ଶୁଣିଲେନି ବାବୁ, ଶୁଣିଲେନି ନେତା… ଜୀବନ ପାଇଁ କର୍କଟ ପୀଡିତା ସଞ୍ଜୁଲତାଙ୍କ ସଙ୍ଘର୍ଷ ସହିପାରିଲେନି ରାନୀ । ଘରକୁ ଗଲେ, ସାହାଯ୍ୟ କଲେ । ରାନୀ ପଣ୍ଡାଙ୍କ ପରେ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଲେ ସିନେ ଅଭିନେତ୍ରୀ ରାନୀ ସାହୁ ।

291

କନକ ବ୍ୟୁରୋ: ସବୁ ଗୁହାରୀ ସରକାର ଶୁଣନ୍ତିନି, ସବୁ ସମସ୍ୟା ବି ସରକାର ସମାଧାନ କରନ୍ତିନି । ଯେଉଁ ନେତାଙ୍କୁ ଭୋଟ ଦେଇ ଆମେ ଜିତାଇଥିଲୁ, ବିଧାୟକ ମନ୍ତ୍ରୀ କରିଥିଲୁ ସେମାନେ ବି ଜିତିଗଲା ପରେ ଗରିବକୁ ଅଣଦେଖା କରିବାର ଅନେକ ନଜିର ରହିଛି । ଆଉ ଠିକ ଏତିକି ବେଳେ ଦାରିତ୍ରତା ପାଇଁ ଦାରୁଣ ଦୁଃଖ ପାଉଥିବା ମଣିଷଙ୍କୁ ସାହାଯ୍ୟ କରିବାକୁ ଏମାନେ ପହଞ୍ଚିଯାଆନ୍ତି । ଦୁଇ ହାତରେ ଜିନିଷ ଧରି ଆସୁଥିବା ଏହି ମହିଳା ଜଣଙ୍କ ନେତା ନୁହଁନ୍ତି କି ଆଗାମୀ ଦିନରେ କୌଣସି ରାଜନୈତିକ ଅଭିଳାଷା ରଖି ଆସି ନାହାନ୍ତି । ବାସ୍ ଜଣେ ମଣିଷର କଷ୍ଟ ତାଙ୍କୁ ଟାଣି ଆଣିଛି । ଆଉ ସେ ବଢାଇ ଦେଇଛନ୍ତି ସହାୟତାର ହାତ ।

ସିନେ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ସାହୁ, ଜଣେ କ୍ୟାନସର ପୀଡିତାଙ୍କ କଷ୍ଟ ଦେଖି ନିଜକୁ ସମ୍ଭାଳି ପାରିନଥିଲେ । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ବରଦିଆ ଗାଁର ସଞ୍ଜୁଲତା ମଲ୍ଲିକ ଦୀର୍ଘ ୧ ବର୍ଷ ହେବ ମୁଖ କର୍କଟରେ ପୀଡିତ । ଚିକିତ୍ସା ପାଇଁ ପାଖରେ ଟଙ୍କା ପଇସା ନଥିବାରୁ ଭାଗ୍ୟକୁ ଆଦରି ଘରେ ପଡିରହିଛନ୍ତି । ନେତା ଠୁ ପ୍ରଶାସନିକ ଅଧିକାରୀ ସମସ୍ତଙ୍କୁ ସଞ୍ଜୁଙ୍କ ସଙ୍ଘର୍ଷ ଜଣାଇଥିଲେ ବି କିଛି ସୁଫଳ ମିଳି ନଥିଲା । ଆଉ ଶେଷରେ ସଞ୍ଜୁଙ୍କ ପାଖରେ ପହଞ୍ଚିଛନ୍ତି ସିନେ ଅଭିନେତ୍ରୀ ରାନୀ ସାହୁ ।

ଅଭିନେତ୍ରୀ ରାନୀ ସଞ୍ଜୁଲତାଙ୍କ ଗାଁକୁ ଚାଲି ଚାଲି ଯାଇ ତାଙ୍କ ଘରେ ପହଞ୍ଚିଥିଲେ । ଆଉ ତାଙ୍କୁ ନିଜ ହାତରେ ଖୁଆଇ ଦେଇ କିଛି ସାମଗ୍ରୀ ଦେବା ସହ ନିଜ ସକ୍ଷମ ଅନୁସାରେ ଟଙ୍କା ଦେଇଥିଲେ । ଖୁବଶୀଘ୍ର ସଞ୍ଜୁ ସୁସ୍ଥ ହୋଇଯାଆନ୍ତୁ ବୋଲି ପ୍ରଭୁ ଜଗନ୍ନାଥଙ୍କ ପାଖରେ ଆଶୁ ଆରୋଗ୍ୟ କାମନା କରିଥିଲେ ରାନୀ ।

ସେପଟେ ଗତମାସ ବନ୍ୟା ବେଳେ ବଡ ହୃଦୟର ପରିଚୟ ଦେଇଥିଲେ ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା । ବନ୍ୟା ବିପନ୍ନଙ୍କୁ ସାହାଯ୍ୟ କରି ବିପଦ ବେଳର ବନ୍ଧୁ ସାଜିଥିଲେ ରାନୀ ପଣ୍ଡା । ଲୋକଙ୍କ ଆଖିର ଲୁହ ଦେଖି ତାଙ୍କ ପାଖରେ ପହଞ୍ଚି ବେସାହାରାଙ୍କୁ ଖାଦ୍ୟ ବାଣ୍ଟିଥିଲେ ରାନୀ ପଣ୍ଡା । ଆଉ ବନ୍ୟାର ଠିକ ମାସେ ପରେ ଏବେ ସାମ୍ନାକୁ ଆସିଛନ୍ତି ଆଉ ଜଣେ ରାନୀ । କର୍କଟ ରୋଗୀଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି ରାନୀ ସାହୁ ।