ଓଡ଼ିଶାରେ ସକ୍ରିୟ ଜାମତରା ଗ୍ୟାଙ୍ଗ: ୪ଜଣଙ୍କୁ ଗିରଫ କଲା କେନ୍ଦୁଝର ପୋଲିସ୍

240

କନକ ବ୍ୟୁରୋ: ଆଖି ପିଛୁଳାକେ ଆକାଉଂଟକୁ ଖାଲି କରି ଦେଉଥିବା ଜାମତରା ଗ୍ୟାଙ୍ଗ କଥା ଆପଣମାନେ ଶୁଣିଥିବେ । କିନ୍ତୁ ସେହି ଜାମତରା ଗ୍ୟାଙ୍ଗର ସଦସ୍ୟ ଦେଖିବାକୁ କେମିତି? ସେମାନେ କେମିତି ଲୋକଙ୍କୁ ଚୁନା ଲଗାନ୍ତି? କେଉଁଠୁ ରହି ନେଟୱାର୍କ ଚଳାନ୍ତି? ତାହା ହୁଏତ ଆପଣ ଜାଣିନଥିବେ । ହେଲେ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଓଡିଶାରେ ବି ସେହି ଜାମତରା ଗ୍ୟାଙ୍ଗ ସକ୍ରିୟ ରହିଥିଲା । ଆଉ ଲୋକଙ୍କୁ ଲୁଟିବାରେ ମୁଖ୍ୟ ଭୂମିକା ତୁଲାଉଥିଲେ ।

ଜାମତରା ଗ୍ୟାଙ୍ଗକୁ ନେଇ ଆପଣ ୱେବସିରିଜରେ କାହାଣୀ ଦେଖିଥିବେ । କିନ୍ତୁ ଆପଣ ଜାମତରା ଗ୍ୟାଙ୍ଗର ପ୍ରକୃତ ଲୁଟେରାଙ୍କୁ ଦେଖି ନଥିବେ । ମୁହଁରେ ମୁଖା ପିନ୍ଧା ଯାଇଥିବା ଏହି ଚାରି ଜଣଙ୍କୁ ଦେଖନ୍ତୁ । ଏମାନେ ହେଉଛନ୍ତି ଜାମତରା ଗ୍ୟାଙ୍ଗର ସଦସ୍ୟ । ସବୁଠାରୁ ବଡ କଥା ହେଉଛି, ଏମାନଙ୍କ ଘର କେନ୍ଦୁଝର ଜିଲ୍ଲା ଘସିପୁରା ଅଂଚଳରେ । ଆଉ ଘସିପୁରା ଅଂଚଳରେ ରହି ଜାମତରା ଗ୍ୟାଙ୍ଗ ପାଇଁ କାମ କରୁଥିଲେ । ଏବଂ ସହଜ ଉପାୟରେ ଟଙ୍କା ରୋଜଗାର କରୁଥିଲେ । ପୋଲିସର ସୂଚନା ଅନୁସାରେ,

– ନିରୀହ ଗରିବ ଲୋକଙ୍କ ଆଇଡି ନେଇ ଏମାନେ ସିମ୍ କିଣୁଥିଲେ
– ଆକ୍ଟିଭେଟେଟ୍ ସିମ୍କୁ ଝାଡଖଣ୍ଡ ପଠାଇ କ୍ରାଇମ୍ କରୁଥିଲେ
– ବର୍ଷକରେ ୪ ହଜାରରୁ ଅଧିକ ସିମ୍ ଓଡ଼ିଶାରୁ ଆକ୍ଟିଭ୍ କରିଛନ୍ତି
– ଏମାନଙ୍କୁ ଗୋଟିଏ ସିମ୍ ପିଛା ୪ହଜାର ଟଙ୍କା ମିଳୁଥିଲା

ଜାମତରା ଗ୍ୟାଙ୍ଗର ଏକ ଟିମ୍, ଓଡିଶାର କେନ୍ଦୁଝରରେ ସକ୍ରିୟ ଥିବା ମହାରାଷ୍ଟ୍ରରେ ଅଭିଯୋଗ ହୋଇଥିଲା । ଆଉ ଅଭିଯୋଗ ଆସିବା ପରେ କେନ୍ଦୁଝର ପୋଲିସ ତନାଘନା ଆରମ୍ଭ କରିଥିଲା । ଏହା ପରେ ଓଡିଶାରେ ସକ୍ରିୟ ଥିବା ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ, ୫୩୮ଟି ସିମ୍, ୧୮ଟି ମୋବାଇଲ, ୫ଟି ବାୟୋମେଟ୍ରିକ୍ ସ୍କାନର, ୨୫ଟି ଏଟିଏମ୍, ୨୫ଟି ଆଇଡି କାର୍ଡ, ଗୋଟିଏ ଲାପ୍ଟପ୍, ୭ଟି ପାସ୍ବୁକ୍, ୫ ହଜାରରୁ ଅଧିକ ଟଙ୍କା ଜବତ କରାଯାଇଛି । ଏମାନଙ୍କ ନାଁରେ ସାରା ଦେଶରେ ୩ ହଜାରରୁ ଅଧିକ ମାମଲା ରହିଛି । ତେବେ ଜାମତରା ଗ୍ୟାଙ୍ଗରେ ଓଡିଶାରୁ କେବଳ ଏହି ୪ଜଣ ଥିଲେ ନା ଆଉ କିଛି ଦୁବୃର୍ତ ସମ୍ପୃକ୍ତ ଅଛନ୍ତି ତାର ତଦନ୍ତ ହେବାର ଆବଶ୍ୟକତା ରହିଛି ।