ପୁଣି ସକ୍ରିୟ ଲରେନ୍ସ ବିଷ୍ଣୋଇ। ସଲମାନଙ୍କୁ ଦେଲା ହତ୍ୟା ଧମକ।

119

କନକ ବ୍ୟୁରୋ: ବଲିଉଡର ଲୋକପ୍ରିୟ ଅଭିନେତା ସୁପରଷ୍ଟାର ସଲମାନଙ୍କୁ ପୁଣି ମିଳିଛି ହତ୍ୟା ଧମକ । ପୂର୍ବରୁ ବାରମ୍ବାର ସଲମାନଙ୍କୁ ହତ୍ୟା ଧମକ ମିଳିଥିବାବେଳେ ଏବେ ପୁଣି ଥରେ ତାଙ୍କୁ ହତ୍ୟା ଧମକ ମିଳିଛି । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ତରଫରୁ ଏକ ଇ-ମେଲ ଯୋଗେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି । ଏନେଇ ସଲମାନଙ୍କ ଟିମ ପକ୍ଷରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ବିରୋଧରେ ମୁମ୍ବାଇର ବାନ୍ଦ୍ରା ଥାନାରେ ଅଭିଯୋଗ କରାଯାଇଛି । ଧମକ ପରେ ସଲମାନଙ୍କ ବାସଭବନ ସାମ୍ନାରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ସଲମାନଙ୍କୁ ୱାଇ-ପ୍ଲସ ସୁରକ୍ଷା ଯୋଗାଇ ଦେଇଛି ମୁମ୍ବାଇ ପୁଲିସ ।

ସଲମାନଙ୍କୁ ବାରମ୍ବାର ଧମକ ମିଳିବା ପରେ ତାଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢିଯାଇଛି । ତେବେ ଶନିବାର ଅପରାହ୍ଣରେ ରୋହିତ ଗର୍ଗ ନାମକ ଜଣେ ବ୍ୟକ୍ତି ତାଙ୍କୁ ଇ-ମେଲ କରିଥିଲେ ବୋଲି ସୂଚନା ରହିଛି । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସହଯୋଗୀ କାନାଡାର ଗୋଲ୍ଡି ବରାର ତାଙ୍କ ସହ କଥା ହେବାକୁ ଚାହୁଁଥିବା ନେଇ ସେହି ଇମେଲରେ ରହିଛି । ଏବେ ଜଣାଇଛି ଆରଥରକୁ ସିଧା ଝଟକା ମିଳିବ ବୋଲି ହିନ୍ଦୀରେ ଲେଖା ଥିବା ମେଲ ଆସିଥିଲା । ଏନେଇ ଅଭିଯୋଗ ପରେ ପୁଲିସ ୧୨୦-ବି ଅପରାଧିକ ଷଡଯନ୍ତ୍ର, ୫୦୬-ଆଇଆଇ ଅପରାଧିକ ଉଦ୍ଦେଶ୍ୟ ରଖି ଭୟଭୀତ କରିବା ଏବଂ ୩୪ ଆଇପିସିରେ ମାମଲା ରୁଜୁ ହୋଇଛି ।
ଲରେନ୍ସ ବିଷ୍ଣୋଇର ଧମକ
– ଯୋଧପୁରର ବିଷ୍ଣୋଇ ସମାଜରୁ ଆସିଛି ଲରେନ୍ସ ବିଷ୍ଣୋଇ
– କୃଷ୍ଣସାର ମୃଗକୁ ଏହି ସମାଜ ପୂଜା କରିଥାଏ
– ସଲମାନ ଖାନ୍ ଯୋଧପୁରରେ କୃଷ୍ଣସାର ମୃଗ ହତ୍ୟା ମାମଲାରେ ଫସିଥିଲେ
– ଯାହାକୁ ନେଇ ସଲମାନଙ୍କ ଉପରେ ଲରେନ୍ସ ବିଷ୍ଣୋଇଙ୍କ ପ୍ରବଳ ରାଗ
– କୃଷ୍ଣସାର ମୃଗ ହତ୍ୟା ମାମଲାରେ ସଲମାନ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇସାରିଛନ୍ତି

ସିଦ୍ଧୁ ମୁସେୱାଲାଙ୍କ ଭଳି ସଲମାନ ଅହଙ୍କାରୀ ଥିଲା ବୋଲି ଲରେନ୍ସ ବିଷ୍ଣୋଇ କହିଥିଲା । ପଞ୍ଜାବର ପରିଚିତ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଏବେ ଜେଲରେ ଅଛି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ।