ନୋଟିସ ମିଳିବା ପରେ ସୁପ୍ରିମକୋର୍ଟ ଯିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଦିଲ୍ଲୀରେ ଅନୁଭବ କରିଥିବା ମାମଲାର ସ୍ଥାନାନ୍ତର ପାଇଁ କରିବେ ଆବେଦନ, ସେପଟେ ଅକ୍ଟୋବର ୧୨କୁ ଘୁଚିଂଲା ବର୍ଷାଙ୍କ ପିଟିସନର ଶୁଣାଣି

227

କନକ ବ୍ୟୁରୋ : ଆସନ୍ତା ଅକ୍ଟୋବର ୧୨କୁ ଘୁଂଚିଲା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପିଟିସନର ଶୁଣାଣି । ସେପଟେ ବର୍ଷାଙ୍କ ଘରକୁ ଯାଇ ଡିଭି ଆକ୍ଟ ପ୍ରୋଟେକ୍ସନ ଅଫିସର ବର୍ଷାଙ୍କ ବୟାନ ରେକର୍ଡ କରିଛନ୍ତି । ହେଲେ ବୟାନ ରେକର୍ଡର ରିପୋର୍ଟ ଦାଖଲ ହୋଇନଥିବାରୁ ଶୁଣାଣି ଘୁଂଚିଥିବା ବର୍ଷାଙ୍କ ଓକିଲ ସୂଚନା ଦେଇଛନ୍ତି ।

ସ୍ୱାମୀ ଅନୁଭବଙ୍କ ବିରୋଧରେ ଘରୋଇ ହିଂସା ଓ ନିର୍ଯାତନା ଅଭିଯୋଗ ଆଣି ଏସଡିଜେଏମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା । ତେବେ ଆଜି ଅନୁଭବଙ୍କ ପକ୍ଷରୁ କୋର୍ଟରେ କେହି ହାଜର ହୋଇ ନଥିବା ଜଣାପଡିଛି । ସେପଟେ ବର୍ଷାଙ୍କ ପକ୍ଷରୁ ପରିବାର କୋର୍ଟରେ ହୋଇଥିବା ମାମଲାର ଶୁଣାଣି ମଧ୍ୟ ଆରମ୍ଭ ହୋଇଛି । ବର୍ଷା ପରିବାର କୋର୍ଟରେ ଭରଣପୋଷଣ ସହ କ୍ଷତିପୂରଣ ଦାବି କରି ଅନୁଭବଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ କରିଛନ୍ତି ।

ନୋଟିସ ପାଇବା ପରେ ସୁପ୍ରିମକୋର୍ଟ ଯିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଅନୁଭବ କରିଥିବା ମାମଲାର ସ୍ଥାନାନ୍ତର ପାଇଁ ବର୍ଷା ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବେ । ଏନେଇ ବର୍ଷାଙ୍କ ଓକିଲ ସୂଚନା ଦେଇଛନ୍ତିି ।

ପଟିଆଲା ହାଉସ କୋର୍ଟରେ ଛାଡପତ୍ର ଆବେଦନ କରିଛନ୍ତି ଅନୁଭବ । ପତ୍ନୀଙ୍କ ଆଚରଣକୁ ନେଇ ଅସନ୍ତୁଷ୍ଟ ଅନୁଭବ, ଛାଡପତ୍ର ପାଇଁ କୋର୍ଟରେ ୪୭ ପୃଷ୍ଠାର ଏକ ପିଟିସନ ଦାଖଲ କରିଛନ୍ତି । ହେଲେ ବର୍ଷାଙ୍କ ନିକଟରେ ଏପର୍ଯ୍ୟନ୍ତ ଲିଗାଲ ନୋଟିସ ପହଁଚି ନାହିଁ । ତେଣୁ ନୋଟିସ ପହଁଚିବା ପରେ ସୁପ୍ରିମକୋର୍ଟ ଯିବେ ବର୍ଷା ।