ସେନା ବିରୋଧୀ ବୟାନ ଦେଲେ ରିଚା ଚଡ୍ଡା । ସମାଲୋଚନା ପରେ ହଟାଇଲେ ଟ୍ୱିଟ୍

219

କନକ ବ୍ୟୁରୋ : ଯେଉଁ ସମୟରେ ଅଭିନେତ୍ରୀ ରିଚା ଚଡ୍ଡା ନିଜ ଟୁଇଟର ପେଜରେ ଏହି ଟୁଇଟ କରିଥିବେ ସେ ହୁଏତ ଭାବିନଥିବେ କି ଆଗକୁ ଏହା କେତେ ବଡ ବିବାଦ ହୋଇ ଛିଡା ହେବ । ନିକଟରେ ରିଚାଙ୍କ ଟୁଇଟର ପେଜରେ ଦେଖିବାକୁ ମିଳିଥିଲା ଗଲୱାନ ସେଜ୍ ହାଏ ଅର୍ଥାତ ଗଲୱାନ କହୁଛି ନମସ୍କାର । ଏହି ତିନୋଟି ଶଦ୍ଧର ଟୁଇଟ ଯେ ବିବାଦର ବିସ୍ଫୋରଣ କରିବ ସେକଥା ରିଚାଙ୍କୁ ଟିକେ ବି ଅନ୍ଦାଜ ନଥିବ । ଭାରତୀୟ ସେନାର ବରିଷ୍ଠ ଅଧିକାରୀ ଲେପ୍ଟନାଂଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ଏକ ବୟାନ ଉପରେ ରିଚା ଏହି ରି-ଟୁଇଟ କରିଥିଲେ । ସେନାଧିକାରୀ କହିଥିଲେ ପାକିସ୍ତାନଠୁୁ ପିଓକେକୁ ସମ୍ପୂର୍ଣ୍ଣ ଭାବେ ନେବାକୁ ଭାରତ ସମର୍ଥ । ଅପେକ୍ଷା କେବଳ ନିର୍ଦ୍ଦେଶକୁ ରହିିଛି । ଖୁବ ଶିଘ୍ର ଅପରେସନ ସଫଳତାର ସହ ପୂରା ହେବ ।

ରିଚାଙ୍କ ଏହି ବୟାନକୁ ସହଜରେ ଗ୍ରହଣ କରିପାରିନି ବିଜେପି । ଦଳ କହିଛି ଶସ୍ତା ଲୋକପ୍ରିୟ ଓ ଖବରରେ ଆସିବା ପାଇଁ ନାୟିକା ସେନାର ଅପମାନ କରିବାକୁ ପଛଉ ନାହାନ୍ତି । ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ଜରୁରୀ । ଦେଶର ଓ ସେନାକୁ କ୍ଷମା ମାଗିବା ପାଇଁ ବିଭିନ୍ନ ଦଳ ଦାବି କରିଛନ୍ତି ।

ତେବେ ବୟାନକୁ ନେଇ ବିବାଦ ବଢୁଥିବା ଦେଖି ରିଚା ସେହି ଟୁଇଟକୁ ନିଜ ଟୁଇଟର ପେଜରୁ ହଟାଇଛନ୍ତି । ୨୦୨୦ ମସିହାରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଗଲୱାନ ହିଂସାରେ ୨୦ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ରିଚାଙ୍କ ଏଭଳି ବୟାନ ସେନା ଓ ସହିଦ ଯବାନଙ୍କ ପ୍ରତି ଅପମାନ ବୋଲି ବିଜେପି କହିଛି ।