ବାନ୍ଧବୀଙ୍କ ମଧ୍ୟରେ କଳି, ଗିରଫ ହେଲେ ଅଭିନେତ୍ରୀ ମୌସୁମୀ ନାୟକ: ବ୍ଲାକମେଲିଂ କରି ଟଙ୍କା ଆଦାୟ କରିବା ଅଭିଯୋଗରେ ଗିରଫ

492

କନକ ବ୍ୟୁରୋ: ଗିରଫ ହେଲେ ଅଭିନେତ୍ରୀ ମୌସୁମୀ ନାୟକ । ଲେଖିକା ବନସ୍ମିତାଙ୍କ ବିରୋଧରେ ଅପପ୍ରଚାର ନେଇ ହୋଇଥିବା ଅଭିଯୋଗ ଆଧାରରେ ମୌସୁମୀଙ୍କୁ ଗିରଫ କରିଛି ପୋଲିସ । ପୂର୍ବରୁ ମୌସୁମୀ ଓ ବନସ୍ମିତା ବାନ୍ଧବୀ ଥିଲେ । କିନ୍ତୁ ଟଙ୍କା କାରବାରକୁ ନେଇ ମନୋମାଳିନ୍ୟ ହେବା ପରେ ବିବାଦ ଉପୁଜି ମାମଲା ଥାନାକୁ ଯାଇଥିଲା । ତେବେ ଏହା ପଛରେ ଅନ୍ୟ କିଛି କାରଣ ଥିବା ଚର୍ଚ୍ଚା ହେଉଛି ।

ଫିଲ୍ମର କାହାଣୀ ଭଳି ଲାଗୁଥିବା ଏହି କଥାଟି ବାସ୍ତବିକ ଜୀବନରେ ଘଟିଛି । ପୂର୍ବରୁ ବାନ୍ଧବୀ ଥିବା ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ଆଧାରରେ ଅଭିନେତ୍ରୀ ମୌସୁମୀ ନାୟକଙ୍କୁ ଗିରଫ କରିଛି ଭୁବନେଶ୍ୱର ଇନଫୋସିଟି ପୋଲିସ । ମୌସୁମୀ ତାଙ୍କ ବିରୋଧରେ ଅପପ୍ରଚାର କରିଥିବା ଅଭିଯୋଗ କରିଥିଲେ ଲେଖିକା ବନସ୍ମିତା । ଏଥିସହ ତାଙ୍କୁ ବ୍ଲାକମେଲ କରି ଟଙ୍କା ମାଗୁଥିବା ଅଭିଯୋଗ କରିଥିଲେ ବନସ୍ମିତା । ଆଉ ଅଭିଯୋଗକୁ ଭିତି କରି ତଦନ୍ତ କରିବା ପରେ, ମୌସୁମୀଙ୍କୁ ଗିରଫ କରିଛି ପୋଲିସ । ମୌସୁମୀଙ୍କ ବିରୋଧରେ ଆଇପିସି ଧାରା ୩୮୫ ଅର୍ଥାତ ଧମକାଇ ଟଙ୍କା ମାଗିବା, ଧାରା ୨୯୪- ଅପଶବ୍ଦ ପ୍ରୟୋଗ ଓ ଧାରା ୫୦୬- ଅପରାଧିକ ଉଦ୍ଦେଶ୍ୟରେ ମାମଲା ରୁଜୁ ହୋଇଛି ।

ମୌସୁମୀ ଓ ବନସ୍ମିତା ଦୁହେଁ ଘନିଷ୍ଠ ବାନ୍ଧବୀ ଥିଲେ । ଦୁହିଁଙ୍କ ମଧ୍ୟରେ ପାରିବାରିକ ସମ୍ପର୍କ ଗଢ଼ି ଉଠିଥିଲା । କିନ୍ତୁ ଗତ କିଛି ଦିନ ତଳେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ତିକ୍ତତା ସୃଷ୍ଟି ହୋଇଥିଲା । ଏନେଇ ମୌସୁମୀ ଥାନାରେ ଅଭିଯୋଗ କରିଥିଲେ । ଏତଲାରେ ଦର୍ଶାଇଥିଲେ, ତାଙ୍କୁ ମିଛ କଥା କହି ୫ଲକ୍ଷ ୮୦ ହଜାର ଟଙ୍କା ଟ୍ରେଡିଂ ଆକାଉଂଟରେ ଲଗାଇବାକୁ କହି ଠକି ନେଇଛନ୍ତି ବନସ୍ମିତା । ମାଗିଲେ ଟଙ୍କା ଫେରାଉନାହାନ୍ତି । ମୌସୁମୀଙ୍କ ଅଭିଯୋଗ ପରେ ଥାନାରେ କମ୍ପରମାଇଜ୍ ପିଟିସନ ହୋଇଥିଲା । ମୌସୁମୀ ବନସ୍ମିତାଙ୍କ ମର୍ଯ୍ୟାଦା ହାନି କରିବେ ନାହିଁ ବୋଲି ପିଟିସନରେ ଉଲେଖ ରହିଥିଲା । କିନ୍ତୁ ପରବର୍ତି ସମୟରେ ମୌସୁମୀ ସାମାଜିକ ଗଣମାଧ୍ୟମରେ ବନସ୍ମିତା ଓ ତାଙ୍କ ସ୍ୱାମୀଙ୍କ ବିଷୟରେ କହିଥିଲେ ।

କେବଳ ଏହି ଗୋଟିଏ ଅଡିଓ ନୁହେଁ, ମୌସୁମୀଙ୍କର ଏକାଧିକ ଅଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ମୌସୁମୀଙ୍କ ଅଡିଓ ଶୁଣିବା ପରେ ଦୁଇ ବାନ୍ଧବୀଙ୍କ ଭିତରେ ଯେଉଁ କଳି ଚାଲିଛି, ତାହା କେବଳ ଟଙ୍କା କାରବାରକୁ ନେଇ ନୁହେଁ ବରଂ ଅନ୍ୟ କିଛି କାରଣ ରହିଛି ବୋଲି ସନ୍ଦେହ କରାଯାଉଛି ।