ଚିଟଫଣ୍ଡ ଲିଙ୍କରେ ଅଭିନେତା ଶ୍ରୀତମ ଦାସଙ୍କୁ ୭ଘଣ୍ଟା ଧରି ଜେରା କଲା ଇଡି ! ବେଆଇନ ଅର୍ଥ କାରବାରର ମାଗିଲା ହିସାବ ।

38

କନକ ବ୍ୟୁରୋ : ଚିଟଫଣ୍ଡ ଲିଙ୍କ୍ ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଜେରାର ସମ୍ମୁଖିନ ହୋଇଛନ୍ତି ଓଲିଉଡ ଅଭିନେତା ଶ୍ରୀତମ ଦାସ । ଷ୍ଟାର କନସଲଟାନ୍ସି ବ୍ୟାନରରେ ନିର୍ମାଣ ହୋଇଥିବା- ତୁ ଥା ମୁଁ ଯାଉଛି ରୁଷି ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ ଶ୍ରୀତମ ଦାସ୍ । ଏହି ଫିଲ୍ମ ପାଇଁ କେତେ ଟଙ୍କା ଲାଗିଥିଲା, କେଉଁ ବାଟରେ ଖର୍ଚ୍ଚ ହୋଇଥିଲା ଏବଂ କାହା-କାହା ପାଖକୁ ଟଙ୍କା ଯାଇଥିଲା, ସେ ନେଇ ଜେରା କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ବେଆଇନ ଅର୍ଥ କାରବାର ନେଇ ଫିଲ୍ମର ପ୍ରଯୋଜକ ତ୍ରିବେଣୀ ମହାନ୍ତିଙ୍କୁ ୭ବର୍ଷ ହେଲା ଇଡି ଖୋଜୁଥିବା ବେଳେ ଏହି ମାମଲାରେ ପ୍ରଥମଥର ପାଇଁ ଜେରାର ସମ୍ମୁଖିନ ହୋଇଛନ୍ତି ଓଲିଉଡ୍ ଅଭିନେତା ଶ୍ରୀତମ ଦାସ ।

ଲୋକଙ୍କ କଷ୍ଟ ଉପାର୍ଜିତ ଟଙ୍କାରେ ଫିଲ୍ମ ନିର୍ମାଣ କରି ମନୋରଂଜନର ବେଉସା କରିବାର ପରିକଳ୍ପନା, ଫିଲ୍ମର ପ୍ରଯୋଜକଙ୍କ ପାଇଁ ଯେତେ ବଡ ସମସ୍ୟା ସୃଷ୍ଟି କରିଛି, ତାଠୁ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଶ୍ରୀତମ  । ଫିଲ୍ମ ପରଦାର ଏହି ନାମିଦାମୀ ଚେହେରା, ବେଆଇନ ଅର୍ଥ କାରବାର ଅଭିଯୋଗରେ ପ୍ରବର୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଜେରା ସମ୍ମୁଖୀନ ହୋଇଛନ୍ତି । ୪ ବର୍ଷ ତଳେ ନିର୍ମାଣ ହୋଇଥିବା ଫିଲ୍ମ ‘ତୁ ଥା ମୁଁ ଯାଉଛି ରୁଷି’, ଯେଉଁ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଶ୍ରୀତମ ଦାସ, ସେହିଫିଲ୍ମ ଯୋଗୁଁ ବିବାଦ ଘେରକୁ ଚାଲି ଆସିଛନ୍ତି ଅଭିନେତାରୁ ନେତା ପାଲଟିଥିବା ଶ୍ରୀତମ ।

୬ ଘଂଟାରୁ ଅଧିକ ସମୟ ଧରି ଇଡି ଜେରାର ସମ୍ମୁଖିନ ହୋଇଛନ୍ତି ଅଭିନେତା ତଥା ନିର୍ଦ୍ଦେଶକ ଶ୍ରୀତମ ଦାସ । ଷ୍ଟାର କନସଲଟେନ୍ସି ବ୍ୟାନରରେ ନିର୍ମାଣ ହୋଇଥିବା ଏହି ଫିଲ୍ମରେ କେତେ ଟଙ୍କା ଲାଗିଥିଲା, ଟଙ୍କା କେଉଁ ବାଟରେ ଖର୍ଚ୍ଚ ହୋଇଥିଲା ଏବଂ କାହା କାହା ପାଖକୁ ଯାଇଥିଲା ସେ ଉପରେ ଡିଜି ଜେରା କରିଥିବା ସୂଚନା ମିଳିଛି । ଷ୍ଟାର୍ କନସଲଟାନ୍ସି ହେଉଛି ସେହି ଚିଟଫଣ୍ଡ କମ୍ପାନୀ, ଯେଉଁ କଂପାନୀ ୨ଶହ କୋଟିରୁ ଅଧିକ ଟଙ୍କାର ଚିଟଫଣ୍ଡ କାରବାର କରିଥିବାର ଅଭିଯୋଗ ରହିଛି । ଏହି କଂପାନୀର ମୁଖ୍ୟ ତ୍ରିବେଣୀ ମହାନ୍ତିଙ୍କୁ ଇଡି ସମନ୍ କରିଥିଲେ ସୁଦ୍ଧା ୨୦୧୧ ମସିହାରୁ ଫେରାର୍ ଅଛନ୍ତି ତ୍ରିବେଣୀ ମହାନ୍ତି । ଫଳରେ କଂପାନୀର ୮୩ ଲକ୍ଷ ସମ୍ପତି ଇଡି ଆଟାଚ୍ କରିଛି । ଯେଉଁଥିରେ ୫୦ ଲକ୍ଷ ସଂପତି ରହିଥିବା ବେଳେ ୩୩ ଲକ୍ଷ ବ୍ୟାଙ୍କ ବାଲାନ୍ସ ରହିଛି । ବେଆଇନ ଅର୍ଥକାରବାର ଯୋଗୁଁ ପୂର୍ବରୁ ଏହି ଚିଟ୍ଫଣ୍ଡ କଂପାନୀର ୧୫ ଜଣଙ୍କୁ ଡାକି ଇଡି ଜେରା କରିଥିବା ବେଳେ ପ୍ରଥମ ଥର ପାଇଁ ଶ୍ରୀତମ ଦାସଙ୍କୁ ପଚରାଉଚୁରା କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ ।