ଡ୍ରଗ୍ସ ମାମଲାରେ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ: ଆରୟନଙ୍କୁ ଡ୍ରଗ୍ସ ଯୋଗାଉଥିବା ନେଇ ଅଭିନେତ୍ରୀ ଅନନ୍ୟାଙ୍କ ବିରୋଧରେ ଅଭିଯୋଗ

152

କନକ ବ୍ୟୁରୋ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଗୋଟିଏ ପଟେ ଶାହରୁଖ ଖାନଙ୍କ ପୁଅ ଆରୟନଙ୍କ ବେଲ୍ ଖାରଜ ହେବାରୁ ଗତ ୧-ଦିନ ହେବ ସେ ଜେଲରେ ଅଛନ୍ତି । ଏପଟେ ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ନାଁ ଡ୍ରଗ୍ସ କେସ୍ରେ ଜଡିତ ଥିବା ଏନସିବି ହାତରେ ତଥ୍ୟ ହସ୍ତଗତ ହୋଇଛି । ସେପଟେ ଡ୍ରଗ୍ସ ମାମଲାରେ ଏନସିବିକୁ ଘେରିଛି ମହାରାଷ୍ଟ୍ରର ବିଭିନ୍ନ ରାଜନୈତିକ ଦଳ । ଏନସିବି ଜାଣିଶୁଣି ଶାହରୁଖ ଖାନ୍ଙ୍କୁ ଟାର୍ଗେଟ୍ କରୁଥିବା ଅଭିଯୋଗ ହୋଇଛି ।

ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଏନସିବିର ନୋଟିସ୍ ପରେ ଆରୟନ ଖାନ୍ଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଅନେକ ପ୍ରଶ୍ନ ଉଠିଲାଣି । ଆଉ ଏନିସିବି ଦୁହିଁଙ୍କ ଭିତରେ ଥିବା ସମ୍ପର୍କ ଏବଂ ଏମାନଙ୍କ ଭିତରେ ଡ୍ରଗ୍ସ କାରୋବାର ଥିଲା କି ନାହିଁ ଏନେଇ ଖୋଳତାଡ କରିବା ଆରମ୍ଭ କରିଦେଇଛି । ଯାହାକୁ ନେଇ ଦୁଇ ଦିନ ହେବ ଏନସିବି ଅଫିସ୍ରେ ପହଁଚୁଛନ୍ତି ଅନନ୍ୟା । ଯେଉଁଠି ତାଙ୍କୁ କରାଯାଉଛି ଜେରା ।

ଯେଉଁ ଚ୍ୟାଟ୍ସକୁ ଆଧାର କରି ଅନନ୍ୟା ପାଣ୍ଡେଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଇଛି, ତାହାକୁ ନେଇ ଚର୍ଚ୍ଚା ଜୋର ହେବାରେ ଲାଗିଛି । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଆରୟନ ଖାନଙ୍କ ଠାରୁ ଡ୍ରଗ୍ସ ପେଡଲରଙ୍କ ନମ୍ବର ନେଇଥିଲେ ଅନନ୍ୟା । ଦୁହିଁଙ୍କ ଭିତରେ ଗଂଜେଇ ସେବନ ନେଇ ମଧ୍ୟ ହୋଇଥିଲା ଆଲୋଚନା । ୨୦୧୮-୧୯ରେ ଗଂଜେଇ ସେବନ ନେଇ ଦୁହିଁଙ୍କ ଭିତରେ ହୋଇଥିଲା ଆଲୋଚନା ।

ଆରୟନ୍ ଖାନ୍ଙ୍କ ଚ୍ୟାଟ୍ସ କୁ ଆଧାର କରି ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଇଛି । ଗୁରୁବାର ଏନସିବି ଅନନ୍ୟା ପାଣ୍ଡେଙ୍କ ଘରେ ପହଁଚି ତାଙ୍କୁ ସମନ କରିବା ପରେ ଗୁରୁବାର ଏନିସିବି ଅଫିସ୍ରେ ହାଜର ହୋଇଥିଲେ ଅଭିନେତ୍ରୀ ଜଣଙ୍କ । ଏହାପରେ ଅଧିକ ପଚରା ଉଚୁରା ପାଇଁ ଅନନ୍ୟାଙ୍କୁ ଶୁକ୍ରବାର ମଧ୍ୟ ଏନିସିବି ଅଫିସ୍ରେ ହାଜର ହେବାକୁ ପଡିଛି । ତେବେ ଜେରା ବେଳେ ଅନନ୍ୟା କେବେ ଡ୍ରଗ୍ସ ନେଇ ନଥିବା କହିଛନ୍ତି । ଅନନ୍ୟା ପାଣ୍ଡେ, ଶାହରୁଖଙ୍କ ଝିଅ ସୁହାନାଙ୍କ ଘନିଷ୍ଠ ବନ୍ଧୁ । ଆଉ ଅଧିକାଂଶ ସମୟ ଆରୟନ ଓ ସୁହାନାଙ୍କ ସହ ପାର୍ଟି କରୁଥିବା ସେ ନଜର ଆସିଛନ୍ତି ।

ସେପଟେ ଡ୍ରଗ୍ସ ମାମଲାରେ ଶାହରୁଖ୍ ଖାନ୍ଙ୍କୁ ଟାର୍ଗେଟ କରାଯାଉଥିବା ଅଭିଯୋଗ କରିଆସୁଛନ୍ତି ଏନସିପି ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକ । ଏନସିବି ନିର୍ଦ୍ଦେଶକ ସମୀର ୱାଙ୍ଖଡେ ବଟି ନେଉଥିବା ଅଭିଯୋଗ କରିଛନ୍ତି ମନ୍ତ୍ରୀ । ଆଉ ସେ ପବ୍ଲିସିଟି ପାଇଁ ବଲିଉଡ୍ ଷ୍ଟାରଙ୍କୁ ଟାର୍ଗେଟ କରୁଛନ୍ତି ବୋଲି ମନ୍ତ୍ରୀ ନବାବ ମଲ୍ଲିକ କହିଛନ୍ତି । ଯାହାର ଜବାବ ରଖି ସମୀର ୱାଙ୍ଖଡେ କହିଛନ୍ତି ସେ କେବଳ ନିଜ କର୍ତବ୍ୟ କରୁଛନ୍ତି ।

ଏହି ଘଟଣା ଆଗକୁ କେଉଁ ମୋଡ ନେଉଛି ତାହା ଆସନ୍ତା ମଙ୍ଗଳବାର ହାଇକୋର୍ଟଙ୍କ ଶୁଣାଣୀ ପରେ ଜଣାପଡିବ । ମଙ୍ଗଳବାର ଆରୟନଙ୍କ ଜାମିନ ନେଇ ମୁମ୍ବାଇ ହାଇକୋର୍ଟଙ୍କ ଶୁଣାଣୀ ଅଛି ।