କନକ ବ୍ୟୁରୋ : ପୁରୀ ଜିଲ୍ଲାରେ ମୂର୍ତ୍ତି ଚୋର ମାତିଛନ୍ତି । ପୁଲିସକୁ ଚାଲେଞ୍ଜ ଦେଇ ଗୋଟିଏ ପରେ ଗୋଟିଏ ମନ୍ଦିରରୁ ପ୍ରାଚୀନ ମୂର୍ତି ଲୁଟ କରି ନେଉଛନ୍ତି । ଶୁକ୍ରବାର ରାତିରେ ବୀରନରସିଂହପୁରର ଗୋପୀନାଥ ମନ୍ଦିରରୁ ୫ଟି ଅଷ୍ଟଧାତୁ ମୂର୍ତି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଆଗକୁ ଦୋଳପୂର୍ଣ୍ଣିମା ଆସୁଥିବା ବେଳେ ଗୋପାଳଙ୍କ ମୂର୍ତି ଚୋରି ହୋଇଥିବାରୁ ଚିନ୍ତାରେ ପଡିଛନ୍ତି ବୀରନରସିଂହପୁର ବାସିନ୍ଦା । ପୁରୀ ଜିଲ୍ଲାର ୧୦ଟି ମନ୍ଦିରରୁ ୧୫ରୁ ଅଧିକ ଅଷ୍ଟଧାତୁ ମୂର୍ତି ଚୋରି ହୋଇଥିବା ନେଇ ବିଭିନ୍ନ ଥାନାରେ ଏତଲା ହୋଇଛି । ତେଣୁ ପ୍ରାଚୀନ ମନ୍ଦିରରୁ ମୂର୍ତି ଚୋରି ପଛରେ ଏକ ଅନ୍ତର୍ଜାତୀୟ ରାକେଟ କାମ କରୁଥିବା ସନ୍ଦେହ କରାଯାଉଛି ।

Advertisment

ପୁରୀ ପୁଲିସକୁ ମୂର୍ତ୍ତି ଚୋରଙ୍କ ଚାଲେଞ୍ଜ । ଗୋପୀନାଥ ମନ୍ଦିରରୁ ଲୁଟିଲେ ୫ ଅଷ୍ଟଧାତୁ ମୂର୍ତ୍ତି । ପୁରୀରେ ପୁଣି ମାତିଲେ ମୂର୍ତି ଚୋର । ଠାକୁରଙ୍କୁ ମଧ୍ୟ ଛାଡୁ ନାହାନ୍ତି ଦୁର୍ବୃତ । ସଦର ବ୍ଲକ ଚନ୍ଦନପୁର ଥାନା ବୀରନରସିଂହପୁର ଗୋପୀନାଥ ମନ୍ଦିରରୁ ୫ ଅଷ୍ଟଧାତୁ ମୂର୍ତି ଚୋରି ଅଭିଯୋଗ ହୋଇଛି । ମନ୍ଦିରର ତାଲା ଭାଙ୍ଗି କେହି ଦୁର୍ବୃତ ମୂର୍ତି ଚୋରି କରିଥିବା ଅଭିଯୋଗ ହୋଇଛି ।

ଶୁକ୍ରବାର ରାତିରେ କେହି ଦୁର୍ବୃତ ଗୋପୀନାଥ ମନ୍ଦିରର କବାଟ ଭାଙ୍ଗି ମୂଲ୍ୟବାନ ଓ ବହୁ ପୁରାତନ ମୂର୍ତି ଚୋରି କରିନେଇଛି । ଚୋରି ହୋଇଥିବା ମୂର୍ତି ମଧ୍ୟରେ ରହିଛି କନକ ଦୁର୍ଗା, ଲୋକନାଥ, ଦୋଳଗୋବିନ୍ଦ, ଜୟ ଦୂର୍ଗା ଓ ଛୋଟ ଗୋପାଳଙ୍କ ମୂର୍ତି । ଲାଙ୍ଗୁଳା-ନରସିଂହଙ୍କ ଶାସନ ସମୟରେ ନିର୍ମିତ ଗୋପିନାଥ ମନ୍ଦିରରୁ ମୂର୍ତି ଚୋରି ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଏନେଇ ଚନ୍ଦନପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଗତ ୯ ତାରିଖରେ କଣାସ ବ୍ଲକ ରୋଷଣା ଗାଁ ଇଷାନେଶ୍ୱର ଶୈବ ପୀଠରୁ ମୂର୍ତି ଚୋରୀ ହୋଇଥିଲା । ବର୍ତମାନ ସୁଦ୍ଧା ପୁରୀ ଜିଲ୍ଲାର ୧୦ଟି ମନ୍ଦିରରୁ ୧୫ଟି ଅଷ୍ଟଧାତୁ ମୂର୍ତି ଚୋରି ହୋଇଥିବା ଅଭିଯୋଗ ହୋଇଛି । ସେପଟେ ଗତ ୮ତାରିଖରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ପୁଲିସ ତାଙ୍କ ଠାରୁ ୧୦ଟି ଅଷ୍ଟଧାତୁ ମୂର୍ତି ଉଦ୍ଧାର କରିଛି । ମନ୍ଦିରରୁ ମୂର୍ତି ଚୋରି ବଢୁଥିବା ବେଳେ ବିଧାୟକ ପାଣ୍ଠିରୁ ମନ୍ଦିରରେ ସିସିଟିଭି କ୍ୟାମେରା ଲଗାଇବାକୁ ଦାବି ହେଉଛି ।

ପୁରୀ ଜିଲ୍ଲାର ପୁରାତନ ମନ୍ଦିରରୁ ମୂର୍ତି ଚୋରି ହେବା ଘଟଣା ବଢୁଥିବାରୁ ଏହା ପଛରେ ଏକ ଅନ୍ତର୍ଜାତୀୟ ରାକେଟ କାମ କରୁଥିବା ଅଭିଯୋଗ ହୋଇଛି । ଗୋଟିଏ ପରେ ଗୋଟିଏ ମନ୍ଦିରରୁ ମୂର୍ତି ଉଠାଇ ନେଇ ପୁଲିସକୁ ଖୋଲାଖୋଲି ଚାଲେଞ୍ଜ କରିଛନ୍ତି ମୂର୍ତି ଚୋର ।