁ ବିରୋଧୀ ମେଂଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରିଛନ୍ତି । ସେପଟେ ସମାଜବାଦି ପାର୍ଟି ପକ୍ଷରୁ ଦଳୀୟ ନେତା ଦଳର ମୁଖ୍ୟ ଅଖିଳେଶ ଯାଦବଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ନେଇ ଦାବି ହୋଇଛି । ସେହିପରି ଶିବସେନା(ୟୁବିଟି) ପକ୍ଷରୁ ଉଦ୍ଧବ ଠାକରଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରିଛନ୍ତି । ବିରୋଧୀ ମେଂଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ କଂଗ୍ରେସର ରାହୁଲ ଗାନ୍ଧୀ ସବୁଠୁ ଅଧିକ ଦାବିଦାର କୁହାଯାଉଥିବା ବେଳେ ଅନ୍ୟ ଦଳର ନେତାମାନେ ଏଭଳି ଦାବି କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଗୁରୁବାର ହେବାକୁ ଥିବା ବୈଠକରେ ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ୨୮ଟି ରାଜନୈତିକ ଦଳର ୯ଜଣ ନେତା ସାମିଲ ହେବେ । ଗଣମାଧ୍ୟମର ଖବର ଅନୁସାରେ ବିରୋଧୀ ମେଂଟ ଇଣ୍ଡିଆର ଲୋଗୋ ଉନ୍ମୋଚିତ ହୋଇପାରେ । ଏଥିସହ ଆଗାମୀ ନିର୍ବାଚନ ପାଇଁ ବିରୋଧୀ ଦଳଙ୍କ ମଧ୍ୟରେ ଆସନ ବୁଝାମଣା ଉପରେ ମାନସମନ୍ଥନ ହେବ । ଲୋକସଭା ନିର୍ବାଚନ ପାଇଁ ମିଳିତ ଭାବେ ରଣନୀତି ଉପରେ ବିଚାରବିମର୍ଶ କରାଯିବ ବୋଲି ସୂଚନା ମିଳିଛି ।

Advertisment