୧୦୦ କୋଟି ଟଙ୍କା ଅର୍ଥ ହେରଫେର ମାମଲା । ବନ୍ଧା ହେଲେ ବଲିଉଡର ଜଣାଶୁଣା ଅଭିନେତା ତଥା ବ୍ୟବସାୟୀ

265

କନକ ବ୍ୟୁରୋ : ୧୦୦ କୋଟି ଟଙ୍କା ଅର୍ଥ ହେରଫେର ମାମଲାରେ ଜଣାଶୁଣା ବଲିଉଡ ଅଭିନେତା ତଥା ମୁମ୍ବାଇର ବ୍ୟବସାୟୀ ସଚିନ ଜୋସିଙ୍କୁ ଗିରଫ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମୁମ୍ବାଇର ପ୍ରତିଷ୍ଠିତ ବିଲ୍ଡର କମ୍ପାନୀ ଓମକାର ଡେଭଲପରର ବ୍ୟବସାୟରେ ୧୦୦ କୋଟି ଟଙ୍କା ହେରଫେର ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସଚିନଙ୍କୁ ୨ ଦିନ ହେବ ଜେରା କରୁଥିଲା । ଏନେଇ ପୋଲିସ ପକ୍ଷରୁ ଜୋସୀଙ୍କ ବିରୋଧରେ ଅର୍ଥ ହେରଫେର ନିବାରଣ ଆଇନ ଅନୁସାରେ ବିଭିନ୍ନ ଧରା ଲଗାଇ କୋର୍ଟରେ ହାଜର କରିଛି । ଅନ୍ୟପଟେ ଇନକମଟ୍ୟାକ୍ସ ବିଭାଗ ବି ସଚିନ ଘରେ ଚଢାଉ କରିଥିବା ଜଣାପଡିଛି ।

୨୦୨୦ ମସିହା ମାର୍ଚ୍ଚ ମାସରେ ଓମକାର ଗ୍ରୁପ ବିରୋଧରେ ଔରଙ୍ଗାବଦ ପୋଲିସ ଅର୍ଥ ହେରଫେର ମାମଲା ରୁଜୁ କରିଥିଲା । ଅଭିଯୋଗ ଥିଲା କି ଓମକାର ଗ୍ରୁପ୍  ପୂର୍ବରୁ କିଛି କମ୍ପାନୀ ମାନଙ୍କ ଠାରୁ ଋଣ ଆଣି ତାହାକୁ ଫେରସ୍ତ କରି ନଥିଲା । ଏହି ସବୁ ମାମଲାରେ ସଚିନ ଜୋସୀଙ୍କ ସଂପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଥିଲା ।

କହିରଖୁ କି ପଳାତକ ଘୋଷିତ ବିଜୟ ମାଲ୍ୟାଙ୍କ କିଙ୍ଗଫିସର ଭିଲ୍ଲାକୁ ୭୩.୦୧ କୋଟି ଟଙ୍କାରେ କିଣିବା ପାଇଁ ସଚିନ ଜୋଷୀ କହିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଅଭିନେତା ତଥା ନିର୍ମାତା ଭାବେ ବଲିଉଡ ଓ ଟଲିଉଡରେ ସଚିନଙ୍କର ବେସ୍ ନା ରହିଛି । ୨୦୧୩ ମସିହାରେ ସିନେମା ଜ୍ୟାକପଟର ମୁଖ୍ୟ ଭୂମିକାରେ ଅଭିନୟ କରି ବେସ୍ ପ୍ରଶଂସିତ ହୋଇଥିଲେ ସଚିନ୍ । ସଚିନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ୍ କରିବା ପରେ ୧୮ ତାରିଖ ପର୍ଯ୍ୟନ୍ତ ତାଙ୍କୁ ରିମାଣ୍ଡରେ ନେଇଥିବା ଜଣାପଡିଛି ।