ପାକିସ୍ତାନକୁ ଘୋଟିଛି କାଙ୍ଗାଳ ସ୍ଥିତି । ଦେଶରେ ଉତ୍କଟ ସ୍ଥିତିରେ ଦରବୃଦ୍ଧି

190

କନକ ବ୍ୟୁରୋ: ଆତଙ୍କବାଦ କ୍ଷେତ୍ରରେ ଆଗୁଆ ରହି ଆସିଥିବା ପାକିସ୍ତାନ ଅର୍ଥନୀତି କ୍ଷେତ୍ରରେ ସମ୍ଭାଳିବାରେ ବହୁ ପଛୁଆ । ସରକାରଙ୍କ ଦିଗହରା ରଣନୀତି ଯୋଗୁଁ କାଙ୍ଗାଳ ପାଲଟିଛି ପାକିସ୍ତାନ ଆମେରିକା ଡଲାର ତୁଳନାରେ ସମ୍ପ୍ରତି ପାକିସ୍ତାନ ଟଙ୍କାର ମୂଲ୍ୟ ବହୁ ତଳକୁ ଖସିଆସିଛି । ପାକିସ୍ତାନ ଟଙ୍କା ଦିନକୁ ଦିନ ଅଧିକ ଦୁର୍ବଳ ହୋଇଚାଲିଛି । ଇଣ୍ଟରବ୍ୟାଙ୍କ ବଜାରରେ ପାକ୍ ଟଙ୍କା ଆମେରିକା ଡଲାର ତୁଳନାରେ ସର୍ବନିମ୍ନ ସ୍ତର ୧୯୦ ଟଙ୍କାକୁ ଖସିଆସିଛି ।

ଅର୍ଥ ବଜାର କାରବାରରେ ଡଲାର ତୁଳନାରେ ପାକିସ୍ତାନ ଟଙ୍କା ୮୨ ପଇସା ଦୁର୍ବଳ ହୋଇଥିଲା । ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁସାରେ କରେନ୍ସି ଡିଲରଙ୍କ ମୁତାବକ, ଆଇଏମଏଫର କାର୍ଯ୍ୟକ୍ରମରେ ବିଳମ୍ବ, ଅନ୍ୟ ଦେଶଗୁଡିକରୁ ଆର୍ଥିକ ସହାୟତା ନମିଳିବା , ବୈଦେଶିକ ମୁଦ୍ରା ଭଣ୍ଡାର ଦ୍ରୁତ ବେଗରେ ହ୍ରାସ ପାଇବା ଏବଂ ବାଣିଜ୍ୟିକ କ୍ଷତି କାରଣରୁ ଦେଶର ଘରୋଇ ମୁଦ୍ରା ଚାପରେ ରହିଛି ।

ରିପୋର୍ଟ ମୁତାବକ, ଇମ୍ରାନ ଖାନ୍ ସରକାରଙ୍କ ଯୋଗୁଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ୍) ୬୦୦ କୋଟି ଡଲାରର ଆର୍ଥିକ ପ୍ୟାକେଜକୁ ଅଟକାଇ ଦେଇଥିଲା । ଆଇଏମଏଫ୍ ପାକିସ୍ତାନକୁ ଇନ୍ଧନ ଓ ବିଦ୍ୟୁତ୍ ସବସିଡି ପ୍ରତ୍ୟାହାର ଲାଗି କହିଥିଲା । ନୂଆ ସରକାର ସବସିଡି ହଟାଇବା ସପକ୍ଷରେ ନାହିଁ । ଫଳରେ ଆଇଏମଫ୍ କାର୍ଯ୍ୟକ୍ରମରେ ବିଳମ୍ବ ହେଉଛି ।

ପାକିସ୍ତାନ ଲଗାତାର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏହା ମଧ୍ୟରେ ଦେଶର ଚଳନ୍ତି ଖାତା ନିଅଣ୍ଟ (ସିଏଡି)୨୫୬ କୋଟି ଡଲାରରେ ପହଞ୍ଚିଯାଇଛି । ସିଏଡି ହେଉଛି କୌଣସି ଦେଶର ବିଦେଶୀ ଖର୍ଚ୍ଚ ଏବଂ ଆୟ ମଧ୍ୟରେ ଥିବା ପାର୍ଥକ୍ୟ । ଅନ୍ୟପଟେ , ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାର ଏପ୍ରିଲ ୨୩ ସୁଦ୍ଧା ହ୍ରାସ ପାଇ ୧୦୫୫.୮ କୋଟି ଡଲାରକୁ ଖସିଆସିଛି । ଆର୍ଥିକ ଓ ଏବଂ ରାଜନୈତିକ ସମସ୍ୟା ମଧ୍ୟରେ ଛନ୍ଦି ହୋଇଥିବା ପାକିସ୍ତାନ ଆଗରେ କ୍ଷୁଧା ସଙ୍କଟ ଉଗ୍ର ରୂପ ନେଇଛି । ଏହାଛଡା ଦେଶରେ ଶସ୍ୟର ଉତ୍ପାଦନ ହ୍ରାସ ପାଇଛି । ପାକିସ୍ତାନର ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏବର୍ଷ ଗହମ ଉତ୍ପାଦନ ଧାର୍ଯ୍ୟ ଲକ୍ଷ୍ୟଠାରୁ ୩୦ ଲକ୍ଷ ଟନ୍ କମ ହୋଇଛି । ଏହାସହ ତେଲ ଦର ବୃଦ୍ଧି ଏବଂ ଦେଶରେ ଗ୍ରାଷ୍ମ ପ୍ରବାହ ଉତ୍ପାଦନ ହ୍ରାସର କାରଣ ବୋଲି ବିଶେଷଜ୍ଞ ପ୍ରକାଶ କରିଛନ୍ତି ।

ପାକିସ୍ତାନରେ ଯେ ଶୀଲଙ୍କା ପରି ସ୍ଥିତି ଉପୁଜିବାକୁ ବେଶି ଦିନ ଲାଗିବ ନାହିଁ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । କାରଣ ଏଠି ଏପରି ସ୍ଥିତି ଯେ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଦର ବୃଦ୍ଧି ହେଉଥିବାବେଳେ ଛୋଟ ପିଲାଙ୍କୁ ଚକଲେଟ ଟିଏ ଦେବା ମଧ୍ୟ କଷ୍ଟକର ହେଉଛି । କାରଣ ଏଠି ଦେଶର ଦୁର୍ଦ୍ଦଶା ସୁଧାରିବାକୁ ଚକଲେଟ୍ ଉପରେ ମଧ୍ୟ ଟ୍ୟାକ୍ସ ଲାଗୁଛି । ଏପରି ଏକ ସ୍ଥିତିକୁ ସେଠିକାର ଲୋକସଭାରେ ଉଠାଇଥିଲେ ଜନୈକ ମହିଳା ସାଂସଦ । ଏହାପରେ ଦେଶର ଖରାପ ସ୍ଥିତିକୁ ନେଇ ବାରମ୍ବାର ଖବର ଆସୁଥିଲେ ବି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କରିଆସୁଥିଲେ ।