ଅଭିନେତ୍ରୀ ଶ୍ରୀଦେବୀ ମୃତ୍ୟୁ ମାମଲା: ଭୁବନେଶ୍ୱରର ୟୁଟ୍ୟୁବର ଦୀପ୍ତି ପିନିତୀଙ୍କ ନାମରେ ଚାର୍ଜସିଟ ଦାଖଲ କଲା ସିବିଆଇ

4,598

କନକ ବ୍ୟୁରୋ: ଦିନେ ବଲିଉଡ୍ ଇଣ୍ଡଷ୍ଟ୍ରୀର ସବୁଠାରୁ ଚର୍ଚ୍ଚିତ ନାୟିକା ଥିଲେ । ତାଙ୍କ ଅଭିନୟ ଓ ସୁନ୍ଦରତାରେ ବିଭୋର ହୋଇଯାଉଥିଲେ ସିନେ ପ୍ରେମୀ । ମାତ୍ର ହଠାତ୍ ଆସିଲା ତାଙ୍କର ମୃତ୍ୟୁ ଖବର । ଆଉ ଭାଙ୍ଗିଗଲା ସୁନ୍ଦରୀ ଅଭିନେତ୍ରୀଙ୍କ ଅଗଣିତ ପ୍ରଶଂସିକଙ୍କ ମନ । କେମିତି ସେହି ଅଭିନେତ୍ରୀଙ୍କ ମୃତ୍ୟୁ ତାହା ଆଜି ପର୍ଯ୍ୟନ୍ତ ରହସ୍ୟରେ ରହିଛି । ଆଉ ତାଙ୍କର କିଛି ଫ୍ୟାନ୍ମାନେ ଏହି ନାୟିକାଙ୍କ ମୃତ୍ୟୁ ରହସ୍ୟ ଖୋଲିବାକୁ ଲାଗି ପଡିଛନ୍ତି । ସେହି ଲୋକପ୍ରିୟ ବଲିଉଡ୍ ଅଭିନେତ୍ରୀ ହେଲେ ଶ୍ରୀଦେବୀ । ଯାହାଙ୍କ ମୃତ୍ୟୁ ରହସ୍ୟ ଖୋଲିବାକୁ ପ୍ରୟାସ କରିବାରୁ ତାଙ୍କର ଜଣେ ପ୍ରଶଂସକଙ୍କ ନାଁରେ ଏତଲା କରିଛି ସିବିଆଇ ।

ବାଥଟବରେ ପଡି ବଲିଉଡ ଅଭିନେତ୍ରୀ ଶ୍ରୀଦେବୀ ମୃତ୍ୟୁ ମାମଲାରେ ସିବିଆଇ ଏକ ଚାର୍ଜସିଟ୍ ଦାଖଲ କରିଛି । ଆଉ ଏହି ଚାର୍ଜସିଟ୍ ଦାଖଲ ହୋଇଛି ଭୁବନେଶ୍ୱରର ଜଣେ ୟୁଟ୍ୟୁବରଙ୍କ ବିରୋଧରେ । ୟୁଟୁବର ଦୀପ୍ତି ଆର ପିନିତୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ । ଶ୍ରୀଦେବୀଙ୍କ ମୃତ୍ୟୁକୁ ପ୍ରାୟୋଜିତ ବୋଲି ଦୀପ୍ତି ଆର ପିନିତୀ ଦାବି କରି ଆସୁଛନ୍ତି । ଏହାକୁ ନେଇ ୟୁଟୁବ୍ରେ ଅନେକ ଦସ୍ତାବିଜ୍ ମଧ୍ୟ ଦେଖାଇଛନ୍ତି ଦୀପ୍ତି । ଏକ ଦସ୍ତାବିଜ୍ରେ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ ଏବଂ ସୁପ୍ରିମକୋର୍ଟଙ୍କ ସମ୍ବନ୍ଧୀୟ ତଥ୍ୟ ରହିଥିଲା । ଶ୍ରୀଦେବୀଙ୍କ ମୃତ୍ୟୁ ଘଟଣାରେ ଭାରତ ଏବଂ ୟୁଏଇ ସରକାର ମଧ୍ୟରେ ଭିତିରିଆ ବୁଝମଣା ରହିଛି ବୋଲି ଦାବି କରି ଆସୁଛନ୍ତି ଦୀପ୍ତି । ଏବଂ ଏହି ମୃତ୍ୟୁର ଅସଲ ଉଦ୍ଦେଶ୍ୟକୁ ଚପାଇ ଦିଆଯାଉଛି ବୋଲି ଦାବି କରିଥିଲେ ୟୁଟ୍ୟୁବର ଜଣଙ୍କ ।

