ନିରବୀ ଗଲେ ଖଳନାୟକ ରାଇମୋହନ ପରିଡା : ୧୦୦ରୁ ଅଧିକ ସିନେମାରେ ଯାଦୁଗରୀ ଅଭିନୟ

327

କନକ ବ୍ୟୁରୋ : ଓଡ଼ିଆ କଳା ଜଗତକୁ ବଡ଼ ଝଟକା । ଆଉ ନାହାନ୍ତି ଜଣାଶୁଣା ଓଲିଉଡ୍ ଖଳନାୟକ ରାଇମୋହନ ପରିଡା । ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ରାଇମୋହନ ପରିଡ଼ା । ଭୁବନେଶ୍ୱରସ୍ଥିତ ପ୍ରାଚୀ ବିହାରରେ ଥିବା ନିଜ ବାସଭବନରୁ ମିଳିଲା ରାଇମୋହନଙ୍କ ଝୁଲନ୍ତା ମୃତଦେହ । ରାଇମୋହନ କେଉଁ କାରଣରୁ ଆତ୍ମହତ୍ୟା କଲେ, ତାହା ଜଣାପଡ଼ିନାହିଁ । ତେବେ ପାରିବାରିକ ଅସନ୍ତୋଷ କାରଣରୁ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି ।

ଘଟଣାସ୍ଥଳରେ ମଞ୍ଚେଶ୍ୱର ପୋଲିସ୍ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ନିଜର ନିଖୁଣ ଖଳନାୟକ ଅଭିନୟ ପାଇଁ ରାଇମୋହନ ପ୍ରତିଟି ଓଡ଼ିଆଙ୍କ ଘରେ ଘରେ ପରିଚିତ । ସେ ୧୦୦ରୁ ଅଧିକ ଓଡ଼ିଆ ସିନେମାରେ ଅଭିନୟ କରିଛନ୍ତି । ସାଗର, ବନ୍ଧନ, ରଣଭୂମି, ସିଂହବାହିନୀ, ଆସିବୁ କେବେ ସାଜି ମୋ ରାଣୀ, ତୁ ଥିଲେ ମୋ ଡର କାହାକୁ, ନେଇଜା ରେ ମେଘ ମୋତେ, ଛାତି ଚିରିଦେଲେ ତୁ, କାଳିଶଙ୍କର, ତୋ ବିନା ମୋ କାହାଣୀ ଅଧା, ତୋ ପାଇଁ ନେବି ମୁଁ ଶହେ ଜନମ, ଦେ ମା’ ଶକ୍ତି ଦେ’, ରକତେ ଲେଖିଛି ନାଁ, ମୋ ମନ ଖାଲି ତୁମରି ପାଇଁ, ଉଦଣ୍ଡି ସୀତା ଆଦି ଫିଲ୍ମରେ ସେ ବେଶ ନିଖୁଣ ଅଭିନୟ କରିଛନ୍ତି । ଏହାଛଡ଼ା ସେ ଟିଭି ସିରିଏଲ୍ ଜଗତରେ ମଧ୍ୟ ବେଶ୍ ପରିଚିତ ଥିଲେ । ସେହିପରି ଯାତ୍ରା ଜଗତରେ ମଧ୍ୟ ସେ ଅନ୍ୟତମ ଲୋକପ୍ରିୟ କଳାକାର ।

୧୯୬୩ ମସିହା ଜୁଲାଇ ୧୦ ତାରିଖରେ ଜନ୍ମଗ୍ରହଣ କରିଥିବା ରାଇମୋହନଙ୍କ ଘର କେନ୍ଦୁଝର ଜିଲ୍ଲା ଉଦୟପୁରରେ । ଚାରି ଭଉଣୀରେ ଏକମାତ୍ର ଭାଇ ଥିଲେ ସେ । ଆଉ ପରିବାରର ସବୁଠାରୁ ଗେହ୍ଲା ମଧ୍ୟ ଥିଲେ । ପିଲାଟି ଦିନରୁ ରହିଥିଲା ଅଭିନୟ ସଉକ । ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ଗାଁ ନାଟକରେ ଅଭିନୟ କରିଥିଲେ । ମୟୂରଭଞ୍ଜର କରଞ୍ଜିଆ ମହାବିଦ୍ୟାଳୟରେ ଗ୍ରାଜୁଏସନ୍ କରିଥିବା ବେଳେ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ।

ମଞ୍ଚ, ନାଟକ ଜୀବନରୁ ଅଭିନୟ କ୍ୟାରିୟର କରିଥିବା ରାଇମୋହନ ୧୯୮୫ରେ ପ୍ରଥମଥର ଓଡ଼ିଆ ଫିଲ୍ମରେ ସୁଯୋଗ ପାଇଥିଲେ । ୧୯୮୫ରେ ପକାକମ୍ବଳ ପୋତ୍ ଛକା ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ଆସିଥିଲେ ରାଇମୋହନ । ୧୯୮୭ରେ ସାଗର ଚଳଚ୍ଚିତ୍ରରେ ମଧ୍ୟ ସେ ବେଶ୍ ନିଖୁଣ ଅଭିନୟ କରିଥିଲେ । ଏହାପରଠାରୁ ଓଡ଼ିଆ ସିନେମାରେ ତାଙ୍କୁ ନିୟମିତ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଥିଲା । ୧୯୯୨ରେ ସେ ରଞ୍ଜିତାଙ୍କୁ ପ୍ରେମ ବିବାହ କରିଥିଲେ । ତାଙ୍କର ଦୁଇ ଝିଅ ମଧ୍ୟ ଅଛନ୍ତି । ୨୦୦୨ରେ ସିନେମା ବ୍ୟତୀତ ଯାତ୍ରା ଜଗତରେ ପାଦ ଥାପିଥିଲେ । ଓଡ଼ିଆ ସହିତ ସେ ବେଙ୍ଗଲୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ।