ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଦାଣ୍ଡରେ ଅଭିନେତା ଓ ଅଭିନେତ୍ରୀ । ବିଜେଡି ପାଇଁ ଆକାସ, ବିଜେପି ପାଇଁ ଶ୍ରୀତମ, ଅଶ୍ରୁମୋଚନ ଓ ପିଙ୍କିଙ୍କ ପ୍ରଚାର

223

କନକ ବ୍ୟୁରୋ: ଗାଁ ଦାଣ୍ଡରେ ବଡ ବଡ ଷ୍ଟାର । ପଞ୍ଚାୟତ ପାଇଁ ପ୍ରଚାରରେ ଗାଁ ଗାଁରେ ପହଞ୍ଚିିଛନ୍ତି ନେତା ଓ ଅଭିନେତା । ବିଜେଡି ପାଇଁ ଆକାସ ଦାସନାୟକ ପ୍ରଚାର କରୁଥିବା ବେଳେ ବିଜେପି ପାଇଁ ପ୍ରଚାର କରିଛନ୍ତି ଶ୍ରୀତମ ଦାସ, ଅଶ୍ରୁମୋଚନ ଓ ପିଙ୍କି ।

ଶ୍ରୀତମ, ଅଶ୍ରୁମୋଚନ, ପିଙ୍କି, ଆକାଶ । ପଞ୍ଚାୟତ ନିର୍ବାଚନରେ ପ୍ରଚାର ପାଇଁ ଗାଁ ମୁହାଁ ହୋଇଛନ୍ତି ଅଭିନେତା, ଅଭିନେତ୍ରୀ । ବିଭିନ୍ନ ଦଳ ପାଇଁ ମାରାଥନ ପ୍ରଚାର ଚଳାଇଛନ୍ତି ସିନେଷ୍ଟାର । ଘରକୁ ଘର ବୁଲି ଓ ରୋଡ ସୋ କରି ପ୍ରାର୍ଥୀଙ୍କ ପାଇଁ କରୁଛନ୍ତି ପ୍ରଚାର ।

କେନ୍ଦ୍ରାପଡ଼ା ମାର୍ଶାଘାଇ ବ୍ଲକରେ ବିଜେପି ଜିଲ୍ଲାପରିଷଦ ପ୍ରାର୍ଥୀପାଇଁ ରୋଡ ଶୋ କରିଛନ୍ତି ଅଭିନେତାରୁ ନେତା ପାଲଟିଥିବା ଶ୍ରୀତମ ଦାସ । ୨୪ ନମ୍ବର ଜୋନରେ ସେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ଆସନ୍ତା ୧୮ ତାରିଖରେ ଏଠାରେ ଭୋଟ୍ ପଡିବ । ଭୋଟ ପାଇଁ ଆଉ ଅଳ୍ପ ସମୟ ବାକିଥିବାବେଳେ ଅଭିନେତାଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇଛି ବିଜେପି ।

ସେପଟେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡି ପ୍ରଚାରକୁ ଜୋରଦାର କରିଛି । ଆଉ ଶେଷ ପର୍ଯ୍ୟାୟରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଆକାଶ ଦାସ ନାୟକ । ଦେବଗଡ ଜିଲ୍ଲାର ବାରକୋଟ ବ୍ଲକରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ଘରକୁ ଘର ବୁଲି ପ୍ରଚାର କରିଛନ୍ତି ଅଭିନେତା ଆକାଶ ଦାସ ନାୟକ ।

ଅନ୍ୟପଟେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ନେତାଙ୍କ ପରେ ଗାଁ ଦାଣ୍ଡକୁ ଓହ୍ଲାଇଛନ୍ତି ଓଲିଉଡ ଅଭିନେତ୍ରୀ ପିଙ୍କି ପ୍ରଧାନ । ଚାନ୍ଦବାଲି ଓ ଧାମନଗରରେ ପାଇଁ ଗାଁ ଦଣ୍ଡାରେ ରୋଡ ଶୋ କରିଛନ୍ତି । ଚାନ୍ଦବାଲି ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ଖୋଲା ଗାଡିରେ ମାରାଥନ ପ୍ରଚାର କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ବି ସେ ସାମିଲ ହୋଇଥିଲେ । ଆଉ ବିଜେଡି ସରକାରଙ୍କୁ ଟାର୍ଗେଟ କରିଥିଲେ ।

ଉପାନ୍ତ ଅଞ୍ଚଳରେ ଷ୍ଟାର ପ୍ରଚାରକ । ମାଲକାନଗିରି ଜିଲ୍ଲା ଆଦିବାସୀ ଅଧୁଷିତ ଖଇରପୁଟ ଓ ମାଥିଲି ବ୍ଲକର ବିଭିନ୍ନ ସ୍ଥାନରେ ବୁଲି ବିଜେପି ପାଇଁ ପ୍ରଚାର କରିଛନ୍ତି ଅଭିନେତା ଅଶ୍ରୁମୋଚନ ମହାନ୍ତି । ଦଳୀୟ ପ୍ରାର୍ଥିଙ୍କୁ ସାଙ୍ଗରେ ଧରି ଭୋଟ ମାଗିଥିଲେ ଅଭିନେତା । କୋଉଠି ଲୋକଙ୍କୁ ଆକୃଷ୍ଟ କରିବାକୁ ଲୋକଙ୍କ ସହିତ ନାଚୁଥିଲେ ତ ଆଉ କେଉଁଠି ଲୋକଙ୍କୁ ପ୍ରତିଶ୍ରୁତି ଦେଇ ବିଜେପି ସପକ୍ଷରେ ଭୋଟ ଦେବାକୁ କହିଥିଲେ ଅଶ୍ରୁମୋଚନ ମହାନ୍ତି ।