ଏନସିବି ଅଫିସରେ ଡେରିରେ ପହଞ୍ଚିଲେ ଅନନ୍ୟା । ଏପରି କଡା କଥା ଶୁଣେଇଲେ ଅଧିକାରୀ ୱାଙ୍ଖଡେ !

174

କନକ ବ୍ୟୁରୋ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଏବେ ଏନସିବି ରାଡାରରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଏହି ଘଟଣାରେ ସମ୍ପୃକ୍ତ ବଲିଉଡ ଆକ୍ଟର ଶାହାରୁଖଙ୍କ ପୁଅ ଆରୟନଙ୍କ ସହ ଚ୍ୟାଟିଙ୍ଗକୁ ନେଇ ଅନନ୍ୟାଙ୍କୁ ଚାଲିଛି ଜେରା । ପ୍ରଥମେ ଘରକୁ ଯାଇ ଜେରା କରିବା ପରେ ଶୁକ୍ରବାର ଅନନ୍ୟାଙ୍କୁ ଜେରା ପାଇଁ ଏନସିବି ଅଫିସକୁ ଡକାଯାଇଥିଲା ।ହେଲେ ୩ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ ଅନନ୍ୟା । ଏଥିରେ ରାଗିଯାଇ ତାଙ୍କୁ କଡା କଥା କହିଥିଲେ ଏନସିବିର ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେ ।

କଥା ହେଉଛି ଡ୍ରଗ୍ସ ମାମଲାରେ ଆରୟନଙ୍କ ସହ ଅନନ୍ୟାଙ୍କ ହ୍ୱାଟ୍ସଆପ ଚ୍ୟାଟ ମିଳିବା ପରେ ଅନନ୍ୟାଙ୍କ ସମସ୍ୟା ବଢିଯାଇଛି । ଏନେଇ ଆହୁରି ଖୋଳତାଡ କରିବାକୁ ଶୁକ୍ରବାର ଏନସିବି ଅଫିସରେ ପହଞ୍ଚିବାକୁ ତାଙ୍କୁ ସମନ ହୋଇଥିଲା । ଏନସିବି ସକାଳ ୧୧ଟା ସମୟ ଦେଇଥିଲେ ବି ଅନନ୍ୟା ୩ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ । ଅନନ୍ୟାଙ୍କ ଏପରି ବେପରୁଆ କାମ ସମୀର ୱାଙ୍ଖଡେଙ୍କୁ ଆଦୌ ପସନ୍ଦ ଆସିନଥିଲା । ରାଗିଯାଇ କହିଥିଲେ’ ଆପଣଙ୍କୁ ୧୧ଟା ବେଳେ ପହଞ୍ଚିବାକୁ ନୋଟିସ୍ ହୋଇଥିଲା, ହେଲେ ଆପଣ ଏବେ ଆସୁଛନ୍ତି । ଏଠି ଅଧିକାରୀମାନେ ଆପଣଙ୍କ ଅପେକ୍ଷାରେ ବସିନାହାଁନ୍ତି । ଇଏ ଆପଣଙ୍କ ପ୍ରଡକ୍ସନ୍ ହାଉସ୍ ନୁହେଁ ଯେ ଯେତେବେଳେ ଇଚ୍ଛା ଆସିବେ ଆଉ ଯିବେ । ଏହା ସେଣ୍ଟାଲ ଏଜେନ୍ସିର କାର୍ଯ୍ୟାଳୟ । ଯେଉଁ ସମୟରେ ଡକାଯିବ ଠିକ୍ ସେହି ସମୟରେ ଆସି ପହଞ୍ଚନ୍ତୁ’ ।

କହିରଖୁଁ କି, ଆରୟନଙ୍କ ଗିରଫ ପରେ ଅନନ୍ୟାଙ୍କ ହ୍ୱାଟ୍ସଆପ୍ ଚ୍ୟାଟିଙ୍ଗକୁ ଅନେକ ପ୍ରଶ୍ନ ଉଠୁଛି । ଦୁହିଁଙ୍କ ମଧ୍ୟରେ ଥିବା ସମ୍ପର୍କ ଓ ଏମାନଙ୍କ ମଧ୍ୟରେ ଡ୍ରଗ୍ସ କାରବାର ଥିଲା କି ନାହିଁ ଏନେଇ ଖୋଳତାଡ ଆରମ୍ଭ କରିଛି ଏନସିବି, ଯାହାକୁ ନେଇ ଅନନ୍ୟାଙ୍କୁ ଦୁଇଥର ଜେରା କରିସାରିଲାଣି ଏନସିବି । ଶୁକ୍ରବାର ୪ ଘଂଟା ଧରି ଜେରା କରିବା ପରେ ପୁଣିଥରେ ଆସନ୍ତା ସୋମବାର ଜେରା କରିବାକୁ ସମନ ହୋଇଥିବା ଜଣାପଡିଛି ।
ତେବେ ଦୁହିଁଙ୍କ ମଧ୍ୟରେ ଗଂଜେଇ ବାବଦରେ ଚ୍ୟାଟିଂ ହୋଇଥିଲେ ବି ଏହାକୁ ଏଡାଇଥିଲେ ଅନନ୍ୟା । କହିଥିଲେ ସେ କେବଳ ଆରୟନଙ୍କ ସହ ମଜା କରୁଥିଲେ । ହେଲେ ଏହାକୁ ଏତେ ସହଜରେ ଗ୍ରହଣ କରିପାରୁ ନାହିଁ ଏନସିବି । ଡ୍ରଗ୍ସ କାରବାର ଘଟଣାରେ କୌଣସି ଅନ୍ତର୍ଜାତୀୟ ସ୍ତରରେ ଆରୟନଙ୍କ ସହ ଅନନ୍ୟାଙ୍କର ମଧ୍ୟ ସମ୍ପୃକ୍ତି ରହିଥିବା ଆଶଙ୍କା କରି ଜେରା ଜାରି ରଖିଛି ଏନସିବି ।
ଯେଉଁ ଚ୍ୟାଟ୍ସକୁ ଆଧାର କରି ଅନନ୍ୟା ପାଣ୍ଡେଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଇଛି, ତାହାକୁ ନେଇ ଚର୍ଚ୍ଚା ଜୋର ହେବାରେ ଲାଗିଛି । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଆରୟନ ଖାନଙ୍କ ଠାରୁ ଡ୍ରଗ୍ସ ପେଡଲରଙ୍କ ନମ୍ବର ନେଇଥିଲେ ଅନନ୍ୟା । ଦୁହିଁଙ୍କ ଭିତରେ ଗଂଜେଇ ସେବନ ନେଇ ମଧ୍ୟ ହୋଇଥିଲା ଆଲୋଚନା । ୨୦୧୮-୧୯ରେ ଗଂଜେଇ ସେବନ ନେଇ ଦୁହିଁଙ୍କ ଭିତରେ ହୋଇଥିଲା ଆଲୋଚନା ।