କନକ ବ୍ୟୁରୋ: ବୁଢି ମାଉସୀଙ୍କ ଆତ୍ମବିଶ୍ୱାସ ଓ ଇଚ୍ଛାଶକ୍ତି ଆଗରେ ମୁଣ୍ଡ ନଇଁଯାଉଛି । ମାନିବାକୁ ପଡିବ ,ବୟସ ଆସି ୮୫ ହେଲାଣି. ଚମ ଧୁଡୁଧୁଡୁ ହେଇଗଲାଣି । ଅଣ୍ଟା ବି ନଇଁଆସିଲାଣି । ହେଲେ ମନ ବଳ ସେମିତି ଟାଣ ଅଛି । ଏ ବୟସରେ ସେ ଖୁବ ଚଳଚଞ୍ଚଳ । ନିଜ ପେଟ ପୋଷିବାକୁ ସେ ସମ୍ପୂର୍ଣ୍ଣ ସମର୍ଥ । ଇଏ ହେଉଛନ୍ତି ଗୁଣୁପୁର ପଦ୍ମପୁର ବ୍ଳକ ଜିରା ଗାଁରେ ରହୁଥିବା ଅମ୍ବିକା ମାଉସୀ ।

Advertisment

ଅମ୍ବିକା ମାଉସୀଙ୍କ ଦୁଃଖ ଶୁଣିଲେ ଆଖି ଓଦା ହୋଇଯିବ । ସ୍ୱାମୀ ଦୁଇ ପୁଅ ଗୋଟିଏ ଝିଅକୁ ନେଇ ତାଙ୍କ ଅଭାବୀ ପରିବାର ଚାଲିଥିଲା । ହେଲେ ଭାଗ୍ୟ ବାମ ହେଲା । ୧୦ ବର୍ଷ ତଳେ ଅଜଣା ରୋଗରେ ସ୍ୱାମୀ ଆରପାରିକୁ ଚାଲିଗଲେ । ତାଙ୍କ ପଛେ ପଛେ ଜଣେ ପୁଅବି ଆର ପାରିକୁ ଚାଲିଗଲା । କିଛି ଦିନ ମାନସିକ ଅବସାଦରେ ରହିବା ପରେ ନିଜ ମନକୁ ପୁଣି ଟାଣ କଲେ । କଷ୍ଟେମଷ୍ଟେ ଝିଅକୁ ବାହା ଦେଲେ । ଗୋଟିଏ ବୋଲି ପୁଅ ଯେ ତାର ବି ଅଭାବୀ ସଂସାର । ଗାଁ ଗାଁ ବୁଲି ମନୋହାରୀ ଜିନିଷ ବିକି ଯାହା ଦ ପଇସା ମିଳେ ସେଥିରେ ତାଙ୍କର ପରିବାର ଚଳେ । ତେଣୁ ତାଙ୍କ ପାଖରେ ରହିଲେ ବି ପୁଅ ଉପରେ ବୋଝ ହେବାକୁ ଚାହୁଁନାହାଁନ୍ତି ଅମ୍ବିକା ମାଉସୀ । ଗାଁ ମୁଣ୍ଡରେ ଚାଳିଆଟେ କରି ସେଠି ତେଲଭାଜି ଦୋକାନଟେ ଖୋଲି ଛନ୍ତି । ଖରା ବର୍ଷା ସବୁଦିନେ ଜଳ ସଂଗ୍ରହ କରିଥାନ୍ତି । ସକାଳେ ସନ୍ଧ୍ୟାରେ ବରା, ପକୁଡି ଛାଣି ବିକ୍ରି କରନ୍ତି । ଏଥିରେ ଦିନକୁ ତାଙ୍କର ୧୫୦ରୁ ୨୦୦ ଟଙ୍କା ରୋଜଗାର ହୋଇଯାଏ । ମୂଳ ଖାର୍ଚ୍ଚ ଯାଇ ଯାହା ବଳେ ସେଥିରେ ନିଜ ଖର୍ଚ୍ଚ ଉଠାଇ ପୁଅକୁ କିଛି ସାହାଯ୍ୟ କରନ୍ତି । ହାତ ଗୋଡ ଚାଲୁଥିବାଯାଏଁ ଏମିତି ଖଟୁଥିବେ , ପେଟ ପୋଷୁଥିବେ ବୋଲି କହିଛନ୍ତି ଅମ୍ବିକା ମାଉସୀ ।

ତାଙ୍କର ଏଭଳି ପରିଶ୍ରମ ଦେଖି ଗାଁ ଲୋକେ ତାଙ୍କର ଭାରି ପ୍ରଶଂସା କରନ୍ତି । ସ୍ୱାମୀ ପୁଅକୁ ହରାଇବା ପରେ ବି ୮୫ ବର୍ଷ ବୟସରେ ଅମ୍ବିକା ମାଉସୀର ଏଭଳି ପରିଶ୍ରମ ଓ ଆତ୍ମନିର୍ଭରଶୀଳତା ଗାଁ ଲୋକଙ୍କୁ ଶିକ୍ଷା ଦେଉଛି ଆଜିକା ଦିନରେ ପରିଶ୍ରମ କରିବାକୁ ଯୁବକ ସମାଜ ପଛଘୁଞ୍ଚା ଦେଉଥିବାବେଳେ ଅମ୍ବିକା ମାଉସୀଙ୍କ ଜୀବନ ଜୀବନ ବଞ୍ଚିବାର ବାଟ ଦେଖାଉଛି । ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛି ।