କନକ ବ୍ୟୁରୋ: କୋରାପୁଟ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ନେଇ ବଢୁଛି ରାଜନୈତିକ ଉଷ୍ମତା । ଗାଁ ଗାଁରେ ରାଜନୈତିକ ଦଳର ନେତାଙ୍କ ଭିଡ ଜମୁଛି । ପ୍ରଚାର ମୈଦାନରେ ଘମାସାନ ଲଢେଇ ଚାଲିଥିବା ବେଳେ ବିଜେଡିର ଷ୍ଟାର କ୍ୟାମ୍ପେନର ସିନେ ତାରକା ଅରିନ୍ଦମ ରାୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି । ବୋରିଗୁମ୍ମା ଜୋନ୍-୩ରେ ବିଜୁ ଜନତା ଦଳ ପ୍ରାର୍ଥୀ ସନ୍ତୋସ ମିଶ୍ରଙ୍କ ପାଇଁ ଭୋଟ ମାଗିଛନ୍ତି ଅରିନ୍ଦମ । ଶତାଧିକ କର୍ମୀଙ୍କ ଗହଣରେ ଅରିନ୍ଦମ ରୋଡ ସୋ ସହିତ ବାଇକ ରାଲିରେ ଘରକୁ ଘର ବୁଲି ପ୍ରଚାର କରିଛନ୍ତି ।

Advertisment

ଅରିନ୍ଦମ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବିକାଶର ଚିତ୍ର ଗାଁ ଗାଁରେ ପହଞ୍ଚିଛି, ଯାହାର ଚିତ୍ର ଗମନାଗମନ ପାନୀୟ ଜଳ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦେଖିବାକୁ ମିଳିଛି । ଏହା ଏଇ ଅଞ୍ଚଳ ପାଇଁ ବୈପ୍ଳବିକ ପରିବର୍ତ୍ତନ ଯାହାର ଫଳ ଆଗାମୀ ନିର୍ବାଚନରେ ଲୋକ ଦେବେ । ରଣସପୁର, ବିସିଂପୁର, ପୋଡା, ପୋଡାପଦର, ଚାରାମୂଲା, ନାରୀଗା, ତରାଭଟା ଛକ ଦେଇ ଗୁମୁଡ଼ା, କାଠରଗଡା ଯାଇ ଅଞ୍ଚଳର ସର୍ବାଙ୍ଗୀନ ପାଇଁ ବିଜେଡି ସପକ୍ଷରେ ଭୋଟ ଦେବା କୁ ଅରିନ୍ଦମ ନିବେଦନ କରିଥିଲେ ।

ସେପଟେ ବିଜେପିର ଷ୍ଟାର ପ୍ରଚାରକ ସାଜିଛନ୍ତି ଅଶ୍ରୁମୋଚନ । ବିଜେପି କର୍ମୀ ଓ ନେତାଙ୍କ ସହ ମିଶି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି ଅଭିନେତା । ସେପଟେ ସରପଞ୍ଚ ପ୍ରାର୍ଥି ପାଇଁ ଭୋଟ ମାଗିଲେ ଅସୀମା ପଣ୍ଡା । ଆଜି ଝାରସୁଗୁଡା ଜିଲ୍ଲା ତାଲପଟିଆ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବିମଳା ବାହାଦୁରଙ୍କ ପାଇଁ ପ୍ରଚାର କରିଛନ୍ତି ଓଲିଉଡ ସିଙ୍ଗର ଅସୀମା ପଣ୍ଡା । ତାଙ୍କୁ ଦେଖିବା ପାଇଁ ତାଲପଟିଆ ଗ୍ରାମରେ ଲୋକଙ୍କ ଭିଡ ଜମିଥିଲା । ଆସନ୍ତା ୧୬ ତାରିଖରେ ତାଲପଟିଆ ଗ୍ରାମରେ ଭୋଟ ହେବ । ତେବେ ବିପୁଳ ମାତ୍ରାରେ ବିମଳା ବାହାଦୁରଙ୍କୁ ଭୋଟ ଦେବାକୁ ଲୋକଙ୍କୁ ନିବେଦନ କରିଛନ୍ତି ଅସୀମା ।