ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପିଟିସନର ଶୁଣାଣି । ବର୍ଷାଙ୍କ ବୟାନ ରେକର୍ଡ କଲେ ଡିଭି ଆକ୍ଟ ପ୍ରୋଟେକ୍ସନ ଅଫିସର

542

କନକ ବୁାରୋ : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପିଟିସନର ଶୁଣାଣି ଆରମ୍ଭ । ବର୍ଷାଙ୍କ ବୟାନ ରେକର୍ଡ କଲେ ଡିଭି ଆକ୍ଟ ପ୍ରୋଟେକ୍ସନ ଅଫିସର । ଘରୋଇ ହିଂସା ଓ ମାନସିକ ନିର୍ଯାତନା ଦେଉଥିବା ନେଇ ସ୍ୱାମୀ ଅନୁଭବଙ୍କ ବିରୋଧରେ ବର୍ଷା ଅଭିଯୋଗ ଆଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

କଟକ ପରିବାର ଅଦାଲତରେ ବର୍ଷା ନିଜ ଦାମ୍ପତ୍ୟ ସମ୍ପର୍କର ସୁରକ୍ଷାର ଅନୁରୋଧ କରି ରୁଜୁ କରିଥିବା ମାମଲାର ଶୁଣାଣି ହେବ । ସେପଟେ ଅନୁଭବଙ୍କ ଅଭିଯୋଗର ଜବାବ ସୋସିଆଲ ମିଡିଆରେ ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଫେସବୁକରେ ପୋଷ୍ଟ କରି ବର୍ଷା ଲେଖିଛନ୍ତି, ସତ କେବେ ଲୁଚି ରହେନା । ଜଣକ ଉପରେ ମିଛ ଅଭିଯୋଗ ଆଣି ଜଣକ ଚରିତ୍ର ଉପରେ ଆଙ୍ଗୁଠି ଉଠାଇବା ଆଗରୁ ଭଗବାନଙ୍କୁ ଭୟ କରିବା ଉଚିତ । ମୋର ଭଗବାନଙ୍କ ଉପରେ ସଂପୂର୍ଣ୍ଣ ବିଶ୍ୱାସ ରହିଛି ।

ଏପରି ଖରାପ ସମୟର ମୁକାବିଲା ପାଇଁ ସମସ୍ତଙ୍କ ଆଶିର୍ବାଦ କାମନା କରୁଛି ବୋଲି ପୋଷ୍ଟରେ ଲେଖିଛନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଅନୁଭବ ଜଣେ ମଦ୍ୟପ ଓ ଶାରୀରିକ ନିର୍ଯାତନା ଦେଉଥିବା ନେଇ ବର୍ଷା ସଂଗୀନ ଅଭିଯୋଗ କରିଥିଲେ । ସେପଟେ ପତ୍ନୀଙ୍କ ଆଚରଣକୁ ନେଇ ଅସନ୍ତୁଷ୍ଟ ଅନୁଭବ, ଛାଡପତ୍ର ପାଇଁ କୋର୍ଟରେ ୪୭ ପୃଷ୍ଠାର ଏକ ପିଟିସନ କରିଛନ୍ତି । ଅନୁଭବଙ୍କ ଓକିଲ କହିଛନ୍ତି ଯଦି ବର୍ଷା ଘରୋଇ ହିଂସାର ଶିକାର ହେଉଥିଲେ ତେବେ ଏତେ ଦିନ ଚୁପ ରହିଥିଲେ କାହିଁକି ? ଦିଲ୍ଳୀର ପଟିଆଲା ହାଉସ୍ କୋର୍ଟରେ ଅନୁଭବ ମହାନ୍ତି ଦାଖଲ କରିଥିବା ପିଟିସନ୍‌ର କପି କନକ ନ୍ୟୁଜ୍‌ର ହସ୍ତଗତ ହୋଇଛି ।