ପଞ୍ଚଭୂତରେ ଲୀନ ହେଲା ପିଣ୍ଟୁ ନନ୍ଦଙ୍କ ମରଶରୀର। ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର ଶେଷ।

181

କନକ ବ୍ୟୁରୋ: ଜଣେ ନାୟକ ଚାଲିଗଲେ, ଗୋଟିଏ କାହାଣୀ ସରିଗଲା, କିଛି କଥା ରହିଗଲା । ପଞ୍ଚଭୂତରେ ପିଣ୍ଟୁ ଲୀନ ହୋଇଗଲେନି ଯେ, ଓଲିଉଡର ଅନେକ ଅକୁହା କାହାଣୀ ଅଧୁରା ରହିଗଲା । ପିଣ୍ଟୁ ନନ୍ଦ କେତେ ନାଁ କରିଥିଲେ, କେତେ ଖ୍ୟାତି ପାଇଥିଲେ ତାକୁ ନେଇ ଭିନ୍ନମତ ଥାଇପାରେ, କିନ୍ତୁ ସେ କେତେ ଲୋକ ଅର୍ଜିଥିଲେ ପୁରୀ ସ୍ୱର୍ଗଦ୍ୱାରର ଭିଡ଼ ହିଁ କହି ଦେଉଥିଲା । କାହା ଆଖିରେ ଲୁହ ଥିଲା ତ’ ଆଉ କାହା ଛାତିରେ କୋହ ଥିଲା । କାରଣ, ଚିର ବିଦାୟ ନେଉଥିଲେ ସମସ୍ତଙ୍କର ପ୍ରିୟ, ସମସ୍ତଙ୍କର ନିଜର ପିଣ୍ଟୁ ।

ପୁରୀରେ ପିଣ୍ଟୁ ନନ୍ଦଙ୍କ ପାର୍ଥିବ ଶରୀର ପହଞ୍ଚିବା ପୂର୍ବରୁ ଭୁବନେଶ୍ୱର ସହର ଯେମିତି ଶୋକରେ ବୁଡ଼ି ଯାଇଥିଲା । କିମ୍ସ ହସ୍ପିଟାଲରୁ ମୃତଦେହ ବାହରିବାଠୁ ଆରମ୍ଭ କରି ପିଣ୍ଟୁ ନନ୍ଦ ଘର ଯାଏଁ, ସବୁଠି ଥିଲା ପ୍ରଶଂସକ, ସମର୍ଥକ ଓ ସାଥୀ କଳାକାରଙ୍କ ଭିଡ଼ । ଜଣେ ପରେ ଜଣେ ଆସି ପିଣ୍ଟୁ ଭାଇଙ୍କୁ ଦେଖୁଥିଲେ ଏବଂ ତାଙ୍କ ସହ ବିତାଇଥିବା ମୂହୁର୍ତ୍ତକୁ ଝୁରି ହେଉଥିଲେ ।

ସବୁଠୁ ଭାବବିହ୍ୱଳ ଚିତ୍ର ଥିଲା ସେଇ କ୍ଲବ୍୍ରେ । ଯେଉଁଠି ସାଙ୍ଗ ସାଥୀଙ୍କ ମେଳରେ ସମୟ କାଟୁଥିଲେ ପିଣ୍ଟୁ ନନ୍ଦ । ପିଣ୍ଟୁ ଚାଲିଯାଇଛନ୍ତି, ତାଙ୍କ ପାର୍ଥିବ ଶରୀର ପୋଡ଼ି ଯାଇଛି । କିନ୍ତୁ କଳାପ୍ରତି ଥିବା ତାଙ୍କ ଅବଦାନ, ସେମିତି ଅକ୍ଷତ, ସେମିତି ଅମର ରହିବ ।