ମୃତ୍ୟୁକୁ ଆଗୁଆ ଦେଖିଥିଲେ ଅଭିନେତା ରାହୁଲ ଭୋରା ! ଜୀବନ ଯିବା ଆଗରୁ ଫେସବୁକରେ କହିଥିଲେ, ‘ମୋତେ ଭଲ ଚିକିତ୍ସା ମିଳିଥିଲେ ମୁଁ ବଞ୍ଚି ଯାଇଥାନ୍ତି’ ।

1,786

କନକ ବ୍ୟୁରୋ : ‘ମୋତେ ଭଲ ଚିକିତ୍ସା ମିଳିଥିଲେ ମୁଁ ବଞ୍ଚି ଯାଇଥାନ୍ତି’ । ମୃତ୍ୟୁ ପୂର୍ବରୁ ଫେସବୁକରେ କିଛି ଏମିତି ଲେଖିଥିଲେ ଅଭିନେତା ରାହୁଲ ଭୋରା । ଦୀର୍ଘ ଦିନ ଧରି ମହାମାରୀ କରୋନା ସହ ସଂଘର୍ଷ ପରେ ଶେଷରେ ଆଜି ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ରାହୁଲ । କରୋନାରେ ତାଙ୍କର ପରଲୋକ ହୋଇଛି । କିନ୍ତୁ ମୃତ୍ୟୁ ପୂର୍ବରୁ ସେ ଲେଖିଥିବା ଶେଷକଥାକୁ ଏବେ ସମସ୍ତଙ୍କୁ ବ୍ୟଥିତ କରିଛି ।

ଗତକାଲି ଫେସବୁକରେ ଏକ ପୋଷ୍ଟ ସେୟାର କରିଥିଲ ରାହୁଲ । ଯେଉଁଥିରେ ସେ ଲେଖିଥିଲେ, ‘ମୋତେ ଭଲ ଚିକିତ୍ସା ମିଳିଥିଲେ ହୁଏତ ମୁଁ ବଞ୍ଚି ଯାଇଥାନ୍ତି’ । ରାହୁଲ ଭୋରାଙ୍କର ଏହି ପୋଷ୍ଟ ଉପରେ ନଜର ପକାନ୍ତୁ ।

୩୫ ବର୍ଷୀୟ ରାହୁଲ ଭୋରା, ଦିଲ୍ଲୀର ରାଜୀବ ଗାନ୍ଧି ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଆଜି ତାଙ୍କର ଦେହାନ୍ତ ହୋଇଛି । ରାହୁଲ ସେୟାର କରିଥିବା ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ଶିଶୋଦିଆଙ୍କୁ ଟ୍ୟାଗ କରିବା ସହ ଲେଖିଛନ୍ତି, ଖୁବଶୀଘ୍ର ମୁଁ ଆଉ ଥରେ ଜନ୍ମ ନେବି, ଏବଂ ଭଲ କାମ କରିବି । ଏବେ ମୁଁ ସାହସ ହାରିସାରିଛି ।

ଜୀବନ ଯିବା ଆଗରୁ ମୃତ୍ୟୁକୁ ପାଖରୁ ଦେଖିସାରିଥିଲେ ରାହୁଲ ଭୋରା । ଯାହାକି ତାଙ୍କର ଏହି ପୋଷ୍ଟରୁ ସ୍ପଷ୍ଟ ଜଣାପଡୁଛି । ରାହୁଲଙ୍କ ଏହି ପୋଷ୍ଟ ଏବେ ଅନେକ ପ୍ରଶ୍ନ ଛିଡାକରିଛି । ସତରେ କଣ ହସ୍ପିଟାଲରେ ରୋଗୀଙ୍କ ଭଲ ଚିକିତ୍ସା କରାଯାଉନାହିଁ । ଯଦି କରାଯାଉଛି, ତେବେ କାହିଁକି ଜଣେ ସେଲିବ୍ରିଟି ଏଭଳି ପୋଷ୍ଟ କଲେ । ଚିକିତ୍ସାରେ ଏମିତି କଣ ଅବହେଳା କରାଗଲା ଯେଉଁଥିପାଇଁ ରାହୁଲଙ୍କ ଜୀବନ ଚାଲିଗଲା । ଏମିତି ଅନେକ ଅସମାହିତ ପ୍ରଶ୍ନ ସାମ୍ନାକୁ ଆସୁଥିବା ବେଳେ ରାହୁଲଙ୍କ ଅକାଳ ବିୟୋଗରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି ।