ବାଣ ନୁହେଁ ହସ ଫୁଟାଇବା । ଗୋଡ଼ ଭାଙ୍ଗିବା ପରେ ଭୋଗୁଥିଲେ ଦୁର୍ଦ୍ଦଶା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ସହାୟତାର ହାତ ବଢ଼ାଇଲେ ଅଭିନେତା ସବ୍ୟସାଚୀ

150

କନକ ବ୍ୟୁରୋ : ତ୍ରିଲୋଚନଙ୍କ ମୁହଁରେ ପୁଣିଥରେ ହସ ଫୁଟିଛି । ବାଣ ନୁହେଁ ହସ ଫୁଟାଇବା ଅଭିଯାନରେ ତାଙ୍କ ଦୁଖର କାହାଣୀ ପ୍ରସାରଣ ହେବା ପରେ ସହାୟତାର ହାତ ବଢାଇଛନ୍ତି ଓଲିଉଡ ସୁପରଷ୍ଟାର ସବ୍ୟସାଚୀ ମିଶ୍ର । ଦୁଇ ଗୋଡ କାମ କରୁନଥିଲେ ମଧ୍ୟ ପରିବାର ଚଳାଇବା ପାଇଁ ଭଙ୍ଗା ଅଟୋରେ ବୁଲି ବୁଲି ପରିବା ବିକ୍ରି କରୁଥିବାରୁ ତ୍ରିଲୋଚନଙ୍କୁ ଖୁବଶୀଘ୍ର ଏକ ଭଲ ଅଟୋ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ସବ୍ୟସାଚୀ । ସବ୍ୟସାଚୀଙ୍କଠାରୁ ପ୍ରତିଶ୍ରୁତି ପାଇବା ପରେ ତ୍ରିଲୋଚନାଙ୍କ ଜୀବନରେ ଘୋଟି ଆସିଥିବା ଅନ୍ଧକାର ଭିତରେ ପୁଣି ଥରେ ଆଶାର ଆଲୋକ ଦେଖା ଦେଇଛି । ୨୦୧୨ ମସିହାରେ ଗଛରୁ ପଡିବା ପରେ ତ୍ରିଲୋଚନଙ୍କ ଦୁଇ ଗୋଡ ଅକାମୀ ହୋଇ ଯାଇଥିଲା ।

ତ୍ରିଲୋଚନଙ୍କ ଦୁଃଖର କାହାଣୀ ଜାଣିବା ପରେ ନିଜକୁ ଅଟକାଇ ପାରିନଥିଲେ ସବ୍ୟସାଚୀ । ତିଲ୍ରୋଚନ ପରିବା ବିକୁଥିବା ଅଟୋ ପାଖରେ ଖୋଜି ଖୋଜି ପହଂଚିଯାଇଥିଲେ । ସେଠାରେ କିଛି ସମୟ ତ୍ରିଲୋଚନଙ୍କ ସହ ଆଲୋଚନା କରି ଦୁଃଖ ସୁଖ ପଚାରି ବୁଝିଥିଲେ । ଏବଂ ଆଗକୁ ଏକ ଭଲ ଅଟୋ ଯୋଗାଇ ଦେବା ସହ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏପରିକି ନିଜ ପ୍ରିୟ ଫ୍ୟାନର ସେଲଫି ନେଉଥିବା ବି ଦେଖିବାକୁ ମିଳିଛି । ଅନ୍ୟପଟେ ହଠାତ ନିଜ ପ୍ରିୟ ସୁପରଷ୍ଟାର ସବ୍ୟଙ୍କୁ ଦେଖିବା ପରେ ତ୍ରିଲୋଚନ ବେଶ୍ ଖୁସି ହୋଇ ଯାଇଥିଲେ ।