ପୂର୍ବରୁ ଦୀପ୍ତି ଏଭଳି ମଧ୍ୟ ଦାବି କରିଛନ୍ତି ଯେ, ଶ୍ରୀଦେବୀଙ୍କୁ ବିଷ ଦିଆଯାଇ ହତ୍ୟା କରାଯାଇଥିଲା । ଏକ ଶବବ୍ୟବଚ୍ଛେଦ ରିପୋର୍ଟକୁ ଦେଖାଇ ଏହା ଶ୍ରୀଦେବୀଙ୍କର ବୋଲି ଦାବି କରିଥିଲେ ଦୀପ୍ତି । ଏବଂ ସେହି ରିପୋର୍ଟରେ ଦର୍ଶା ଯାଇଥିଲା, ଶ୍ରୀଦେବୀଙ୍କ ମୃତ୍ୟୁ ଏକ ପ୍ରାୟୋଜିତ ଘଟଣା । ତେବେ ଦୀପ୍ତିଙ୍କ ଏଭଳି ଦାବିକୁ ମୁମ୍ବାଇର ଆଇନଜୀବୀ ଚାନ୍ଦନି ଶାହ ଗତବର୍ଷ ଆପତି କରିଥିଲେ । ଆଇନଜୀବୀ ଜଣଙ୍କ ୟୁଟ୍ୟୁବର ଦୀପ୍ତି ଏବଂ ତାଙ୍କ ଆଇନଜୀବୀ ଭାରତ ସୁରେଶ କାମାଥଙ୍କ ନାମରେ ଅଭିଯୋଗ କରିଥିଲେ । ପରେ ସିବିଆଇ ଉଭୟଙ୍କ ନାମରେ ମାମଲା ରୁଜୁ କରିଛି । ସିବିଆଇ ହୃଦବୋଧ କରିଛି ଯେ, ଶ୍ରୀଦେବୀ ମୃତ୍ୟୁ ମାମଲାରେ ଦୀପ୍ତି ଯେଉଁ ଦସ୍ତାବିଜ ଦର୍ଶାଇଛନ୍ତି ତାହା ନକଲି ଅର୍ଥାତ୍ ଜାଲ୍ । ହେଲେ ଦୀପ୍ତୀ ଜାତୀୟ ଗଣମାଧ୍ୟମରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ସିବିଆଇ ତାଙ୍କ ବୟାନ ରେକର୍ଡ କରି ନାହିଁ । ଚାର୍ଜସିଟକୁ ନେଇ ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ଚାର୍ଜଫ୍ରେମ୍ ବେଳେ ସେ କୋର୍ଟଙ୍କୁ ଆବଶ୍ୟକ ପ୍ରମାଣ ଦେବେ ବୋଲି କହିଛନ୍ତି । ଏହି ମାମଲାରେ ସିବିଆଇ ଗତବର୍ଷ ଡିସେମ୍ବର ୨ରେ ଭୁବନେଶ୍ୱରରେ ରେଡ୍ କରିଥିଲା । ୟୁଟ୍ୟୁବର ଦୀପ୍ତୀଙ୍କ ବାସଭବନରେ ଚଢାଉ କରି ମୋବାଇଲ୍ ଏବଂ ଲାପଟପ୍ ଜବତ କରିଥିଲା ।