କନକ ବ୍ୟୁରୋ: ଏବେ ହଇଚଇ ସୃଷ୍ଟି କରିଛି ‘ ଦ କାଶ୍ମୀର ଫାଇଲ୍ସ’ । ନିର୍ଦ୍ଦେଶକ ଓ ପ୍ରଯୋଜକ ବିବେକ ଅଗ୍ନିହୋତ୍ରୀଙ୍କ ଏହି ଫିଲ୍ମକୁ ନେଇ ଲୋକପ୍ରିୟତା ଯେତିକି ମିଳୁଛି ସେତିକି ବିବାଦ ମଧ୍ୟ ସୃଷ୍ଟି ହୋଇଛି । ତେବେ ଏକ ଛାତିଥରା ସତ ଘଟଣାକୁ ନିଚ୍ଛକ ଭାବେ ଫିଲ୍ମରେ ଉତାରି ପାରିଛି ‘ଦ କାଶ୍ମୀର ଫାଇଲ୍ସ’ ।

Advertisment

ଏହି ଫିଲ୍ମରେ ପ୍ରତି ଅଭିନେତା ଅଭିନେତ୍ରୀଙ୍କ ଅଭିନୟ ବି ଦର୍ଶକଙ୍କୁ ବିସ୍ମିତ କରିଛି । ସତେ ଯେପରି ସେମାନେ ଅଭିନୟ କରୁନାହାଁନ୍ତି ବରଂ ଫେରିଯାଇଛନ୍ତି ୯୦ ଦଶକର ସେଇ ପୃଷ୍ଠଭୂମିକୁ ଆଉ ବଖାଣୁଛନ୍ତି ସବୁ ବୁକୁଫଟା କାହାଣୀକୁ । ଏଥିରେ ଅଭିନୟ କରିଥିବା ଦର୍ଶନ କୁମାରଙ୍କ ଅଭିନୟକୁ ମଧ୍ୟ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି । ହେଲେ ଫିଲ୍ମର ସୁଟିଂ ସମୟରେ ତାଙ୍କ ସହ ଘଟିଥିବା ଏକ ଅନୁଭୂତିକୁ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ଦର୍ଶନ ।

ବିବେକ ଅଗ୍ନିହୋତ୍ରୀ ଓ ପଲ୍ଲବୀ ଯୋଶୀଙ୍କ ସହ କାମ କରିବାରେ ଏହା ହେଉଛି ଦର୍ଶନଙ୍କର ପ୍ରଥମ ସୁଯୋଗ । ଫିଲ୍ମରେ କାମ କରିବା ପୂର୍ବରୁ ତାଙ୍କୁ କାଶ୍ମୀର ଦଙ୍ଗାର ଶିକାର ହୋଇଥିବା ଜଣେ କାଶ୍ମୀର ହିନ୍ଦୁଙ୍କର ପ୍ରକୃତ କାହାଣୀକୁ ପାଖାପାଖି ଅଧ ଘଣ୍ଟା ପର୍ଯ୍ୟନ୍ତ ଦେଖାଇଥିଲେ ବିବେକ । ନିଜ ଦେଶରେ ଏପରି ଏକ ସମ୍ବେଦଶୀଳ ଘଟଣାରେ ତାଙ୍କୁ ଅବଗତ ନଥିବା ଭାବି ନିଜକୁ ଲଜ୍ଜିତ ମନେ କରିଥିଲେ ଦର୍ଶନ । ସେହି ସମୟରେ ସେହି ନିର୍ଦ୍ଦିଷ୍ଟ ଚରିତ୍ରରେ ଅଭିନୟ କରିବାକୁ ମନସ୍ଥ କରିଥିଲେ । ହେଲେ ସେ ଚରିତ୍ରକୁ ଦେଖିବା ପରେ ତାଙ୍କ ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପଡିଥିଲା ଫଳରେ ସେ ମାନସିକ ବିଷାଦକୁ ପଳାଇଥିଲେ । ଏଥିରୁ ବାହାରିବାକୁ ତାଙ୍କୁ ୩ ସପ୍ତାହ ମେଡିଟେସନ୍ କରିବାକୁ ପଡିିଥିଲା ।

ଯେଉଁ ଫିଲ୍ମକୁ ଦେଖି ହଲ ଭିତରୁ ଦର୍ଶକ କାନ୍ଦି କାନ୍ଦି ବାହାରକୁ ଆସିଥିଲେ, ତା’ର ଏକ ଚରିତ୍ରକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ବଞ୍ଚିବା ତାଙ୍କ ପାଇଁ କେତେ ଯନ୍ତ୍ରଣାଦାୟକ ହୋଇଥିବ ବୋଲି ସେ ଅତି ଭାବବିହ୍ୱଳ ହୋଇ କହିଛନ୍ତି ।