ବଲିଉଡ୍‌ ଅଭିନେତା ତଥା ନିର୍ଦ୍ଦେଶକ ରାଜୀବ କପୁରଙ୍କ ପରଲୋକ : ବଲିଉଡ ଜଗତରେ ଶୋକର ଛାୟା

1,313

କନକ ବ୍ୟୁରୋ : ବଲିଉଡ୍‌ ଅଭିନେତା ତଥା ନିର୍ଦ୍ଦେଶକ ରାଜୀବ କପୁରଙ୍କ ୫୮ ବର୍ଷ ବୟସରେ ପରଲୋକ। ସେ ଋଷି କପୁର ଓ ରଣଧୀର କପୁରଙ୍କ ସାନ ଭାଇ । ‘ରାମ ତୈରୀ ଗଙ୍ଗା ମୈଲୀ’ର ଏହି କଳାକାରଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି । ତାଙ୍କର ଅକାଳ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁ ଖବର ପାଇ ପ୍ରଖ୍ୟାତ ଚଳଚ୍ଚିତ୍ର ସମୀକ୍ଷକ ତଥା ବାଣିଜ୍ୟ ବିଶ୍ଳେଷକ କୋମଲ ନହଟା ଟ୍ୱିଟରରେ ଶୋକ ପ୍ରକାଶ କରିଛନ୍ତି । ତେବେ ତାଙ୍କ ପରିବାର ପକ୍ଷରୁ ରଣଧୀର କପୁର ତାଙ୍କ ମୃତ୍ୟୁ ନେଇ କୌଣସି ସ୍ପଷ୍ଟୋକ୍ତି ମିଳିନାହିଁ । ରାଜୀବଙ୍କ ପ୍ରଶଂସକ ଓ ବଲିଉଡ୍‌ କଳାକାରମାନେ ତାଙ୍କ ମୃତ୍ୟୁ ଖବର ପାଇବା ପରେ ସୋସିଆଲ୍‌ ସାଇଟ୍‌ରେ ନିଜର ଦୁଃଖ ପ୍ରକାଶ କରିଛନ୍ତି ।

ସେ ୧୯୮୩ ମସିହାରେ ‘ଏକ୍‌ ଜାନ୍‌ ହୈ ହମ୍‌’ ଚଳଚ୍ଚିତ୍ରରୁ ନିଜର ବଲିଉଡ୍‌ ଡେବ୍ୟୁ କରିଥିଲେ । ୧୯୮୫ ମସିହାରେ ବାପା ସୋ’ମ୍ୟାନ୍ ରାଜ୍‌ କପୁରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ରାମ ତୈରୀ ଗଙ୍ଗା ମୈଲୀ’‌ରେ ମଧ୍ୟ ସେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ଏହାବ୍ୟତୀତ ସେ ଆସାମ, ବୟ, ଜବର୍‌ଦସ୍ତ, ହମ୍‌ ତୋ ଚଲେ ପରଦେଶ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେ ଶେଷ ଥର ପାଇଁ ୧୯୯୦ ମସିହାରେ ‘ଜିମ୍ମେଦାର‌’ ଚଳଚ୍ଚିତ୍ରରେ ନଜର ଆସିଥିଲେ । ତା’ପରେ ସେ ନିର୍ଦ୍ଦେଶନାକୁ ବାଛିଥିଲେ। ସେ ଋଷି କପୁର ଓ ମାଧୁରୀ ଦୀକ୍ଷିତଙ୍କ ଅଭିନୀତ ‘ପ୍ରେମଗ୍ରନ୍ଥ’ର ନିର୍ଦ୍ଦେଶନା ଦେଇଥିଲେ ।