କନକ ବ୍ୟୁରୋ: ସିଦ୍ଧାନ୍ତ କେବଳ ରିଲ ହିରୋ ନୁହେଁ ବରଂ ରିଅଲ ଲାଇଫରେ ମଧ୍ୟ ଜଣେ ହିରୋ । ଦୁର୍ଘଟଣାରେ ଛଟପଟ ହେଉଥିବା ଜଣେ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଞ୍ଚାଇ ମାନବିକତା ଦେଖାଇଛନ୍ତି ସିଦ୍ଧାନ୍ତ । ଭୁବନେଶ୍ୱର ପାହାଳ ପାଖ ଫ୍ଲାଏଓଭର ଗଡ଼ାଣି ପାଖରେ ପାଖାପାଖି ୨ ଟା ସମୟରେ ତାଙ୍କ କାରର ପ୍ରାୟ କୋଡିଏ ମିଟର ଦୂରରେ ଏକ ଭ୍ୟାନ ଜଣେ ବାଇକ ଆରୋହୀଙ୍କୁ ପଛପଟୁ ଧକ୍କା ଦେଇଥିଲା । ଏହା ସହ ତାଙ୍କୁ ବହୁବାଟ ଘୋଷାଡ଼ି ନେଇଥିଲା । ଏହାକୁ ଦେଖି ନିଜ ଗାଡ଼ି ଅଟକାଇ ଆହତ ବ୍ୟକ୍ତିଙ୍କୁ ପ୍ରଥମେ ଡ଼ାକ୍ତରଖାନା ନେବା ପାଇଁ ବ୍ୟବସ୍ଥା କରିଥିଲେ ସିଦ୍ଧାନ୍ତ ।

Advertisment

ବାଇକ ଆରୋହୀ ଆହତ ଆଇନଜୀବୀ ମଦନ ସ୍ୱାଇଁଙ୍କ ଗୋଟାଏ ଗୋଡ଼ ପ୍ରାୟ କଟିଯାଇଥିଲା । ଦ୍ରୁତ ଗତିରେ ନିଜ ଗାଡ଼ିରେ ଆମ୍ବୁଲାନ୍ସକୁ ତୁରନ୍ତ ବାଟ କଢ଼ାଇବାର ବ୍ୟବସ୍ଥା କରାଇଥିଲେ । ଶେଷରେ ଫରେଷ୍ଟ ପାର୍କସ୍ଥିତ ସୁଶ୍ରୁତ ହସ୍ପିଟାଲରେ ତାଙ୍କୁ ଭର୍ତି କରାଇଥିଲେ । ଏହା ସହ ଫୋନ କରି ଆହତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ।

ଦୁର୍ଘଟଣାର ଶିକାର ପରେ ଆହତ ବ୍ୟକ୍ତି କେତେ ଶୀଘ୍ର ହସ୍ପିଟାଲରେ ଭର୍ତି ହେଉଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ । ଆହତ ବ୍ୟକ୍ତି ଯେତେ ଶୀଘ୍ର ହସ୍ପିଟାଲରେ ଭର୍ତି ହେବେ ସେତେ ଶୀଘ୍ର ବିପଦମୁକ୍ତ ହେବେ । ଆଉ ଏହି ସମୟକୁ ଗୋଲଡେନ ଆୱାର କୁହାଯାଏ । ଏପରି ଏକ ଗୋଲଡେନ ଆୱାରରେ ଜଣଙ୍କ ଜୀବନ ବଞ୍ଚାଇ ହସ୍ପିଟାଲରେ ଯଥାଶୀଘ୍ର ଭର୍ତି କରିଛନ୍ତି ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର ।