ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ଦେହାନ୍ତ। ଓଡିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା।

175

କନକ ବ୍ୟୁରୋ: ଷାଠିଏ ଦଶକରେ ଓଡିଆ ଚଳଚିତ୍ର ଜଗତରେ ଚହଳ ପକାଇ ଦେଇଥିବା ଝରଣା ଦାସ ଆଜି ଆମ ଗହଣରେ ନାହାନ୍ତି । ସୁମଧୁର କଣ୍ଠରେ ମନଛୁଆଁ ସଂଳାପ ଓ ଚମକ୍ରାର ଅଭିନୟ ଶୈଳୀରେ ଦର୍ଶକଙ୍କୁ ବାନ୍ଧି ରଖୁଥିବା ଅଭିନେତ୍ରୀ ଏବେ ଆରପାରିକୁ ଚାଲିଯାଇଛନ୍ତି । ୮୨ବର୍ଷ ବୟସରେ କଟକ ଚଣ୍ଡି ରୋଡ୍ ସ୍ଥିତ ବାସଭବନରେ ଆଖି ବୁଜିଛନ୍ତି ଏହି ବର୍ଷିୟାନ ଅଭିନେତ୍ରୀ । ବିଳମ୍ବିତ ରାତିରେ ଝରଣା ଦାସଙ୍କ ଦେହାନ୍ତ ଖବର ପାଇବା ପରେ ତାଙ୍କ ବାସଭବନକୁ ଲୋକଙ୍କ ସୁଅ ଛୁଟିଛି । ଶେଷ ଦର୍ଶନ କରିବା କଳାକାରଙ୍କ ଭିଡ ଜମିଛି ।

ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ମନ ଜିଣିଥିଲେ ଝରଣା ଦାସ । ତାଙ୍କ ବାସଭବନରେ ଥିବା ଫଟୋଚିତ୍ର, ମେଡାଲ, ପ୍ରମାଣପତ୍ର ସବୁ ତାଙ୍କ ଯାଦୁକରୀ ଅଭିନୟର ବାର୍ତାବହ । ଷାଠିଏ ଦଶକ ଓ ପରବର୍ତି ସମୟରେ ଏକାଧିକ ଓଡ଼ିଆ ଫିଲ୍ମରେ ସେ ଛାଡି ଯାଇଛନ୍ତି ଅଭିନୟର ଛାପ । ଓଡିଆ ଚଳଚ୍ଚିତ୍ର ମଲାଜହ୍ନ, ଅଦିନ ମେଘ, ସମୟ ବଡ଼ ବଳବାନ, ଅମଡ଼ା ବାଟ, ଶ୍ରୀଜଗନ୍ନାଥ, ନାରୀ, ହୀରାନୀଳା, ଭାଗ୍ୟ ଚକ୍ର, ପୁଜାଫୁଲ, ଆଁ ଜହ୍ନରେ ଲେଖିବା ନାଁ ଫିଲ୍ମରେ ଦେଖାଇଛନ୍ତି ଅଭିନୟର ଯାଦୁ । ୬୦ ଦଶକର ଓଡ଼ିଆ ସିନେମାରେ ଆଗଧାଡ଼ିର ଅଭିନେତ୍ରୀ ଥିଲେ ଝରଣା । ଚଳଚିତ୍ର ଛଡା ସେ ଆକାଶବାଣୀ ଓ ଦୁରଦର୍ଶନ ସହ ମଧ୍ୟ ଯୋଡି ହୋଇରହିଥିଲେ ।

ବୟୋଜ୍ୟେଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ଦେହାନ୍ତ ଖବରକୁ ନେଇ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଭିନେତ୍ରୀଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟୁଇଟ୍ କରି ଶୋକ ପ୍ରକାଶ କରିବା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ।