ହୀରାକୁଦର ନିଷିଦ୍ଧାଞ୍ଚଳରେ ଭିଡିଓ ଉଠାଇ ଅଡୁଆରେ ଅଭିନେତ୍ରୀ । ବୁର୍ଲା ଏସଡିପିଓଙ୍କ ଠାରୁ ରିପୋର୍ଟ ତଲବ କଲେ ସମ୍ବଲପୁର ଏସପି ।

974

କନକ ବ୍ୟୁରୋ : ହୀରାକୁଦ ଡ୍ୟାମର ନିଷିଦ୍ଧାଂଚଳରେ ଭିଡିଓ ଉଠାଇ ଅଡୁଆରେ ଅଭିନେତ୍ରୀ । ଡ୍ୟାମର ନିଷିଦ୍ଧାଂଚଳରେ କୌଣସି ପ୍ରକାର ଫଟୋ ନ ଉଠାଇବା କିମ୍ବା ଭିଡିଓ ରେକର୍ଡିଂ କରିବା ଉପରେ କଟକଣା ଜାରି କରାଯାଇଛି । କିନ୍ତୁ ମୁଖ୍ୟ ବନ୍ଧ ଉପରେ ନିଜର ଭିଡିଓ କରିବା ସହ ଏହାକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ଚର୍ଚ୍ଚାର ବିଷୟ ହୋଇଛି ।

ଭିଡିଓରେ ଅଭିନେତ୍ରୀ ପ୍ରକୃତି ମିଶ୍ର, ଏଲିନା ଅନ୍ୟ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିଛି । ବନ୍ଧ ସୁରକ୍ଷା କର୍ତ୍ତୃପକ୍ଷ ଘଟଣାକୁ ଗୁରୁତର ସହ ନେଇଛନ୍ତି । ହୀରାକୁଦ ଏସଡିପିଓଙ୍କୁ ରିପୋର୍ଟ ତଲବ କରିଛନ୍ତି ସମ୍ବଲପୁର ଏସପି । ଖବର ଅନୁସାରେ, ଓଲିଉଡର ୩ଜଣ ଅଭିନେତ୍ରୀ ସମ୍ବଲପୁର ଆସିଥିବାବେଳେ ଡ୍ୟାମ ଉପର ଦେଇ ହୀରାକୁଦ ପଟୁ ବୁର୍ଲା ଆଡକୁ ଆସିଥିଲେ । ଡ୍ୟାମ ଉପରେ ଗାଡି ଅଟକାଇ ଫଟୋ ଓ ଭିଡିଓ ସୁଟିଂ କରିଥିଲେ । ପରେ ଅଭିନେତ୍ରୀ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ଛାଡିଥିଲେ ।