ବଲାଙ୍ଗୀର ଲୋକସଭା ଲଢେଇ: ମନୋଜ ମିଶ୍ରଙ୍କୁ ଯୋଦ୍ଧା ସଜାଇଲା କଂଗ୍ରେସ

294

କନକ ବ୍ୟୁରୋ: ୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ, ବ୍ରହ୍ମପୁର, କୋରାପୁଟ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବଲାଙ୍ଗୀର ଆସନ ସବୁଠୁ ଚର୍ଚ୍ଚାରେ ରହିଛି । କାରଣ ଏଥର ବଲାଙ୍ଗୀର ଲୋକସଭା ପାଇଁ କଂଗ୍ରେସ ଜଣେ ଚର୍ଚ୍ଚିତ ଚେହେରାଙ୍କୁ ପ୍ରାର୍ଥୀ କରିଛି । ଅଭିନେତା ମନୋଜ ମିଶ୍ରଙ୍କୁ ଟିକେଟ୍ ଦେଇ କଂଗ୍ରେସ ତାର ଯୋଦ୍ଧା ସଜାଇଛି ।

ତେବେ ଗତ ଫେବୃୟାରୀ ୧୦ ତାରିଖରେ କଂଗ୍ରେସରେ ମିଶିଥିଲେ ମନୋଜ ମିଶ୍ର । ପିସିସି ସଭାପତିଙ୍କ ଉପସ୍ଥିତିରେ ହାତ ଧରିଥିଲେ । ଓଲିଉଡ କଳିରେ ଛନ୍ଦି ହୋଇ ବିବାଦରେ ଫସିଥିଲେ ମନୋଜ ମିଶ୍ର । ତାଙ୍କ ବୟାନ ବିଭିନ୍ନ ସମୟରେ ଓଲିଉଡରେ ଝଡ ସୃଷ୍ଟି କରିଥିବା ବେଳେ ହଠାତ୍ ସମସ୍ତଙ୍କୁ ଚମକେଇ ଦେଇ ରାଜନୀତିରେ ପାଦ ଥାପିଥିଲେ ମନୋଜ ।

ସେପଟେ ୨୦୧୯ରେ ବଲାଙ୍ଗୀରରୁ ଭେଟେରାନ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର କଂଗ୍ରେସ ଟିକେଟ୍ ପାଇ ଲୋକସଭା ଆସନରୁ ଲଢିିଥିବା ବେଳେ ଏଥର ସମରେନ୍ଦ୍ରଙ୍କ ହାତରେ ବଲାଙ୍ଗୀର ବିଧାନସଭା ଟିକେଟ୍ ଦେଇ ଷ୍ଟାରଙ୍କୁ ଭରସିଛି ‘ହାତ’ ।

ତେବେ ବଲାଙ୍ଗୀର ଲୋକସଭା ବିଜେପି କବଜାରେ ଥିବା ବେଳେ ଏଥର ସଙ୍ଗୀତା ସିଂହଦେଓଙ୍କୁ ପୁଣି ରିପିଟ୍ କରିଛି ବିଜେପି । ବିଜେଡି ଏଯାଏଁ କାହାକୁ ଟିକେଟ୍ ଦେଇନଥିବା ବେଳେ କଂଗ୍ରେସ ମନୋଜ ମିଶ୍ରଙ୍କୁ ସିପାହୀ କରିଛି । ତେବେ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ଜଣାପଡିବ କାହା ସହ ଟକ୍କର କାହାର ହେବ ?