ଲଗଜୁରୀ ଲାଇଫ୍ ଛାଡି ସନ୍ନ୍ୟାସ ନେଲେ । ଏବେ ଭିକ୍ଷା ମାଗୁଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ

1,189

କନକ ବ୍ୟୁରୋ: ଦିନେ ଟେଲି ଦୁନିଆଁରେ ରାଜ୍ କରୁଥିଲେ । ତାଙ୍କ ନିଖୁଣ ଅଭିନୟ ତାଙ୍କୁ ଦେଇଥିଲା ସ୍ୱତନ୍ତ୍ର ପରିଚୟ ଓ ଅଜସ୍ର ପ୍ରଶଂସା । ହେଲେ ଏସବୁ କିଛି ବି ତାଙ୍କୁ ବେଶିଦିନ ବାନ୍ଧି ରଖିପାରିଲାନି । ଶେଷରେ ଅଭିନେତ୍ରୀ ନେଲେ ଚରମ ନିଷ୍ପତ୍ତି । ସବୁ ସୁଖ ସ୍ୱାଚ୍ଛନ୍ଦ୍ୟକୁ ପଛରେ ପକାଇ ସନ୍ନ୍ୟାସ ନେଲେ । ଏବେ ନିୟମ ଅନୁସାରେ ଭିକ୍ଷା ମାଗୁଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ ।
ଏହି ଅଭିନେତ୍ରୀ ହେଉଛନ୍ତି ଟେଲି ଦୁନିଆଁର ଜଣାଶୁଣା ଅଭିନେତ୍ରୀ ନୂପୁର ଅଲଙ୍କାର । ଏକ ମନ୍ଦିର କଡ ରାସ୍ତାରେ ନୂପୁର ଭିକ୍ଷା କରୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିକ୍ଷାରେ ତାଙ୍କୁ ୨୧ ଟଙ୍କା ସହ ଜଣେ ବ୍ୟକ୍ତି ତାଙ୍କୁ କପେ ଚା’ ଦେଇଛନ୍ତି । ଆଉ ଜଣେ ବ୍ୟକ୍ତି ତାଙ୍କୁ କିଛି ପ୍ରସାଦ ଦେଇଥିବା ଏଥିରେ ଦେଖିବାକୁ ମିଳିଛି ।

ଅଭିନୟ ଜଗତରେ ତାଙ୍କର ବେଶ୍ ନାଁ ଥିଲା । ତାଙ୍କ ପାଖରେ ଧନର ବି କିଛି ଅଭାବ ନଥିଲା । ଭଲ ଘର ପରିବାର ସବୁଥିରେ ତାଙ୍କର ସମୃଦ୍ଧି ଥିଲା । ଅଭିନୟକୁ ନେଇ ତାଙ୍କ କ୍ୟାରିଅର ଯେତେବେଳ ଶୀର୍ଷ ଛୁଇଁଥିଲା ସେତେବେଳେ ସେ ଏଥିରୁ ବିଦାୟ ନେବାକୁ ନିଷ୍ପତ୍ତି ନେଲେ । ଟେଲିଭିଜନର ରଙ୍ଗୀନ ଦୁନିଆଁକୁ ଅଲବିଦା କହି ଆଧ୍ୟାତ୍ମ ଜୀବନକୁ ବାଛିନେଲେ । ଖୁବ କମ୍ ବୟସରୁ ଈଶ୍ୱରଙ୍କ ପ୍ରତି ଅନୁରକ୍ତ ଥିବା ନୂପୁରଙ୍କୁ ଆଦି ଭୌତିକ ଜଗତ ଯେପରି ଆକର୍ଷିତ କରୁଥିଲା । ତେଣୁ ଦୀର୍ଘ ୨୭ ବର୍ଷର ଆକ୍ଟିଙ୍ଗ କ୍ୟାରିଅରକୁ ସେ ବିନା ଦ୍ୱିଧାରେ ଛାଡିଦେଇ ଆଧ୍ୟାତ୍ମ ଅନୁସରଣରେ ମନଯୋଗୀ ହୋଇଗଲେ । ଯଦିଓ ତାଙ୍କ ଉପରେ ସ୍ୱାମୀ, ପରିବାର ଓ ତାଙ୍କ ମା’ଙ୍କର ଦାୟିତ୍ୱ ଥିଲା ହେଲେ ତା ଭିତରେ ବି ସେ ଯୋଗ ଧ୍ୟାନରେ ସମୟ ବିତାଉଥିଲେ ।

କରୋନା ସମୟରେ ବଡ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ ନୂପୁର । ଏହି ସମୟରେ ତାଙ୍କ ମା’ ଗୁରୁତର ଅସୁସ୍ଥ ହୋଇପଡିଥିଲେ । ଏହା ଉପରେ ଆଉ ଏକ ସମସ୍ୟା ତାଙ୍କ ଉପରେ ଭାରି ପଡିଥିଲା । ପିଏମ ସ୍କାମ ଯୋଗୁଁ ତାଙ୍କ ପାଖରେ ଟଙ୍କା ଥାଇବି ସେ କିଛି ବି ଟଙ୍କା ବ୍ୟାଙ୍କରୁ ଉଠାଇପାରିନଥିଲେ । ତାଙ୍କ ସ୍ୱାମୀ ମଧ୍ୟ କିଛି ଟଙ୍କା ଉଠାଇପାରିନଥିଲେ । ଫଳରେ ତାଙ୍କୁ ଅନ୍ୟମାନଙ୍କ ଠାରୁ ଆର୍ଥିକ ସାହାଯ୍ୟ ନେବାକୁ ପଡିଥିଲା । ଚିକିତ୍ସା ସହ ନୂପୁରଙ୍କ ଅଦମ୍ୟ ସେବା ଶୁଶ୍ରୁଷା ପରେ ବି ତାଙ୍କ ମା’ ଆରପାରିକୁ ଚାଲିଯାଇଥିଲେ । ଯାହା ତାଙ୍କୁ ବୈରାଗ୍ୟ ଆଡକୁ ନେଇଯାଇଥିଲା ।
ଆଲାଦିନ୍, ଶକ୍ତିମାନ୍, ଦିୟା ବାତି ଔର ହମ୍, ୟେ ପ୍ୟାର ନା ହୋଗା କମ୍, ଅଗଲେ ଜନମ୍ ମୋହେ ବିଟିୟା ହି କିଜୋ ପରି ପପୁଲାର ସିରିଏଲ ସହ ଅନେକ ଫିଲ୍ମରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି ନୂପୁର । ହେଲେ ମା’ଙ୍କ ଦେହାନ୍ତ ପରେ ତାଙ୍କର ଏଥିପ୍ରତି ବିତୃଷ୍ଣା ଅସିଥିଲା । ଆଗକୁ ବଢୁଥିବା କ୍ୟାରିଅରକୁ ଛାଡି ଯୋଗ ଧ୍ୟାନରେ ମନୋନିବେଶ କଲେ । ଏତିକିରେ ତାଙ୍କ ମନ ମାନିଲା ନାହିଁ । ଫଳରେ ଦାମ୍ପତ୍ୟ ଜଞ୍ଜାଳରୁ ବିଦ୍ୟାୟ ନେବାକୁ ନିଷ୍ପତ୍ତି ନେଲେ । ଏଥିପାଇଁ ସ୍ୱାମୀ ଅଲଙ୍କାର ଶୀବାସ୍ତବ ଓ ଶାଶୁଙ୍କ ସହ ଆପୋଷ ଆଲୋଚନା ପରେ ସେମାନଙ୍କର ସହମତି ମିଳିଥିଲା ।

ମୁମ୍ବାଇରେ ଥିବା ତାଙ୍କର ଏକ ଆଲିସାନ୍ ଘରକୁ ଭଡା ଦେଇ ଫେବ୍ରୁଆରୀ ମାସରୁ ସନ୍ନ୍ୟାସ ଜୀବନ ବିତାଉଛନ୍ତି ନୂପୁର । ଘର ଭଡାରୁ ଯାହା ଅର୍ଥ ମିଳୁଛି ତାକୁ ସେ ଦାନଧର୍ମ, ତୀର୍ଥ ଭ୍ରମଣ ଓ ସମାଜ ସେବାରେ ଲଗାଉଥିବା କହିଛନ୍ତି ।

ମା’ଙ୍କ ଦେହାନ୍ତ ପରେ ତାଙ୍କୁ ଆଉ କିଛି ହରାଇବାର ଡର ନାହିଁ । ଜୀବନଠାରୁ ତାଙ୍କର ଆଉ କିଛି ଆଶା, ପ୍ରତ୍ୟାଶା ବି ନାହିଁ ଏବେ କେବଳ ଈଶ୍ୱରଙ୍କୁ ଅନୁଭବ କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ । ଏଥିପାଇଁ ସେ ହିମାଳୟ ଅଭିମୁଖେ ଯାତ୍ରା କରୁଥିବା କହିଛନ୍ତି ନୂପୁର ।